ଭୁବନେଶ୍ବର:ରାଜ୍ୟରେ ଗତ 6 ବର୍ଷରେ ନିର୍ମାଣ ହୋଇଛି 31.08 ଲକ୍ଷ ଗୃହ । ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ଏହି ଗୃହ ନିର୍ମାଣ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଯୋଜନା ସମ୍ପର୍କିତ ବୈଠକରୁ ଏହି ସୂଚନା ମିଳିଛି । ଲୋକସେବା ଭବନରୁ ଭିସି ଜରିଆରେ ମୁଖ୍ୟ ଶାସନ ସଚିବ ବିଜୁ ପକ୍କା ଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଏବଂ ମତ୍ସ୍ୟଜୀବୀ ବାସଗୃହ ଯୋଜନାର ବିସ୍ତୃତ ସମୀକ୍ଷା କରିଛନ୍ତି ।
ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ବୈଠକରେ ବିଭିନ୍ନ ଯୋଜନାରେ ଘର ବାବଦରେ ତଥ୍ୟ ଉପସ୍ଥାପନ କରିଛନ୍ତି । ରାଜ୍ୟରେ ବିଭିନ୍ନ ଯୋଜନା ଅଧିନରେ ମୋଟ 31 ଲକ୍ଷ 8 ହଜାର 471 ଗୃହ ନିର୍ମାଣ କରି ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ଏବଂ ବିଭିନ୍ନ ଯୋଜନାରେ 1 ଲକ୍ଷ 75 ହଜାର 960 ନିର୍ମାଣାଧୀନ ରହିଛି । ଏହା ସହିତ ପିଭିଟିଜିଏସ୍(PVTGs) ବର୍ଗର 8 ହଜାର 575 ପରିବାରଙ୍କୁ ବାସଗୃହ ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହି ଗୃହଗୁଡ଼ିକର ନିର୍ମାଣରେ କୌଣସି ପ୍ରକାର ଅସୁବିଧା ଥିଲେ ତାହାକୁ ଯଥାଶୀଘ୍ର ଦୂର କରିବା ସହ ନିର୍ମାଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଗ୍ରାମୀଣ ଆବାସ ଯୋଜନାରେ 39 ହଜାର 198 ଜଣ ହିତାଧିକାରୀ ଭୂମିହୀନ ରହିଛନ୍ତି । ସେମାନଙ୍କ ମଧ୍ୟରୁ 2 ହଜାର 326 ପରିବାରଙ୍କୁ ଭୂମି ବଣ୍ଟନ କରାଯାଇଛି । ଅନ୍ୟ କିଛି ଜଣଙ୍କ ମାମଲା ବିଚରାଧିନ ରହିଛି । କାରଣ ସେମାନେ ବିବାଦୀୟ ଜମିରେ ବସବାସ କରୁଛନ୍ତି । କାର୍ଯ୍ୟରେ ତ୍ବରାନ୍ବିତ କରିବା ସହ ଉପଲବ୍ଧ ସରକାରୀ ଜମି ଆବଣ୍ଟନ କରିବାକୁ ରାଜସ୍ବ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।