ଓଡିଶା

odisha

ETV Bharat / city

ଫୋକସରେ ଟୋକିଓ ଟିକେଟ ହାସଲ: ମନପ୍ରୀତ ସିଂହ - ଭାରତୀୟ ହକି ଟିମ

ଜାତୀୟ ହକି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ ପାଇଁ ଭୁବନେଶ୍ବରରେ ପହଞ୍ଚୁଛନ୍ତି ଉଭୟ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳ । 2020 ଟୋକିଓ ଅଲମ୍ପିକରେ ଅଂଶଗ୍ରହଣ କରିବା ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଶେଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

By

Published : Oct 14, 2019, 5:50 PM IST

Updated : Oct 14, 2019, 9:21 PM IST

ଭୁବନେଶ୍ବର: ଧିରେ ଧିରେ ଆସି ଏଠାରେ ପହଞ୍ଚୁଛନ୍ତି ଭାରତୀୟ ହକି ଟିମ । ଉଭୟ ମହିଳା ଓ ପୁରୁଷ ଦଳର ଖେଳାଳିମାନଙ୍କ ସହିତ କୋଚ ମଧ୍ୟ ଆସୁଛନ୍ତି । 2020 ଟୋକିଓ ଅଲମ୍ପିକରେ ଅଂଶ ଗ୍ରହଣ କରିବା ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଶେଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଏହା ପୂର୍ବରୁ ଆରମ୍ଭ ହେବାକୁ ଥିବା ଉଭୟ ଦଳର ବିଶେଷ ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ପର୍ଯ୍ୟାୟ କ୍ରମେ ଖେଳାଳିମାନେ ରାଜଧାନୀରେ ପହଞ୍ଚିବାରେ ଲାଗିଛନ୍ତି ।

ଆସନ୍ତା ନଭେମ୍ବର 1 ଓ 2 ତାରିଖ ଦୁଇ ଦିନ ଧରି ହକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଭାରତୀୟ ପୁରୁଷ ଦଳ ଋଷିଆ ସହିତ ଶେଷ ଯୋଗ୍ୟତା ମ୍ୟାଚ ଖେଳିବାକୁ ଥିବାବେଳେ ଭାରତୀୟ ମହିଳା ଦଳ ୟୁଏସଏ ସହିତ ମୁକାବିଲା କରିବ । ଯେହେତୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ତେଣୁ ଏହାକୁ ଜିତିବା ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି । ଯାହାର ଫଳ ସଦୃଶ୍ୟ ଆଜି ମହିଳା ଦଳର କ୍ୟାମ୍ପ ଆରମ୍ଭ ହେଉଥିବା ବେଳେ ପୁରୁଷ ଦଳର କ୍ୟାମ୍ପ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ତେବେ ନିକଟରେ ବେଲଜିୟମ ଗସ୍ତ କରି ଭାରତୀୟ ପୁରୁଷ ଦଳ ଉନ୍ନତ ପ୍ରଦର୍ଶନ ଦେଇଥିବା ବେଳେ ଆସନ୍ତା ମ୍ୟାଚରେ ମଧ୍ୟ ବିଜୟ ଲାଭ କରି ଟୋକିଓ ଟିକେଟ ହାସଲ କରିବ ବୋଲି ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂହ ପ୍ରକାଶ କରିଛନ୍ତି ।

ତେବେ ଏହି କ୍ୟାମ୍ପରେ ଦଳର ଥିବା ଟିକିନିଖି ତ୍ରୁଟି ସୁଧାରିବା ଉପରେ ଦଳ ବିଶେଷ ଧ୍ୟାନ ଦେବ ବୋଲି ସେ କହିଛନ୍ତି । ଅନୁରୂପ ଭାବେ ଭାରତୀୟ ମହିଳା ଦଳର କୋଚ ଜୋର୍ଡ ମାରିଜନେ ମଧ୍ୟ ଆମେରିକା ବିପକ୍ଷରେ ନିଜର ଶେଷ ସୁଯୋଗକୁ ବିଜୟରେ ପରିବର୍ତ୍ତନ କରି ଟୋକିଓ ଟିକେଟ ହାସଲ କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି । ଆମେରିକା ମହିଳା ଦଳ ଭାରତୀୟ ଦଳ ଠାରୁ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ସେମାନଙ୍କୁ କଡା ଚ୍ୟାଲେଞ୍ଜ ଦେବା ପାଇଁ ଖେଳାଳି ପ୍ରସ୍ତୁତ ହେଉଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ କି ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ। ଯେଉଁ ଦଳ ବିଜୟ ଲାଭ କରିବ ସେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିବ । ନଚେତ ଯଦି ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତନ୍ତି ତେବେ ଗୋଲ ଏଗ୍ରିଗେଟ ହିସାବରେ ଯିଏ ଅଧିକ ଗୋଲ ଦେଇଥିବ ସେହି ଦଳ ଆଗକୁ ଯିବ ବୋଲି ନିୟମ ରହିଥିବା ଜଣାପଡିଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Oct 14, 2019, 9:21 PM IST

ABOUT THE AUTHOR

...view details