ଭୁବନେଶ୍ବର: ଗୋଟିଏ ପଟେ ବଙ୍ଗୀୟ ରୀତିନୀତିରେ ପୂଜା ଅନ୍ୟପଟେ ଗୁଜୁରାଟୀ ନବରାତ୍ରିର ରଙ୍ଗରେ ଭଳିକି ଭଳି ଗୀତରେ ଦାଣ୍ଡିଆ ନାଚ । ରାଜଧାନୀ ଭୁବନେଶ୍ବରର ଅନେକ ବେସରକାରୀ ଅନୁଷ୍ଠାନ ଶାରଦୀୟ ଦୁର୍ଗା ପୂଜାରେ ଏଭଳି ଦାଣ୍ଡିଆ ନାଇଟ୍ର ଆୟୋଜନ କରିଆସୁଛନ୍ତି । ଚଳିତ ବର୍ଷ ପ୍ରଥମ କରି ଓଟିଡିସି ଦାଣ୍ଡିଆ ନାଇଟ୍ର ଆୟୋଜନ କରିଛି । ଯାହାକୁ ନେଇ ଟ୍ବିଟରରେ ଅନେକ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି ।
ସୂଚନାନୁସାରେ, ଓଡିଶାରେ ଅନେକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଦାଣ୍ଡିଆ ନାଚକୁ ଲୋକପ୍ରିୟ କରିବାରେ ଲାଗିଛନ୍ତି । ଏସବୁର ମାତ୍ରା ଏତେ ଅଧିକ ବୃଦ୍ଧି ପାଇଛି ଯେ ଦୁର୍ଗାପୂଜା ସମୟରେ ଷୋହଳ ପୂଜା ଏବଂ ପୁରୀରର ଗୋଷାଣୀ ଯାତ୍ରାର ଲୋକପ୍ରିୟତା ଆଧୁନିକତାର ଛାପ ତଳେ ହଜିବାରେ ଲାଗିଛି । ଚଳିତ ବର୍ଷ ଓଟିଡିସି ପକ୍ଷରୁ ଭୁବନେଶ୍ବର ପାନ୍ଥନିବାସ ଠାରେ 'ଲେଟ୍ସ ଦାଣ୍ଡିଆ' ର ଆୟୋଜନ ହୋଇଥିଲା । ଏନେଇ ଅନଲାଇନରେ ଟିକେଟ ବିକ୍ରିର ବ୍ୟବସ୍ଥା ମଧ୍ୟ ରହିଥିଲା । ତେବେ ଓଟିଡିସି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଟିଡିସି ଏବଂ ଓଡିଶା ପର୍ଯ୍ୟଟନର ଲୋଗୋକୁ ଛାଡିଦେଲେ ଓଡିଆ ସଂସ୍କୃତିର କୌଣସି ଚିହ୍ନବର୍ଣ୍ଣ ନଥିଲା । ଖାଲି ସେତିକି ନୁହେଁ ପୋଷ୍ଟରରେ ଗୁଜୁରାଟୀ ପୋଷାକରେ ଦାଣ୍ଡିଆ ନାଚୁଥିବାର ଏକ ଫଟୋ ରହିଥିଲା ।
ଏଭଳି ରଙ୍ଗିନ୍ ପରିବେଶରେ ଡିସ୍କୋ ଲାଇଟ୍ ଭିତରେ ପୁରୀର ପ୍ରାଚୀନ ସାହିଯାତ ପରମ୍ପରାର ଅମ୍ବିକା ମେଢ ନୃତ୍ୟ ପ୍ରଦର୍ଶନ ଓଡିଆ ସଂସ୍କୃତିର ଘୋର ଅପମାନ ବୋଲି ପ୍ରତୀକ ପଟ୍ଟନାୟକ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ଯୁବକ ମତ ଦେଇଛନ୍ତି । ସେ କହିଛନ୍ତି, ଏମାନଙ୍କୁ ପ୍ରଶୟ ଦେଲେ ସଂସ୍କୃତିକୁ ବିକି ଖାଇଯିବେ । ଏଥିରେ ପ୍ରଦର୍ଶନ କରିଥିବା କଳାକାର ଏବଂ ଅନୁଷ୍ଠାନ ଲଜ୍ଜାଜନକ କାର୍ଯ୍ୟ ।