ଭୁବନେଶ୍ବର: ରାଜ୍ୟ ବିଜେପି ସଂଗଠନରେ ହେବ କି ବଡ ଧରଣର ଅଦଳ ବଦଳ । ବଦଳିବେ କି ବର୍ତ୍ତମାନର ସଭାପତି ସମୀର ମହାନ୍ତି(Bjp President Samir Mahanty) ? ନୂଆ ରାଜ୍ୟ ପ୍ରଭାରୀ ନିଯୁକ୍ତି ପରେ ରାଜ୍ୟ ଗୈରିକ କ୍ୟାମ୍ପରେ ଏବେ ଏହି ଚର୍ଚ୍ଚା ।
ଆଉ ଚର୍ଚ୍ଚାକୁ ବଳ ଯୋଗାଉଛି ସମୀର ମହାନ୍ତିଙ୍କ ବିଫଳତା । ପଞ୍ଚାୟତ ପୌର ନିର୍ବାଚନରେ ‘ଟିମ ସମୀର’ ବିଫଳ ହୋଇଛନ୍ତି । ଖାଲି ଏତିକି ନୁହେଁ ସାରା ରାଜ୍ୟରେ ସଂଗଠନ ଏକ ପ୍ରକାର ଶକ୍ତିହୀନ ହୋଇପଡିଛି । ଗତ ଫେବୃୟାରୀ ରୁ ମେ’ ମଧ୍ୟରେ ହୋଇଥିବା ପୌର ପଞ୍ଚାୟତ ନିର୍ବାଚନରେ ବିଜେପି ଆଶା ଜନକ ପ୍ରଦର୍ଶନ କରିପାରି ନାହିଁ । ଏହାସହ ବ୍ରଜରାଜ ନଗର, ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଉପ-ନିର୍ବାଚନରେ ମଧ୍ୟ ଦଳ ବିଫଳ ହୋଇଛି । ଯାହାକୁ ନେଇ ସମୀରଙ୍କ ସାଂଗଠନିକ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠିଛି ।
ଖାଲି ଏତିକି ନୁହେଁ ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାରେ ଦଳର ସ୍ଥିତି ସଂଗୀନ ହୋଇଛି । ଦଳ ସ୍ବୀକାର ନକଲେ ମଧ୍ୟ ପଶ୍ଚିମାଞ୍ଚଳରେ ଦଳର ସଂଗଠନ ଶକ୍ତି ହରାଇଛି । ବିଶେଷ କରି ଗୋଷ୍ଠୀ କନ୍ଦଳ, ଅନୁଭବୀ ନେତାଙ୍କୁ ଅବହେଳା ପାଇଁ ଦଳ ଲୋକଙ୍କ ଆସ୍ଥା ହରାଉଛି । କେନ୍ଦ୍ରୀୟ ନେତୃତ୍ବ ଦେଇଥିବା ଟାକ୍ସ ମୋ ବୁଥ ସବୁଠୁ ମଜବୁଥ, ଶକ୍ତି କେନ୍ଦ୍ରର ସ୍ଥିତି ମଧ୍ୟ ଏବେ ଦିଶାହୀନ । ସରକାରଙ୍କ ମଧ୍ୟରେ ଜନ ଅସନ୍ତୋଷ ଥିଲେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ତାହାକୁ ନିଜ ପକ୍ଷକୁ ଟାଣିବାରେ ବିଫଳ ହୋଇଛି ।