ଓଡିଶା

odisha

By

Published : Nov 20, 2019, 10:02 PM IST

ETV Bharat / city

ଡଙ୍କାରୀ ପାହଡକୁ ଲୁଟିଛନ୍ତି ମାଫିଆ, ସ୍ବୀକାର କଲେ ସରକାର

ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ଡଙ୍କାରୀ ପାହଡ ବେଆଇନ ଖଣି ଖଣନକୁ ନେଇ ବିଧାନସଭାରେ ବିରୋଧୀଙ୍କ ମୁଲତବୀ ନୋଟିସ । ସରକାରଙ୍କ ସ୍ବୀକାର ହୋଇପାରିନି ରୟାଲଟି ଆଦାୟ ।

ଡଙ୍କାରୀ ପାହଡକୁ ନିଶ୍ଚିହ୍ନ

ଭୁବନେଶ୍ବର: ଯାଜପୁର ଜିଲ୍ଲା ବହୁ ଚର୍ଚ୍ଚିତ ଡଙ୍କାରୀ ପାହାଡର ଲଘୁ ଖଣିଜ ସମ୍ପଦକୁ ରାଜନେତା-ପ୍ରଶାସକ-ପୋଲିସ ତ୍ରିକୋଣୀୟ ମେଣ୍ଟ କରି ଲୁଟି ନେଇଛନ୍ତି । ପାହାଡ ବିକ୍ରି କରି ଦଲାଲ ମାନେ ରାଜନେତା ଓ ପ୍ରଶାସକଙ୍କୁ ମୋଟା ଅଙ୍କ ଦେଇଛନ୍ତି । ସରକାର 2016ରୁ ଏହାର ସୁରକା ପାଇଥିଲେ ବି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୁଧବାର ଏ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଏମିତି ପ୍ରଶ୍ନ ବାଣରେ ସରକାରଙ୍କୁ ଘାଇଲା କରିଥିଲେ । ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ସ୍ବୀକାର କରିଛନ୍ତି ଯେ, ଡଙ୍କାରୀ ପାହାଡ ଲିଜ ନେଇଥିବା ଶିବାସ ଜେନାଙ୍କ ଠାରୁ ସରକାର 58 କୋଟି 62 ଲକ୍ଷ ଟଙ୍କା ରୟାଲଟି ଆଦାୟ କରି ପାରିନାହାଁନ୍ତି ।

ଡଙ୍କାରୀ ପାହାଡରୁ ବେଆଇନ ଭାବେ ବହୁମୂଲ୍ୟ କଳା ପଥର ଖନନ ହେଉଛି ଏବଂ ବାହାରକୁ ଚାଲାଣ ହେଉଛି । ଏ ସମ୍ପର୍କରେ 2016 ମସିହାରେ ତତ୍କାଳିନ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ପାହାଡକୁ ନିଶ୍ଚିହ୍ନ କରିଦେବାକୁ ଚେଷ୍ଟା କରାଯାଉଥିବା କଥା ଉଲ୍ଲେଖ କରି 10 ଜଣ ଆରଆଇଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ । ଏପରିକି 2016 ଅଗଷ୍ଟ 6 ତାରିଖରେ ଜିଲ୍ଲାପାଳ ରାଜସ୍ବ ସଚିବଙ୍କୁ ଚିଠି ଲେଖି 6 ଜଣ ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ସେହି ବର୍ଷ ଜୁନ ମାସରେ ତତ୍କାଳିନ ଖଣି ନିର୍ଦ୍ଦେଶକ ମଧ୍ୟ ବେଆଇନ କଳା ପଥର ଚାଲାଣ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । କିନ୍ତୁ 3 ବର୍ଷ ଧରି କାହିଁକି କାର୍ଯ୍ୟାନୁଷ୍ଠାନ ହେଲାନି ? କିଏ ସେମାନଙ୍କୁ ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ କରିଥିଲ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ।

ଦୈନିକ ଡଙ୍କାରୀରୁ ଦୁଇ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ ହେଉଛି । ଏହି ଲୁଟରେ ସମ୍ପୃକ୍ତ ଲୋକଙ୍କର ସ୍ମିତାରାଣୀ ମୃତ୍ୟୁ ଘଟଣା ସହ ମଧ୍ୟ ସମ୍ପର୍କ ରହିଛି । ସ୍ମିତାରାଣୀ ମୃତ୍ୟୁ ସହ ଜଡିତ ରୁପେଶ ଭଦ୍ରା ଜଣେ ସାମାନ୍ୟ ଚା’ ଦୋକାନରୁ କୋଟିପତି ହେଲେ କେମିତି ? ଦୈନିକ ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହେଉଛି କେମିତି ? ଏସବୁ ତଦନ୍ତ ସାପେକ୍ଷ ବୋଲି ବିରୋଧୀ ଦଳ କହିଛି । କେବଳ ଡଙ୍କାରୀ କାହିଁକି ବଲାଙ୍ଗିର, ଋଷିକୂଲ୍ୟା, ଖୋର୍ଦ୍ଧା ସବୁଠି ଲଘୁ ଖଣିଜ ସମ୍ପଦର ବେଆଇନ ଚାଲାଣ ହେଉଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ ଗୃହରେ ।

ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ଉତ୍ତର ଦେଇ ସ୍ବୀକାର କରିଥିଲେ ଯେ, ଡଙ୍କାରୀ ପାହାଡ ଲିଜଧାରୀ ଶିବାସ ଜେନାଙ୍କ ଠାରୁ 58 କୋଟି 62 ଲକ୍ଷ ଟଙ୍କା ସରକାର ଆଦାୟ କରିପାରି ନାହାଁନ୍ତି । ହାଇକୋର୍ଟ ଧର୍ମଶାଳା ତହସିଲଦାରଙ୍କ ଆବେଦନକୁ ଖାରଜ କରିଥିଲେ । ପରେ ସୁପ୍ରିମ କୋର୍ଟରେ ଏହି ମାମଲା ବିଚାରଧୀନ ଅଛି ।

2018ରେ ନ୍ୟାସନାଲ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶରେ ଏହାର ତଦନ୍ତ କରାଯାଇ ଡଙ୍କାରୀ ପାହାଡର କଳା ପଥର ଖଣିର ପରିବେଶ ମଞ୍ଜୁରୀ ରଦ୍ଦ କରାଯାଇ ଉତ୍ତୋଳନ ବନ୍ଦ କରାଯାଇଛି । ବେଆଇନ ଚାଲାଣକୁ ରୋକିବା ପାଇଁ ଡଙ୍କାରୀରେ ଏକ ପୋଲିସ ଫାଣ୍ଡି ପ୍ରତିଷ୍ଠା କରାଯିବା ସହ ଥାନାରେ ଗୋଟେ ପ୍ଲାଟୁନ ଫୋର୍ସ ମୁତ୍ତୟନ ହେବେ । ରାଜସ୍ବ ନିରୀକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପରିବେଶ ଆଇନ ଉଲଂଘନକାରୀଙ୍କ ବିରୋଧରେ ମଧ୍ୟ ଚଣ୍ତିଖୋଲ ଜେଏମଏଫସି କୋର୍ଟରେ ମାମଲା ଦାଏର କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details