ଭୁବନେଶ୍ବର: ରାଜ୍ୟରେ ଶୁଭିଲାଣି ମରୁଡ଼ିର ପ୍ରତିଧ୍ବନି । ସରକାର କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ । ବିଧାନସଭାରେ ରାଜସ୍ବ ମନ୍ତ୍ରୀ ନିଜେ ମାନିଛନ୍ତି ଯେ, 15ଟି ଜିଲ୍ଲାରେ ଆବଶ୍ୟକତା ଠାରୁ କମ ବର୍ଷା ହୋଇଛି । ଚାଷୀ ଦୁର୍ଦ୍ଦିନରେ , ତୁରନ୍ତ ଚାଷୀଙ୍କୁ ସହାୟତା ଦରକାର । ବେଳ ଥାଉଁ ଥାଉଁ ସରକାର ପଦକ୍ଷେପ ନିଅନ୍ତୁ ନଚେତ ପରସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ । ରାଜ୍ୟରେ ସୃଷ୍ଟି ହୋଇଥିବା ମରୁଡି ପରିସ୍ଥିତି ନେଇ ଉଭୟ ବିରୋଧୀ ଓ ସରକାରୀ ଦଳର ସଦସ୍ୟମାନେ ଆଜି ଏମିତି ଢଙ୍ଗରେ ବିଧାନସଭାର ଶୂନ୍ୟକାଳରେ ଉଦବେଗ ପ୍ରକାଶ କରିଛନ୍ତି ।
ଆଜି ଶୂନ୍ୟକାଳ ଆରମ୍ଭରୁ ବିରୋଧୀଦଳ ନେତା ଏହି ପ୍ରସଙ୍ଗ ଉଠାଇଥିଲେ । ସମ୍ଭାବ୍ୟ ମରୁଡିକୁ ନେଇ ଶୂନ୍ୟକାଳରେ ଗୃହରେ ଉଦବେଗ ପ୍ରକାଶ କରିଥିଲେ ପ୍ରଦୀପ୍ତ । ସେ କହିଛନ୍ତି 16 ଟି ଜିଲ୍ଲାରେ ବର୍ଷା ଠିକରେ ହୋଇନି। ମାଟି ଫାଟି ଆଁ ହୋଇଗଲାଣି। ପକାଯାଇଥିବା ତଳି ଶୁଖିବାକୁ ବସିଲାଣି । ରଥ ପୂର୍ବରୁ ରୁଆ କାମ ସରିବା କଥା, ଅଥଚ ଏ ଯାଏଁ ରୁଆ କାମ ବି ଆରମ୍ଭ ହୋଇନି। ରାଜସ୍ବ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ, ଏ ବାବଦରେ ପୁନର୍ବାର ଅନୁଧ୍ୟାନ କରି ବର୍ଷାର ପରିମାଣ ଆକଳନ କରି ଠିକରେ ରିପୋର୍ଟ ଦେବାକୁ ସେ ଦାବି କରିଥିଲେ ।