ଓଡିଶା

odisha

By

Published : Feb 13, 2021, 8:15 PM IST

ETV Bharat / city

କୋଟିଆ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଦିନକୁ ଦିନ ଓଡିଶା-ଆନ୍ଧ୍ର ସୀମା ବିବାଦ ଘନେଇବାରେ ଲାଗିଛି । ମାମଲା ଏବେ କୋଟିଆ ଛାଡି କୋର୍ଟରେ ପହଞ୍ଚିଲାଣି । ସୀମା ବିବାଦ ସମାଧାନ ଓ ସୀମାବର୍ତ୍ତୀ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ
କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର: ଦିନକୁ ଦିନ ଓଡିଶା-ଆନ୍ଧ୍ର ସୀମା ବିବାଦ ଘନେଇବାରେ ଲାଗିଛି । ମାମଲା ଏବେ କୋଟିଆ ଛାଡି କୋର୍ଟରେ ପହଞ୍ଚିଲାଣି । ସୀମା ବିବାଦ ସମାଧାନ ଓ ସୀମାବର୍ତ୍ତୀ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ ।

ସୀମାବର୍ତ୍ତୀ ଜିଲ୍ଲା ଗସ୍ତ କରି ଗ୍ରାଉଣ୍ଡ ରିଆଲିଟି ଚେକ କରିଛି ରାଜ୍ୟ ବିଜେପିର ପ୍ରତିନିଧି ଦଳ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ 10 ଜଣିଆ ପ୍ରତିନିଧି ଦଳ 4 ଦିନ ଧରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଓ କୋରାପୁଟ ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି ।

କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ବିଜେପିର 10 ଜଣିଆ ଟିମ ବିବାଦୀୟ ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ସଭାପତି ସମୀର ମହାନ୍ତି ଓ ଦଳୀୟ ନେତା ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । କୋଟିଆ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । କିନ୍ତୁ ଅନ୍ୟାନ୍ୟ ସୀମାବର୍ତ୍ତୀ ୪ଟି ଜିଲ୍ଲା ପାଇଁ କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସଭାପତି ସମୀର ମହାନ୍ତି ।

ସାଢ଼େ 4 କୋଟି ଓଡ଼ିଆ ମୋ ପରିବାରର ଲୋକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କିନ୍ତୁ ଅବିଭକ୍ତ ଗଂଜାମ ଓ କୋରାପୁଟ ଜିଲ୍ଲାର ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଲୋକ ଏବେ ଅସୁରକ୍ଷିତ ବୋଲି ସମୀର ଅଭିଯୋଗ କରିଛନ୍ତି । ଓଡିଶା ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ବ ଦେଇଛନ୍ତି ।

ଆନ୍ଧ୍ର ସରକାର ଅନାଧିକୃତ ଭାବେ ଓଡ଼ିଶାରେ ପଶି ନିର୍ବାଚନ କରୁଛନ୍ତି । ଗଣମଧ୍ୟମରେ କୋଟିଆ କଥା ଆସିବା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି । କିନ୍ତୁ ଏତେ ବିଳମ୍ବ କାହିଁକି ହେଲା ବୋଲି ସମୀର ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ଏହି ମାମଲାରେ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି ।

ସବୁ ସୀମାବର୍ତ୍ତୀ ଜିଲ୍ଲାରେ ଆନ୍ଧ୍ର ନିର୍ବାଚନ କରୁଛି । ରାଜ୍ୟବାସୀଙ୍କୁ ସରକାର ଏ ବାବଦରେ ଲୁଚାଇଲେ କାହିଁକି ବୋଲି ସମୀର ପ୍ରଶ୍ନ କରିଛନ୍ତି ? ପୂର୍ବରୁ ବିଜେପି ଦଳର ନେତା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ଅଭିଯୋଗ କରିଥିଲେ । ହେଲେ ନିର୍ବାଚନ ହେଉନାହିଁ ବୋଲି ମିଛ କହିଥିଲେ ବିଭିନ୍ନ ଜିଲ୍ଲାର ପ୍ରଶାସନିକ ଅଧିକାରୀ ।

ତିତିଲି ବାତ୍ୟାରେ ପ୍ରଭାବିତ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଂଚାୟତର ମଣିକପାଟଣା ଗାଁରେ ନିର୍ବାଚନ ହେଉଛି । ସେଠାରେ ଓଡିଶା ସରକାରଙ୍କ ସାମାନ୍ୟତମ ସୁବିଧା ପହଞ୍ଚିନଥିବା ବେଳେ, ଆନ୍ଧ୍ର ସରକାର ସମସ୍ତ ସୁବିଧା ଦେଉଛନ୍ତି ବୋଲି ସମୀର କହିଛନ୍ତି ।

ବିଛିନ୍ନାଞ୍ଚଳରେ ମଧ୍ୟ ଆନ୍ଧ୍ର ସରକାର ସ୍କୁଲ କରି ଓଡ଼ିଆ ଶିକ୍ଷକ ରଖି ପାଠ ପଢ଼ାଉଛନ୍ତି । ହେଲେ ଓଡିଶାର ଲୋକଙ୍କ ପାଖରେ ରାଜ୍ୟ ପ୍ରଶାସନ ପହଁଚିପାରୁନାହିଁ । ଗଞ୍ଜାମ ଓ ଗଜପତି ଜିଲ୍ଲା ପ୍ରଶାସନର ବିବାଦରେ ପାତ୍ରପୁର ଓ ରାୟଗଡା ବ୍ଲକର ଜନସାଧାରଣଙ୍କ ପାଖରେ ସରକାରୀ ସାହାଯ୍ୟ ପହଞ୍ଚିପାରୁନି । ଯାହାର ଫାଇଦା ଆନ୍ଧ୍ର ସରକାର ନେଉଛନ୍ତି । ଏବେ ଏହି ପ୍ରସଙ୍ଗ ଗଣମାଧ୍ୟମରେ ଆସିଥିବାରୁ ସେଠାରେ ରାସ୍ତାଘାଟ କରାଯାଉଛି ବୋଲି ସରକାର କହୁଛନ୍ତି ।

୨୦୧୮ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି କେନ୍ଦ୍ର ସହାୟତା ଦେବ ବୋଲି ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ପ୍ରସଙ୍ଗ କେନ୍ଦ୍ରମନ୍ତ୍ରୀ ପରିଷଦକୁ ନେବାପାଇଁ । କିନ୍ତୁ ରାଜ୍ୟ ସରକାର ସାମାନ୍ୟତମ ଚେଷ୍ଟା କଲେ ନାହିଁ । ସେଠାରେ ଉନ୍ନତିମୂଳକ କାମର ଗୋଟିଏ ବୋର୍ଡ଼ରେ ଗୋଟେ ପଟେ ଓଡ଼ିଆ ଓ ଅନ୍ୟପଟେ ତେଲୁଗୁ ଲେଖାଯାଇଛି ।

ସନ୍ଦେହ ହେଉଛି ବିଲ କରି ପଇସା ଖାଇଯାଇନାହାଁନ୍ତି ତ ? ସର୍ବଦଳୀୟ ବୈଠକ ଡାକି ସାମାଜିକ ନେତୃତ୍ବଙ୍କୁ ଡାକି ସମାଧାନର ବାଟ ବାହାର କରନ୍ତୁ ରାଜ୍ୟ ସରକାର । କୋଟିଆ ପାଇଁ ସୁପ୍ରିମ କୋର୍ଟ ଯାଇଛନ୍ତି । କିନ୍ତୁ ଅନ୍ୟାନ୍ୟ ସୀମାବର୍ତ୍ତୀ ୪ଟି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ପାଇଁ କଣ ପଦକ୍ଷେପ ନେଇଛନ୍ତି ସ୍ପଷ୍ଟ କରନ୍ତୁ ସରକାର । ସୀମାନ୍ତ ଲୋକଙ୍କ ସମସ୍ୟା ସମାଧାନ ଲାଗି ବିଜେପି ସୀମାନ୍ତ ସୁରକ୍ଷା ସେଲ ଗଠନ କରିବ ବୋଲି ସମୀର କହିଛନ୍ତି ।

ଘଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛି ରାଜ୍ୟ କଂଗ୍ରେସ । ଉଭୟ ସରକାର କେବଳ ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ଉଭୟ ସରକାର ଚାହିଁଥିଲେ ଆଲୋଚନା ମାଧ୍ୟମରେ ସୀମା ବିବାଦ ସମସ୍ୟା ସମାଧାନ ହୋଇପାରିଥାନ୍ତା । କିନ୍ତୁ ଏପରି ନକରି ସୁପ୍ରିମକୋର୍ଟକୁ ଯାଇଛନ୍ତି ।

ଲୋକଙ୍କ ସମସ୍ୟା ସମାଧାନ କରିବାରେ ଉଭୟ ସରକାରଙ୍କର ଆନ୍ତରିକତା ନାହିଁ । ସେପଟେ କୋଟିଆ ମାମଲା ନେଇ ମାପି ଚୁପି ପ୍ରତିକ୍ରିୟା ରଖିଛି ବିଜେଡି । ମାମଲା କୋର୍ଟରେ ଥିବା କହି ନିଜ ଦାୟିତ୍ବ ଝାଡ଼ିବାକୁ ଚେଷ୍ଟା କରିଛି ବିଜେଡି । କୋଟିଆ ମାମଲାକୁ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details