ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଜୀବିକା ସହାୟତା । ପ୍ରତ୍ୟେକ କାର୍ଡଧାରୀଙ୍କୁ ମିଳିବ ଏକ ହଜାର ଟଙ୍କାର ସହାୟତା । ଏଥିପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏନେଇ ତୁରନ୍ତ ଅର୍ଥ ପ୍ରଦାନ କରିବାକୁ ଯୋଗାଣ ନିଗମକୁ ଚିଠି ଲେଖିଛନି ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହୋଉଛି ସହାୟତା ପ୍ରଦାନର ଆରମ୍ଭ ହେବାରେ ୭ଦିନ ଭିତରେ ଏହି ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିବ ଜୀବିକା ସହାୟତା, ନିର୍ବାଚନୀ ଚାଲ୍ କହିଲେ ବିରୋଧୀ - ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମିଳିବ ଜୀବିକା ସହାୟତା । ପ୍ରତ୍ୟେକ କାର୍ଡଧାରୀଙ୍କୁ ମିଳିବ ଏକ ହଜାର ଟଙ୍କାର ସହାୟତା । ଏହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଅଧିକ ପଢ଼ନ୍ତୁ
କେବଳ ସେତିକି ନୁହେଁ ସହାୟତା ପ୍ରଦାନ ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡକୁ ହିତାଧିକାରୀଙ୍କ ପ୍ରାଥମିକ ପରିଚୟ ପତ୍ର ଭାବେ ଗ୍ରହଣ କରିବାକୁ କୁହାଯାଇଛି । ସେପଟେ ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ବିରୋଧୀ ଏହାକୁ ନିର୍ବାଚନୀ ଥୋପ କହିଛନ୍ତି ।
ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ପିଛା ମିଳିବ ହଜାରେ ଟଙ୍କା । ସମସ୍ତ ୩୦ଟି ଜିଲ୍ଲାରେ ହିତାଧିକାରୀଙ୍କୁ ୩୫୦ କୋଟି ଟଙ୍କା ବଣ୍ଟନ କରାଯିବ । ସହାୟତା ପ୍ରଦାନ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡଧାରୀଙ୍କୁ ପ୍ରାଥମିକତା ଦିଆଯିବ । ସାତ ଦିନ ମଧ୍ୟରେ ଏହି ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଜୀବିକା ମିଶନ ଜରିଆରେ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଥିଲେ । ହେଲେ ରାଜ୍ୟ ସରକାର ତାହା ବଣ୍ଟନ କରିନାହାନ୍ତି । ସେପଟେ ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ଚାଲ ଖେଳିଛନ୍ତି ନବୀନ ବୋଲି କହିଛି କଂଗ୍ରେସ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ