ଓଡିଶା

odisha

ETV Bharat / city

ଦିବ୍ୟଶଙ୍କରଙ୍କୁ ବିଧାନସଭା ପୁରାଇ ଦେବୁନି କହିଲେ ବିରୋଧୀ, ଜବାବ ରଖିଲା ବିଜେଡି - ବିଜେଡି ବିଧାୟକ ଅଶ୍ବିନୀ ପାତ୍ର

ଆସନ୍ତା ଡିସେମ୍ବର 1 ରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ରାଜ୍ୟର ପ୍ରମୁଖ ମୁଦ୍ଦାକୁ ଶାସକ, ବିରୋଧୀ ଉଠାଇବେ ଗୃହରେ । ହେଲେ ଆସନ୍ତା ଶୀତ ଅଧିବେଶନ ରାଜନୈତିକ ଦୃଷ୍ଟି କଣରୁ ହୋଇପାରେ ସରଗରମ । ଅଧିକ ପଢନ୍ତୁ

ବିଧାନସଭା
ବିଧାନସଭା

By

Published : Nov 15, 2021, 8:19 PM IST

ଭୁବନେଶ୍ବର: ଆସନ୍ତା ଡିସେମ୍ବର 1 ରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ରାଜ୍ୟର ପ୍ରମୁଖ ମୁଦ୍ଦାକୁ ଶାସକ ଓ ବିରୋଧୀ ଗୃହରେ ଉଠାଇବେ । ହେଲେ ଆସନ୍ତା ଶୀତ ଅଧିବେଶନ ରାଜନୈତିକ ଦୃଷ୍ଟିକୋଣରୁ ହୋଇପାରେ ସରଗରମ । ଶାସକ ଦଳକୁ ଟାର୍ଗେଟ କରିପାରନ୍ତି ବିରୋଧୀ । ଯାହାର ସଂକେତ ମଧ୍ୟ ଆଜି ବିରୋଧୀ ଦେଇଛନ୍ତି ।

ଦିବ୍ୟ ଶଙ୍କରଙ୍କୁ ବିଧାନସଭା ପୁରାଇ ଦେବୁ ନାହିଁ; ବିରୋଧୀ; ଜବାବ ରଖିଲା ବିଜେଡି

ଆଜି ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମମିତା ମେହେର ଘଟଣାକୁ ନେଇ କଂଗ୍ରେସ ପଛକୁ ହଟିବ ନାହିଁ । ମନ୍ତ୍ରୀ ବହିଷ୍କାର ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ । ଏପରିକି ଘଟଣାକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି । ମୁଖ୍ୟମନ୍ତ୍ରୀ ଘଟଣାକୁ ନେଇ ମୁହଁ ଖୋଲୁନାହାଁନ୍ତି । ଫଳରେ ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ମଧ୍ୟ ଉଠାଇବ । ଆବଶ୍ୟକସ୍ଥଳେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବିଧାନସଭା ପୁରାଇ ଦିଆଯିବ ନାହିଁ ବୋଲି ସାଲୁଜା ଚେତାବନୀ ଦେଇଛନ୍ତି ।

ସାଲୁଜା କହିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭା ଭିତରକୁ ପ୍ରବେଶ କଲେ ବିଧାନସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ । ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହେବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି। ତେଣୁ ବାଚସ୍ପତିଙ୍କୁ ମଧ୍ୟ ଅଭିଯୋଗ କରାଯିବ । ଏତତ ବ୍ୟତୀତ ପ୍ରସଙ୍ଗକୁ ନେଇ ଦଳର ଆଭିମୁଖ୍ୟ କଣ ହେବ ତାହା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସାଲୁଜା ।

ସେହିପରି ପ୍ରସଙ୍ଗକୁ ନେଇ ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି, ମନ୍ତ୍ରୀଙ୍କୁ ବହିଷ୍କାର କରାନଗଲେ ବିଧାନସଭାରେ ଜୋରଦାର ବିରୋଧ କରାଯିବ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛୁ କେବେ ମନ୍ତ୍ରୀଙ୍କୁ ବହିଷ୍କାର କରିବେ? କୁସୁମ ଆହୁରି କହିଛନ୍ତି ଜଣଙ୍କ ନାଁରେ ଅଭିଯୋଗ ଆସୁଛି ସେ କିଭଳି ମନ୍ତ୍ରୀ ରହିବେ? କାହିଁକି ବିଧାନସଭା ଆସିବେ । ସେ ପବିତ୍ର ବିଧାନସଭାକୁ ଆସିଲେ ଗୃହ ଅପବିତ୍ର ହୋଇଯିବ ।

ଅନ୍ୟପଟେ ଉଭୟ ବିରୋଧୀଙ୍କୁ ଏହି ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର । କହିଛନ୍ତି ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାରେ ପୁରାଇ ନଦେବା କାହାର ଅଧିକାର ନାହିଁ । ସେମାନେ କେଉଁ ଅଧିକାର ନେଇ ଏହା କହୁଛନ୍ତି । ଜଣେ ଲୋକ ପ୍ରତିନିଧିର ଅଧିକାରକୁ ଯେଉଁ ମାନେ ବାଧା ଦେବେ ସେମାନେ ମଧ୍ୟ ଆଇନର ସମ୍ମୁଖିନ ହେବେ ବୋଲି ଚେତାଇ ଦେଇଛନ୍ତି ଅଶ୍ବିନୀ । ଅଶ୍ବିନୀ ଆହୁରି କହିଛନ୍ତି ବିରୋଧୀ ଯାହା ଆଭିଯୋଗ ଆଣୁଛନ୍ତି ତାକୁ ପ୍ରଥମେ ପ୍ରମାଣିତ କରନ୍ତୁ । ପ୍ରମାଣ ଯଦି ଅଛି କୋର୍ଟର ଆଶ୍ରୟ ନିଅନ୍ତୁ । ରାଜନୀତି ପାଇଁ ଏମିତି ବଦନାମ କଲେ କୌଣସି ଲାଭ ହେବ ନାହିଁ । କିଏ ପବିତ୍ର କିଏ ଅପବିତ୍ର ତାହା ସନ୍ତୋଷ ସିଂ ସାଲୁଜା କି ବିରୋଧୀଙ୍କ ଅଭିଯୋଗରେ ଧରାଯିବ ନାହିଁ । ଘଟଣା ତଦନ୍ତ ଚାଲିଛି । ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦେବେ ଆମେ ତାହା ପାଳନ କରିବୁ ବୋଲି କହିଛନ୍ତି ଅଶ୍ବିନୀ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details