ଭୁବନେଶ୍ବର: କୋଟିଆ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଚିଠିରେ ପ୍ରଦୀପ୍ତ ଲେଖିଛନ୍ତି ଯେ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳର ସମସ୍ୟା ବିଷୟରେ କହିବାକୁ ଦୁଃଖ ଲାଗୁଛି । ବର୍ତ୍ତମାନ ଆମ ରାଜ୍ୟର ସାର୍ବଭୌମ୍ୟତା ଉପରେ ପ୍ରଶ୍ନ ଉଠୁଛି। ଆମର ସୀମା ଭିତରେ ରାଜ୍ୟର ବାସିନ୍ଦା । ସେମାନେ ୪ ଦିନ ତଳେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇଛନ୍ତି । ଏହାଠାରୁ ବଡ ଚିନ୍ତାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ କଥା ରାଜ୍ୟ ପାଇଁ କିଛି ନ ହୋଇପାରେ ।
ଆମ ରାଜ୍ୟର ସୀମା ଭିତରେ ଥିବା ଅଞ୍ଚଳରେ ଆନ୍ଧ୍ର ଭାତ ବାଣ୍ଟୁଛି, ପିଲାଙ୍କ ପାଇଁ ସ୍କୁଲ ଖୋଲି ପାଠ ପଢ଼ାଇଛି, ବିଜୁଳି ଦେଇ ବିଲ୍ ଆଦାୟ କରୁଛି । ୧୯୩୬ ମସିହାରେ ଆମର ପୂର୍ବପୁରୁଷମାନେ ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଗଠନ କରି ଓଡ଼ିଆ ଜାତୀୟତାବାଦର ଯେଉଁ ଗୌରବମୟ ବାର୍ତ୍ତା ଦେଇଥିଲେ ତାହା ଉପରେ ଆଜି ଅଙ୍କୁଶ ଲାଗିଛି ।