ଭୁବନେଶ୍ବର:ରାଜ୍ୟ କ୍ୟାବିନେଟର ବିଶ୍ଵବିଦ୍ୟାଳୟ ଆଇନ ସଂଶୋଧନକୁ ନେଇ ତେଜିବାରେ ଲାଗିଛି ବିରୋଧୀଙ୍କ ସ୍ବର । ଏନେଇ ବିଜେପି ପକ୍ଷରୁ ଏକ ପ୍ରେସମିଟ ଜରିଆରେ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ବର୍ଷିଛନ୍ତି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିହାଂର କହିଛନ୍ତି ।
ଲେଖାଶ୍ରୀ କହିଛନ୍ତି କ୍ୟାବିନେଟର ଏହି ନିଷ୍ପତ୍ତି ଯୋଗୁଁ ବିଶ୍ଵବିଦ୍ୟାଳୟଗୁଡ଼ିକର ଅଟୋନମି ନଷ୍ଟ ହେବ । ଗବେଷଣା ଓ ଗୁଣାତ୍ମକ ଶିକ୍ଷାର ମାନ କମିବ। ଓପିଏସସିର ସାମର୍ଥ୍ୟ ନାହିଁ ଯେ ଶିକ୍ଷାବିତଙ୍କୁ ଚୟନ କରିବ। ସର୍ଚ୍ଚ କମିଟିରେ ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧି ରହିବେ ବୋଲି ଅଧ୍ୟାଦେଶରେ ଉଲ୍ଲେଖ ରହିଛି । ସିନେଟ ହଟାଇବା ଦର୍ଶାଉଛି କି ଏହା ପଛରେ ଏକ ଷଡଯନ୍ତ୍ର ରହିଛି। ନିଯୁକ୍ତି, କୁଳପତି ଚୟନ ଓ ବିଶ୍ଵବିଦ୍ୟାଳୟ ପରିଚାଳନାକୁ ସରକାର ନିଜ ନିୟନ୍ତ୍ରଣକୁ ଆଣିବାକୁ ଏହି ଯୋଜନା କରିଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ।
ସେହିପରି ବିଜେପିର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଏହା ତରବରିଆ ଓ ଆବଶ୍ୟକତା ବିହୀନ ନିଷ୍ପତ୍ତି । ଅଧ୍ୟାଦେଶ ଦ୍ଵାରା ନିୟମକୁ ବଦଳାଇବା କଣ ଏତେ ଜରୁରୀ ଥିଲା ବୋଲି ପ୍ରଶ୍ନ କରିଛନ୍ତି ପୃ୍ଥ୍ବୀରାଜ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଅଗଣତାନ୍ତ୍ରିକ ପ୍ରକ୍ରିୟା। ସିନେଟ ଅଚଳ ହେଲା ବୋଲି ସରକାର କହୁଛନ୍ତି। ତାକୁ କିଏ ଅଚଳ କଲା, ତାର ଉତ୍ତର ଦିଅନ୍ତୁ ସରକାର। ବିଶ୍ଵବିଦ୍ୟାଳୟର ଖର୍ଚ୍ଚର ବିବରଣୀକୁ ବିଧାନସଭାରେ ଉପସ୍ଥାପନା କରାନଯିବା ନିଷ୍ପତ୍ତି କାହା ସ୍ବାର୍ଥରେ ? ବିଶ୍ଵ ବିଦ୍ୟାଳୟକୁ ଅମଲାତନ୍ତ୍ରୀକରଣ କରିବାକୁ ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।