ଓଡିଶା

odisha

ଧୋକା ଦେଲା କାଳିଆ, ଆଶା ଦେଉଛି ପିଏମ କିଷାନ !

By

Published : Aug 11, 2020, 10:26 PM IST

ପିଏମ କିଷାନର 6ଟି କିସ୍ତିକୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ମାତ୍ର ଗୋଟିଏ କିସ୍ତି । କେନ୍ଦ୍ର ବାଣ୍ଟି ଚାଲିଛି ଆଉ ରାଜ୍ୟ ଚୁପଚାପ ଦେଖୁଛି । ଏବେ ଏମିତି ଲାଗୁଛି ସତେ ଯେମିତି କାଳିଆ ଯୋଜନା ବାଟବଣା । ଅଧିକ ଖବର ପଢନ୍ତୁ...

ଧୋକା ଦେଲା କାଳିଆ; ଆଶା ଦେଉଛି ପିଏମ କିଷାନ !
ଧୋକା ଦେଲା କାଳିଆ; ଆଶା ଦେଉଛି ପିଏମ କିଷାନ !

ଭୁବନେଶ୍ବର:ପିଏମ କିଷାନର 6ଟି କିସ୍ତିକୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ମାତ୍ର ଗୋଟିଏ କିସ୍ତି । କେନ୍ଦ୍ର ବାଣ୍ଟି ଚାଲିଛି ଆଉ ରାଜ୍ୟ ଚୁପଚାପ ଦେଖୁଛି । ଏବେ ଏମିତି ଲାଗୁଛି ସତେ ଯେମିତି କାଳିଆ ଯୋଜନା ବାଟବଣା । ଚାଷୀଙ୍କୁ କାଳିଆ ଯୋଜନାରେ କେତେ କଣ ସ୍ବପ୍ନ ଦେଖାଇଥିଲେ । ଗୋଟିଏ କିସ୍ତି ଦେଲେ ତାପୁଣି ନିର୍ବାଚନ ପୂର୍ବରୁ । ଯେମିତି ନିର୍ବାଚନ ସରିଛି ଦ୍ଵିତୀୟ କିସ୍ତି କଥା ଉଠାଇଲେ ହେଲେ ଦେଲା ବେଳକୁ ପଛାଘୁଞ୍ଚା । ଏପରିକି କେନ୍ଦ୍ର ସହିତ ଏହାକୁ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲେ ଓଡିଶା । କେତେ ଜଣ ଦ୍ଵିତୀୟ କିସ୍ତି ପାଇଛନ୍ତି ତାର ହିସାବ ଦେଉନି କୃଷି ବିଭାଗ । ସେପଟେ ପିଏମ କିଷାନ ଯୋଜନାରେ 6ଟି କିସ୍ତି ଦେଲାଣି କେନ୍ଦ୍ର। ଯାହାକି ଚାଷୀ ଭାଇଙ୍କ ପ୍ରତି କାହାର କେତେ ଦରଦ ପ୍ରମାଣିତ କରିଛି ।

ଧୋକା ଦେଲା କାଳିଆ; ଆଶା ଦେଉଛି ପିଏମ କିଷାନ !

ପାଖରେ ନାହିଁ ଧନ ପୁଅ ବାହାଘର କରିବାକୁ ମନ । ଏ ଉକ୍ତିଟି ଏବେ ରାଜ୍ୟ ସରକାର ପାଇଁ ଉଦ୍ଦିଷ୍ଟ ବୋଲି କହୁଛନ୍ତି ବିରୋଧୀ । କାଳିଆକୁ ସାହାରା କରି ରାଜ୍ୟ ସରକାର ନିଜ ଆସନ ସିନା ବଞ୍ଚାଇଲେ ହେଲେ ଚାଷୀ କୂଳ ମନରୁ ଏବେ ଲିଭିବାକୁ ବସିଲାଣି । ଏକଥା ଆମେ ନୁହେଁ ଯୋଜନାରେ ଦେଇଥିବା ପ୍ରତିଶ୍ରୁତି କହୁଛି । କାଳିଆ ଯୋଜନା ବନାମ ପିଏମ କିଷାନ ଯୋଜନା । ଚାଷୀ କୂଳ ପ୍ରତି କାହାର କେତେ, ଦରଦ ତାହା ପୁରା ଜଳଜଳ ହୋଇ ଦିଶୁଛି । ଯେଉଁଠି କାଳିଆ ଯୋଜନାରେ ଚାଷୀଙ୍କୁ ଗୋଟିଏ କିସ୍ତିର ଟଙ୍କା ମିଳିଛି ସେଠି ତାଳ ଦେଇ ପିଏମ କିଷାନ ଯୋଜନାରେ ଚାଷୀ ପାଇଲେଣି 6ଟି କିସ୍ତିର ଟଙ୍କା । ପରବର୍ତ୍ତୀ କାଳିଆ କିସ୍ତି କେବେ ମିଳିବ ତାହା ବି ଜଣାନାହିଁ । ଯାହାକୁ ନେଇ ସରକାରଙ୍କୁ ଏବେ କାଠଗଡାକୁ ଟାଣିଛନ୍ତି ବିରୋଧୀ ।

ନିର୍ବାଚନ ପୂର୍ବରୁ ଯୋଜନା ହେଲା, ଟଙ୍କା ବି ମିଳିଲା । ହେଲେ ସରକାର ଆସିବା ପରେ ଆରମ୍ଭ ହେଲା ଘଣ୍ଟା ଚକଟା । କଣ ନା ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି ଫାଇଦା। ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କାଳିଆ ଟଙ୍କା ଫେରାଇବାକୁ ମେସେଜ ଯିବା ପରେ ବିରୋଧୀ ଆଉ ଚୁପ ହୋଇ ବସିବେ କେମିତି । ଯେଉଁ ଅଧିକାରୀ ନିଧଡ କରି କହିଥିଲେ, ଯୋଗ୍ୟ ହିତାଧୀକାରୀ ହିଁ ଟଙ୍କା ପାଇଛନ୍ତି। ଏବେ ନିର୍ବାଚନ ପରେ ଅଯୋଗ୍ୟ କେମିତି ହେଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ? ସେପଟେ ବିରୋଧୀ ଦଳ ନେତା କହିଛନ୍ତି ଚାଷୀର ଆକ୍ରୋଶ ଦେଖି ୟୁ ଟର୍ଣ୍ଣ ନେଇଛନ୍ତି ସରକାର । ସେପଟେ କଂଗ୍ରେସର କହିବା କଥା, କୋଭିଡ ପାଇଁ ସ୍ଥଗିତ ରଖିବା କଥା କହୁଥିବା ସରକାର ସମ୍ପୂର୍ଣ୍ଣ ଛାଡ କରିବା କଥା କାହିଁକି କହୁନାହାଁନ୍ତି । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

କାଳିଆ ପାଇଁ ରାଜ୍ୟ ସରକାର ଭୋଟ ହାତେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ହେଲେ ଏବେ ସେହି କାଳିଆ ମୁଣ୍ଡବିନ୍ଧାର କାରଣ ହୋଇଛି । ସରକାର ଏହାକୁ ନେଇ ଏବେ ବିଚଳିତ । କାହିଁକି ନା ଚାଷୀଙ୍କୁ କିସ୍ତି ଦେବାକୁ ଟଙ୍କା ନାହିଁ । 43 ଲକ୍ଷ ଚାଷୀଙ୍କୁ ରାଜ୍ୟ ସରକାର ଦୁଇଟି କିସ୍ତିରେ 5115 କୋଟି ଟଙ୍କା ବାଣ୍ଟିଥିବା କହିଛନ୍ତି । 2020 21 ଆର୍ଥିକ ବର୍ଷରେ ରାଜ୍ୟ ବଜେଟରେ ଏନେଇ 3195 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ବାକି 2 ହଜାର କୋଟି କେଉଁଠୁ ଆସିବ ତାହା ଏବେ ମୂଳ ଚିନ୍ତା । ଏହାରି ଭିତରେ ବର୍ଷକୁ 10 ହଜାର ଦେବାକୁ ଘୋଷଣା କରିଥିବା ରାଜ୍ୟ ସରକାର 4 ହଜାର ଟଙ୍କାକୁ ହ୍ରାସ କରିଛନ୍ତି। ଆଉ ଏସବୁ ଭିତରେ ଚାଷୀକୂଳର ଭରସା କିଏ ଜିତୁଛି ତାହା ଆଗାମୀ ସମୟ କହିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details