ଭୁବନେଶ୍ବର: ପିଆଜ ବଜାରରେ ଲାଗିଛି ନିଆଁ। ଦର କମିବା ପରିବର୍ତ୍ତେ ପ୍ରତିଦିନ ଡିଆଁ ମାରି ବଢିଚାଲିଛି ଆଗକୁ ଆଗକୁ। କିଛିଦିନ ତଳେ ପିଆଜ ନିଜ ଦର ସେଞ୍ଚୁରି ମାରିଥିବା ବେଳେ ଆଜି ଆଉ ଏକ ଅର୍ଦ୍ଧଶତକ ଯୋଡିବା ନିକଟତର ହୋଇଛି। ଫଳରେ ଲୋକେ ପିଆଜ ନାଁ ଧରିବାକୁ ଏବେ ଅନେକ ବାର ଚିନ୍ତା କରୁଛନ୍ତି । ଆଉ କେତେକଙ୍କ ପରିବାର ବିନା ପିଆଜରେ ରୋଷେଇ କଲେଣି ।
ଆଗକୁ ଆହୁରି ବଢିବ ପିଆଜ ଦର । ବୁଧବାର ଭୁବନେଶ୍ବର ନୂଆ ରେକର୍ଡ କରିଛି ପିଆଜ ଦର କିଲୋ @୧୪୦, ଆଗକୁ ଏହି ଦର ୧୫୦ରୁ ୧୬୦ ଛୁଇଁପାରେ ବୋଲି ଆଶଙ୍କା କରୁଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ । ଡିସେମ୍ବର ୩୧ ଶେଷସୁଦ୍ଧା ପିଆଜ ଦର ଉଚ୍ଚା ରହିବ ବୋଲି ବ୍ୟବସାୟୀ ସଂଘ କହୁଛି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଆଜି ଭୁବନେଶ୍ବର ବଜାରରେ ପିଆଜର ଦାମ ସବୁ ରେକର୍ଡ ଭାଙ୍ଗି ୧୪୦ ପର୍ଯ୍ୟନ୍ତ ଛୁଇଁଛି। ୟୁନିଟ ୧ କ୍ୟାପିଟାଲ ହାଟରେ କିଲୋ ପ୍ରତି ୧୪୦, ୪ ନଂ ହାଟରେ ୧୩୦, ରସୁଲଗଡ କୋଚିଲେଇ ହାଟରେ ୧୨୦ ଥିଲା । ଲଗାତାର ଭାବେ ଏକ ମାସ ଧରି ଲଗାମହୀନ ଭାବେ ବଢି ଚାଲିଛି ପିଆଜ ଦର। ଆନ୍ଧ୍ରପ୍ରଦେଶର ରାଜମେହେନ୍ଦ୍ରୀ ଏବଂ ନାସିକରୁ ଆସୁଥିବା ପିଆଜ ଯୋଗୁ ଭୁବନେଶ୍ବର ବଜାର ବା ସାରା ରାଜ୍ୟରେ ପିଆଜ ମିଳୁଛି ବୋଲି ବ୍ୟବସାୟୀ ମହାସଂଘ ଯୁକ୍ତି କରୁଛନ୍ତି। ବ୍ୟବସାୟୀ ମହାସଂଘର ଯୁକ୍ତି ହେଲା ଆମଦାନୀ ହେଉଥିବା ରାଜ୍ୟର ପିଆଜ ଉତ୍ପାଦନ ସଙ୍କଟ ଥିବାରୁ ତାହାର ପ୍ରଭାବ ରାଜ୍ୟରେ ପଡୁଛି। ଯେଉଁଠି ଦୈନିକ 35ରୁ ଅଧିକ ଟ୍ରକ ପିଆଜ ଆସୁଥିଲା ଏବେ ମାତ୍ର ୨ ଟ୍ରକ ପିଆଜ ଆସୁଛି।
ସେପଟେ ଡିସେମ୍ବର ୧୫ ଭିତରେ ଅଭାବୀ ସ୍ଥିତି ସୁଧୁରିବ ବୋଲି ଆଶା କରିଛନ୍ତି ରାଜ୍ୟ କଞ୍ଚା ପରିବା ମହାସଂଘର ସଭାପତି ଗୟାଧର ସ୍ବାଇଁ। ସ୍ଥିତି ସୁଧାରିବା ପାଇଁ ସରକାର ଉଦ୍ୟମ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇନାହାଁନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ