ହାଇଦ୍ରାବାଦ: 15 ମାର୍ଚ୍ଚ, 2020 ରାଜ୍ୟରେ ଛାଇଗଲା କୋକୁଆ ଭୟ । ଚାଇନାର ମାରାତ୍ମକ ଭୂତାଣୁ, ଓଡିଶାର ରାଜଧାନୀ ଭୁବନେଶ୍ବରରେ ଆସି ପହଞ୍ଚି ସାରିଥିଲା । ବଡଗଡର ଜଣେ ଯୁବକଙ୍କ ଦେହରେ ଚିହ୍ନଟ ହୋଇଥିଲା କୋରୋନା ଭୂତାଣୁ । ପ୍ରଥମ ପ୍ରବାସୀ ଓଡିଆ ସଂକ୍ରମଣର ହୋଇଥିଲେ ଶିକାର । ପରେ ପରେ ଓଡିଶାରେ ବ୍ୟାପିଗଲେ ତବଲିଗୀ ଜମାତୀ କୋରୋନା ସଂକ୍ରମିତ । ଗୋଟିଏ ପରିବାରର 15 ଜଣ ଆକ୍ରାନ୍ତ ଚିହ୍ନଟ ହେବା ସାରା ରାଜ୍ୟରେ ଖେଳିଗଲା ଆତଙ୍କ । ବଢିବାକୁ ଲାଗିଲା ସ୍ଥାନୀୟ ସଂକ୍ରମଣ । ଦେଖୁଦେଖୁ ଆଖି ପିଛୁଳାକେ କୋରୋନାର ହଟସ୍ପଟ ପାଲଟିଗଲା ସ୍ମାର୍ଟସିଟି ।
ନାକେଦମ କଲା ଭାଇରସ୍, କଲବଲ ହେଲେ ସାଢେ ଚାରି କୋଟି
ଓଡିଶାରେ ଅଦୃଶ୍ୟ ଭାଇରସ କୋରୋନାକୁ ବର୍ଷେ, ହେଲେ ଏବେ ବି ଟଳିନି ଭୟାବହତା। ସାଢେ ଚାରି କୋଟି ଓଡିଆଙ୍କ ଜୀବନ ଏବେ ଭାଇରସରେ ମୁହଁରେ । ଟିକା ଆସିଛି ସତ କିନ୍ତୁ ଟିକିଏ ସଚେତନତା ଓ ସତର୍କତା ନିହାତି ଜରୁରୀ । ଅଧିକ ପଢନ୍ତୁ...
ରାଜ୍ୟର ପ୍ରଥମ କଣ୍ଟେନମେଣ୍ଟ ଜୋନ୍ ପାଲଟିଥିଲା ସୂର୍ଯ୍ୟନଗର । ଦ୍ବିତୀୟରେ ଚର୍ଚ୍ଚାକୁ ଆସିଲା ବମିଖାଲ୍ । ଗୋଟିଏ ଦିନରେ ଜଣକ ପରେ ଜଣେ ପରିବାର ସଦସ୍ୟ ବାହାରିଲେ କୋରୋନା ସଂକ୍ରମିତ । ଏହାପରେ ପ୍ରାୟ 15ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ମାର୍ଚ୍ଚ 21ରେ ରାଜ୍ୟରେ ଦିନକ ପାଇଁ ଲାଗିଲା ଲକଡାଉନ୍ ପରେ 22 ରେ କେନ୍ଦ୍ର ସରକାର ଘୋଷଣା କରିଦେଲେ ଜନତା କର୍ଫ୍ୟୁ । ବାସ୍ ଆରମ୍ଭ ହୋଇଗଲା ଲକଡାଉନ୍ ଓ ସଟଡାଉନ୍ ଖେଳ । ରାଜ୍ୟରେ ବଢିବାକୁ ଲାଗିଲା ପ୍ରବାସୀଙ୍କ ସଂଖ୍ୟା ଆଉ ଗତି ଧରିଲା କୋରୋନା । ଡବଲ୍ ଡିଜିଟ୍ କରିବାକୁ ଦେବୁନି ବୋଲି କହୁଥିବା ସରକାର ଆଉ ଅଟକାଇ ପାରିଲେନି କୋରୋନାର ସୁଅକୁ । ଧିରେ ଧିରେ ରାଜଧାନୀରୁ ଅନ୍ୟ ଜିଲ୍ଲାକୁ ବ୍ୟାପିଲା ସଂକ୍ରମଣ । ଆଉ ଗଞ୍ଜାମ ପାଲଟିଗଲା କୋଭିଡର ପେଣ୍ଠସ୍ଥଳୀ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3 ଲକ୍ଷ 38 ହଜାର 192 କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । କେବଳ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବରରେ ହିଁ 26 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯେଉଁ ମାତ୍ରାରେ ସଂକ୍ରମଣ ବଢୁଥାଏ, ସେହି ମାତ୍ରାରେ ମୃତ୍ୟୁ ସଂଖ୍ୟା ବି ବଢୁଥାଏ । ଦିନ ହେଉ କି ରାତି ଲିଭୁନଥିଲା ମଶାଣି ଜୁଇ । ତେବେ ସାଢେ 3 ମାସରେ ଅଢେଇ ହଜାରରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତଙ୍କୁ ଦାହ କରିଛି ସତ୍ୟନଗର ମଶାଣି..
ଆଜି କୋଭିଡ ସଂକ୍ରମଣକୁ ବର୍ଷେ ପୁରିଛି ମାତ୍ର ଏବେ ବି ରାଜ୍ୟବାସୀଙ୍କ ମନରେ ସତେଜ ମହାମାରୀ । ଏବେ ବି ଟଳିନି ସଂକ୍ରମଣର ଭୟବହତା, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଛନ୍ତି ଚେତାବନୀ । ସଂକ୍ରମଣକୁ ହେୟଜ୍ଞାନ ନକରି ସତର୍କ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ବିରୁଦ୍ଧରେ ଲଢେଇରେ ଆମେ ବହୁ ଯୋଦ୍ଧାଙ୍କୁ ହରାଇଛୁ ଆଉ ଏବେବି 33 ଲକ୍ଷରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟକର୍ମୀ ଆଗଧାଡିରେ ରହି ଲଢେଇ ଜାରି ରଖିଛନ୍ତି । ବର୍ତ୍ତମାନ ସବୁ ସ୍ବଭାବିକ ସ୍ଥିତିକୁ ଫେରୁଥିଲେ ବି ଆବଶ୍ୟକତା ରହିଛି ସତର୍କତାର । ଭ୍ୟାକ୍ସିନ ଆସିଛି ସତ ହେଲେ କେବଳ ସଚେତନ ଦ୍ବାରା ହିଁ ଆମେ ଏହି ଅଦୃଶ୍ୟ ଶତ୍ରୁକୁ ଦମନ କରିବାରେ ସଫଳ ହେବା ବୋଲି ରହିଛି ବିଶ୍ବାସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ