ଓଡିଶା

odisha

ETV Bharat / city

ରାଜ୍ୟରେ ‘ଗୋଟିଏ ଦେଶ-ଗୋଟିଏ ରାସନ’ କାର୍ଯ୍ୟକ୍ରମ ଆରମ୍ଭ - ଗୋଟିଏ ଦେଶ, ଗୋଟିଏ ରାସନ

ଓଡିଶାର ସବୁ ଜିଲ୍ଲାରେ 'ଗୋଟିଏ ଦେଶ-ଗୋଟିଏ ରାସନ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ରାସନ ପାଇପାରିବେ । ଅଧିକ ପଢନ୍ତୁ...

ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରାସନ’ କାର୍ଯ୍ୟକ୍ରମ ଆରମ୍ଭ
ରାଜ୍ୟରେ ‘ଗୋଟିଏ ଦେଶ, ଗୋଟିଏ ରାସନ’ କାର୍ଯ୍ୟକ୍ରମ ଆରମ୍ଭ

By

Published : Jul 29, 2021, 8:48 PM IST

Updated : Jul 30, 2021, 11:53 AM IST

ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ସବୁ ଜିଲ୍ଲାରେ 'ଗୋଟିଏ ଦେଶ-ଗୋଟିଏ ରାସନ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ରାସନ ପାଇପାରିବେ । ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ । ମାଲକାନଗିରି ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପାଇଲଟ୍‌ ପ୍ରକଳ୍ପ ଭାବରେ ଏହାକୁ ଆରମ୍ଭ କରାଯାଇଛି । ବ୍ରହ୍ମପୁରରେ ଏହାର ମଧ୍ୟ ଶୁଭାରମ୍ଭ କରାଯାଇଛି । ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ରାଧାକୃଷ୍ଣ ସାହିରେ ଏହାର ଶୁଭାରମ୍ଭ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ମଞ୍ଚାସୀନ ରହି ଭିଡିଓ କନଫରେନ୍ସ ମୁଖ୍ୟମନ୍ତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତରେ ଏହାର ଶୁଭାରମ୍ଭ କରିଥିଲେ ।

ରାଜ୍ୟରେ ‘ଗୋଟିଏ ଦେଶ-ଗୋଟିଏ ରାସନ’ କାର୍ଯ୍ୟକ୍ରମ ଆରମ୍ଭ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧ ଟଙ୍କାରେ କେଜିଏ ଚାଉଳ ମିଳିବା ଦ୍ବାରା ଗରିବ ଲୋକଙ୍କର ଖାଦ୍ୟ ନିରାପତ୍ତା ମଜବୁତ ହୋଇଛି । ରାଜ୍ୟ ସରକାର ମାଗଣାରେ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରିଛନ୍ତି । ସ୍ବାସ୍ଥ୍ୟ ସୁବିଧା ପାଇଁ ସବୁ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କ ପାଇଁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତା ସହିତ ଗରିବ ଲୋକଙ୍କ ପାଇଁ ବିଭିନ୍ନ ରୋଜଗାର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ମଧ୍ୟ ଗରିବ ପରିବାରର ମା'ମାନଙ୍କୁ ରୋଜଗାର ଦେଇଛି । ଚାଷୀଙ୍କ ପାଇଁ କାଳିଆ ଯୋଜନା ସାରା ଦେଶରେ ଆଦର ଲାଭ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।



କୋଭିଡ ମହାମାରୀରେ ବହୁ ଲୋକ ବିଶେଷକରି, ଗରିବ ଖଟିଖିଆଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପକାଇଛି । ତେଣୁ ଗରିବ ଲୋକ, ଚାଷୀ, ମହିଳା, ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କାର ସହାୟତା ଦେଇଛନ୍ତି । ଆମର ଏହିସବୁ କାର୍ଯ୍ୟକ୍ରମ ଗରିବ ଲୋକର ସାମାଜିକ ସ୍ଥିତିରେ ଉନ୍ନତି ଆଣିଛି ବୋଲି କହିଛନ୍ତି ନବୀନ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଅଧିନରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି । ଖାଦ୍ୟ ସୁରକ୍ଷାରେ ଓଡିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଏ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବକୁ ସେ ପ୍ରଶଂସା କରିଛନ୍ତି । ମାଲକାନଗିରିଠାରେ ଉପସ୍ଥିତ ରହି ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଭିଟାମିନଯୁକ୍ତ ଚାଉଳ ମାଲକାନଗିରିର ଜନସାଧାରଣଙ୍କ ପୁଷ୍ଟି ସୁରକ୍ଷାରେ ସହାୟକ ହୋଇପାରିବ । ଗରିବ ଓ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିମୂଳକ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଛନ୍ତି ତୁଷାରକାନ୍ତି ।



ସେହିପରି ବ୍ରହ୍ମପୁରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଯୋଗୁ ଓଡିଶା ଆଜି ଅନେକ କାର୍ଯ୍ୟକ୍ରମରେ ସାରା ଦେଶ ତଥା ଅନ୍ୟ ରାଜ୍ୟଗୁଡିକ ପାଇଁ ଆଦର୍ଶ ହୋଇପାରିଛି । ଓଡିଶାର ମୁଖ୍ୟମନ୍ତ୍ରୀ ଆଜି ଯାହା କରୁଛନ୍ତି, ସାରା ଦେଶ ତାକୁ ଗ୍ରହଣ କରୁଛି ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ଭୁବନେଶ୍ବର କେନ୍ଦ୍ର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ । ପୂର୍ବରୁ ଭୁବନେଶ୍ବର ସହରରେ ପାଇଲଟ ପ୍ରୋଜେକ୍ଟ ଭାବରେ ୱାନ ନେସନ, ୱାନ ରେସନ ଯୋଜନା କାର୍ଯ୍ୟକାରୀ ହୋଇଛି ।



ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଭି.ଭି ଯାଦବ ସ୍ବାଗତ ଭାଷଣ ଦେଇଥିବାବେଳେ ବିଭାଗର ଅତିରିକ୍ତ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌. କେ. ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।


'ଟଙ୍କିକିଆ ଚାଉଳ ଗରିବ ଲୋକଙ୍କ ସାମାଜିକ ସ୍ଥିତିରେ ଉନ୍ନତି ଆଣିଛି'

ଖାଦ୍ୟ ସୁରକ୍ଷା ସରକାରଙ୍କର ସବୁଠାରୁ ବଡ ଜନକଲ୍ୟାଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ ଲକ୍ଷ ପରିବାର ଓ ସାଢେ ୩ କୋଟି ଲୋକ ଉପକୃତ ହେଉଛନ୍ତି । ୨୦୦୮ରେ ରାଜ୍ୟ ସରକାର କେଜି ୨ ଟଙ୍କାରେ ଓ ୨୦୧୩ରୁ କେଜି ୧ ଟଙ୍କାରେ ଚାଉଳ ଯୋଗାଇ ଆସୁଛନ୍ତି । ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।


'ସ୍ବାଭିମାନର ସହ ବଞ୍ଚିବା ଲାଗି ଗରିବଙ୍କୁ କେହି ବଞ୍ଚିତ କରିପାରିବ ନାହିଁ'

ସ୍ବାଭିମାନର ସହ ବଞ୍ଚିବା ସମସ୍ତଙ୍କର ଅଧିକାର । ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବ ନାହିଁ । ଆମର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଅଧିକାରକୁ ଆମେ ସବୁବେଳେ ସମ୍ମାନ ଜଣାଇଆସିଛୁ । ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମର ଉଦ୍ୟମ ଜାରି ରହିବ ।’ ଭିଟାମିନଯୁକ୍ତ ଚାଉଳରେ ଭିଟାମିନ ବି-୧୨ ଓ ଫୋଲିକ୍‌ ଏସିଡ ଥିବାରୁ ଏହା ଗରିବ ଲୋକମାନଙ୍କ ସହତି ବିଶେଷକରି ମହିଳା ଓ ବାଳିକାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ବହୁତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 30, 2021, 11:53 AM IST

ABOUT THE AUTHOR

...view details