ଭୁବନେଶ୍ବର: ସୋମବାର ବିଜେପିର ଭର୍ଚୁଆଲ ରାଲିକୁ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଟେକ୍ନୋଲୋଜି ଜରିଆରେ ଡିଜିଟାଲ ପ୍ଲାଟଫର୍ମରେ ଏକାଠି ହେବେ କର୍ମୀ ଓ ନେତା । ଏଥିପାଇଁ ସୋସିଆଲ ମିଡିଆରେ କର୍ମୀଙ୍କୁ ଏକାଠି କରିବାରେ ଲାଗିଛି ଦଳ । ଅତି କମରେ କୋଟିଏ କର୍ମୀ ଯୋଡି ହେବେ ଏହି ବ୍ୟବସ୍ଥାରେ ଯୋଡି ହେବାନେଇ ଅନୁମାନ କରାଯାଉଛି । ତେବେ ଏହି ରାଲି ପାଇଁ ଦିଲ୍ଲୀରେ ଗୋଟିଏ ମଞ୍ଚ ହେବ, ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହା ରହିବେ । ଆଉ ରାଜ୍ୟ କାର୍ଯ୍ୟାଳୟରେ ସାମାଜିକ ଦୂରତା ବଜାୟ ରଖି ଆୟୋଜିତ ମଞ୍ଚରେ ଉପସ୍ଥିତ ରହିବେ ରାଜ୍ୟ ବିଜେପି ସଭାପତି ।
କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ବତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଓଡିଶା ପାଇଁ ମଧ୍ୟ ମୋଦି ସରକାର ଏହି ଗୋଟିଏ ବର୍ଷରେ ଅନେକ ନିଷ୍ପତି ନେଇଛନ୍ତି । ତେବେ ସରକାର ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ପାଇଁ କଣ କରିଛନ୍ତି ତାର ହିସାବ ଦେବେ ଶାହା । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ସମ୍ଭୋଧିତ କରିବେ । ରାଜ୍ୟର ସମସ୍ତ ବିଜେପି କର୍ମୀଙ୍କ ସମେତ ରାଜ୍ୟବାସୀ ଭିଡିଓ ଲିଙ୍କ ମାଧ୍ୟମରେ ଏହି ଭର୍ଚୁଆଲ ରାଲିରେ ସାମିଲ ହୋଇ ପାରିବେ ।