ଭୁବନେଶ୍ବର: ଟିକା ନେବାକୁ ମନାକଲେ ମିଳିବନି ମାଗଣା ଟିକା। ଏକଥା ସଫାସଫା ଶୁଣାଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ଯେଉଁମାନେ ଟୀକାକରଣ ପାଇଁ ମନା କରି ଦେଉଛନ୍ତି ତାଙ୍କୁ ପରବର୍ତ୍ତୀ ସମୟରେ ମାଗଣାରେ ଆଉ ଟିକା ଦିଆଯିବ ନାହିଁ ବୋଲି ବିଜୟ ପାଣଗ୍ରାହୀ କହିଛନ୍ତି। ବର୍ତ୍ତମାନ ଦିଆଯାଉଥିବା ଟିକା କରଣରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନାହିଁ।
ତେବେ କୋଭିଡ ଭ୍ୟାକ୍ସିନର ଦ୍ବିତୀୟ ଦିନର ଟିକାକରଣ ସଫଳ ହୋଇଛି । ଗତକାଲି ୩୭୫ ସେସନ ସାଇଟ ପାଇଁ ୩୧ ହଜାର ୯୦୨ ଜଣଙ୍କୁ ଟିକା ଦେବା ଲାଗି ଟାର୍ଗେଟ କରାଯାଇଥିଲା । ଏହି ଟାର୍ଗେଟରୁ ଅଧିକ ୩୨ ହଜାର ୫୨୬ ଜଣଙ୍କୁ ଟିକା ଦିଆଯାଇଛି । ଗତକାଲି ୧୦୨ ପ୍ରତିଶତ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି।
ଟିକା ନେବାକୁ ମନାକଲେ ମିଳିବନି ମାଗଣା ଟିକା: ବିଜୟ ପାଣିଗ୍ରାହୀ ଆଜି ଅନ୍ୟ ଭ୍ୟାକ୍ସିନ କାର୍ଯ୍ୟକ୍ରମ ଥିବାରୁ କିଛି ସେସନ ସାଇଟ କମ କରି ୧୯୨ ସେସନ ସାଇଟରେ ଟିକାକରଣ ହେବ । ଏ ପର୍ଯ୍ୟନ୍ତ କାହାରି ପାଖରେ କୌଣସି ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନାହିଁ । ଦୁଇ ଦିନରେ ସର୍ବମୋଟ ୭ ଜଣଙ୍କ ସାମାନ୍ୟ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ କର୍ମୀ ଲାଗି ଟିକା ମହଜୁଦ୍ ହୋଇଗଲା ।
ଦୁଇଟି ଫେଜରେ ଯେତିକି ଟିକା ଆସିଛି ତାହା ଆମର ସମସ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଦୁଇଟି ଡୋଜ ହିସାବରେ ପର୍ଯ୍ୟାପ୍ତ । ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଅନୁରୋଧ କରୁଛୁ ସମସ୍ତେ ଆଗକୁ ଆସି ଟିକା ନିଅନ୍ତୁ । ରାଜ୍ୟରେ ଆଜି ୩ ଲକ୍ଷ ୩୪ ହଜାର ୫୩୪ ଟୀକା ପହଞ୍ଚିବ । ଅପରାହ୍ନ ୪ଟା ୨୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ଟୀକା ପହଞ୍ଚିବ। ସୁରକ୍ଷା ଭିତରେ ଭ୍ୟାକ୍ସିନେସନ ଷ୍ଟୋରରେ ରହିବ । ତିନି ଦିନ ପରେ ଟିକାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ