ଭୁବନେଶ୍ବର: ଗୁରୁ-ଗମ୍ଭୀର ସଂଳାପ ଯାହାଙ୍କ ପରିଚୟ । କିନ୍ତୁ ସେ ଆଜି ମଉନ ବ୍ରତ ଶୋଇ ଯାଇଛନ୍ତି ଚିର ନିଦ୍ରାରେ । ଗତ ଜୁଲାଇ 20 ତାରିଖରେ ଓଡିଆ ଚଳଚିତ୍ର ଜଗତ ଓ ମଞ୍ଚ ନାଟକକୁ ପର କରି ଆରପାରିକୁ ଚାଲି ଯାଇଛନ୍ତି ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ତେବେ ଓଲିଉଡର ଏହି ଅପୂରଣୀୟ କ୍ଷତି ପରେ ବିଜୟଙ୍କୁ ମରଣୋତ୍ତର ଭାବେ ପଦ୍ମ ସମ୍ମାନ ଦେବା ପାଇଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଦାବି ହୋଇଛି ।
ସ୍ବର୍ଗତ ବିଜୟ ମହାନ୍ତିଙ୍କ ପାଇଁ ପଦ୍ମ ସମ୍ମାନ ଦାବି କଲା ଓଲିଉଡ
ବର୍ଷିୟାନ ଅଭିନେତା ବିଜୟ ମହାନ୍ତିଙ୍କୁ ମରଣୋତ୍ତର ଭାବେ ପଦ୍ମ ସମ୍ମାନ ଦେବା ପାଇଁ ଓଲିଉଡର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଦାବି ହୋଇଛି ।
ତେବେ କଳାପ୍ରେମୀମାନେ ନିଜ ନିଜ ପ୍ରଚେଷ୍ଟାରେ ଉଦ୍ୟମ ଆରମ୍ଭ କରିଛନ୍ତି । ବିଜୟଙ୍କୁ ପଦ୍ମ ପୁରସ୍କାର ମିଳିଲେ ଏହା ରାଜ୍ୟ ପାଇଁ ଏବଂ କଳା ଓ ସଂସ୍କୃତିର ମର୍ଯ୍ୟାଦା ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଅଭିନେତା ଅଜିତ୍ ଦାସ । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ତେଣୁ ଓଲିଉଡର କିଛି ବ୍ୟକ୍ତି ବିଶେଷମାନେ ବିଭିନ୍ନ ଫୋରମରେ ଦାବି ରଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀଙ୍କୁ ଜଣାଇଛନ୍ତି ।
ସୂଚନାଯୋଗ୍ୟ କି, ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ଗତ ଜୁଲାଇ 20 ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ସେ କେବଳ ଜଣେ ସିନେ କଳାକାର ନୁହେଁ ବରଂ ଓଡ଼ିଶାରେ ମଞ୍ଚ ନାଟକର ଜଣେ ବିନ୍ଧାଣି ଥିଲେ । ଏହା ଛଡା ସେ ଜଣେ ଶିକ୍ଷକ, ଅଧ୍ୟକ୍ଷ ଓ ଭଲ ସଂଗଠକ ମଧ୍ୟ ଅଟନ୍ତି । ତାଙ୍କର ପ୍ରଚେଷ୍ଟାରେ ଓଡିଶା ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗ ଆରମ୍ଭ କରାଯାଇଥିଲା ଓ ସେହି ବିଭାରେ ଶିକ୍ଷକ ହିସାବରେ ଅନେକ ସୁନାମଧନ୍ୟ କଳାକାର ଗଢିଛନ୍ତି । ଏଥି ସହିତ 2014ରେ ଭୁବନେଶ୍ବରରୁ ସାଂସଦ ଆସନ ପାଇଁ କଂଗ୍ରେସ ପକ୍ଷରୁ ଲଢିଥିଲେ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ