ଭୁବନେଶ୍ବର:ବର୍ଷ 2020 ଲୋକଙ୍କୁ ଅନେକ ଶିକ୍ଷା ଦେଲା। ଦୁଃଖ ଯନ୍ତ୍ରଣା ଭିତରେ ମଣିଷ ବଞ୍ଚିବା ଶିଖିବା ସହ କିପରି ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ହୁଏ ତାହା ମଧ୍ୟ ଶିଖିଛି। ଏହି ସମୟରେ ଲୋକଙ୍କୁ ହସର ଖୋରାକ ବାଣ୍ଟୁଥିବା ଅଭିନେତା ମାନେ ମଧ୍ୟ ଦୁଃଖରେ ମ୍ରିୟମାଣ ହୋଇଛନ୍ତି । ଏହାରି ଭିତରେ ଓଲିଉଡର କିଛି ଅଭିନେତା ଓ ଅଭିନେତ୍ରୀ 2020ର କିଛି ଅଭୁଲା ସ୍ମୃତି, ଅଭିଜ୍ଞତା ଆମ ସହ ବାଣ୍ଟିଛନ୍ତି ।
ହାସ୍ୟ ଅଭିନେତା ଶଙ୍କର କୁହନ୍ତି ଏହି 2020 ବର୍ଷ ସମସ୍ତଙ୍କୁ ଦୁଃଖ ଦେଇଯାଇଛି । କିନ୍ତୁ ଏହାସହ କିପରି ଆଗକୁ ବଢିବା ଓ ଶକ୍ତି, ସାହାସ ମଧ୍ୟ ଶିଖେଇ ଦେଇଛି ଏହି ବର୍ଷ । ବର୍ଷ 20 ଅନେକ ଅନେକ ଗର୍ବ ଓ ଅହଙ୍କାରକୁ ଧୂଳିସାତ କରି ଦେଇଛି । ମୃତ୍ୟୁ କୌଣସି ବି ମୁହୂର୍ତ୍ତରେ ଆସି ଜୀବନ ନେଇ ଯିବାର ସମତେ ଦେଖିଛନ୍ତି । ତେଣୁ ମଣିଷ ମନରୁ ଗର୍ବ ଓ ଅହଙ୍କାରକୁ କାଢି ଦେଇ ସମସ୍ତଙ୍କ ସହ ମିଳିମିଶି ହସଖୁସିରେ ବଞ୍ଚିବା ଶିଖୁ । ସାନକୁ ଆଦର ଓ ବଡ଼ଙ୍କୁ ସମ୍ମାନ ଦେଲେ ପୃଥିବୀ ସୁନା ପାଲଟିଯିବ ବୋଲି ଉଭୟ ହାସ୍ୟ କଳାକାର ଶଙ୍କର ଓ ପ୍ରଜ୍ଞା କହିଛନ୍ତି । 2020 ଯେତିକି ଦୁଃଖ ଦେଇଛି 2021 ତାହାକୁ ଦୁରେଇ ନେଇ କେବଳ ଖୁସି ଭରି ଦେଉ ବୋଲି ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିଛନ୍ତି ଉଭୟ କଳାକାର।
ବର୍ଷ 2020 ଇତିହାସ ପୃଷ୍ଠାରେ ଏକ ଅଭିଶପ୍ତ ବର୍ଷ ହୋଇ ରହିବ। ଏହା ଏଭଳି ଦୁଃଖ, କଷ୍ଟ ଓ ଯନ୍ତ୍ରଣାରେ ସାରା ବିଶ୍ୱବାସୀଙ୍କୁ ଜର୍ଜରିତ କରି ରଖିଛି ତାହାକୁ ମଣିଷ ମରିବା ପର୍ଯ୍ୟନ୍ତ ମନେ ରଖିବ। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି କୋରୋନା ମହାମରୀର ଭାଇରସକୁ ନିପାତ କରିବା ପାଇଁ ପାର୍ଥନା କରିବା ନୂଆ ବର୍ଷରେ ସମସ୍ତଙ୍କ ଜୀବନରେ ନୂଆ ସକାଳ ଆଣିବାକୁ ଗୁହାରୀ କରିଛନ୍ତି । ତେବେ ପ୍ରତିବର୍ଷ ସେ ନୂଆ ବର୍ଷ ପାଳନ ପାଇଁ ଛୁଟି ନେଉଥିବା ବେଳେ ଏଥର ସେ ତାହା ନକରି କାର୍ଯ୍ୟ କରିବେ ବୋଲି କହିଛନ୍ତି । ପୂର୍ବ ବର୍ଷ ମାନଙ୍କ ଭଳି ଭଲ ଅଭିନୟ କରି ଦର୍ଶକଙ୍କ ମୁହଁରେ ହସ ଫୁଟାଇବାକୁ ଚାହାଁନ୍ତି ବୋଲି ବବି ମିଶ୍ର କହିଛନ୍ତି।
2020 ଭଳି ବର୍ଷ ଜୀବନରେ ଆଉ କେବେ ବି ନଆସୁ । ଯାହା ଏପରି ଯନ୍ତ୍ରଣା ଓ ଭୟପ୍ରଦ। ଏହି ବର୍ଷ ଦେଶ ଓ ରାଜ୍ୟରୁ ଅନେକ କଳାକାରଙ୍କୁ ଆମ ଠାରୁ ଛଡେଇ ନେଇଛି । ଯାହାକି ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏହି ଅଭିନେତ୍ରୀ ଜିନ୍ନା ସାମଲ।