ଭୁବନେଶ୍ବର:୨୦ ଦିନ ହେଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ ପ୍ରକାଶ ପାଇଲାଣି । ବିଭିନ୍ନ ପାଠ୍ୟକ୍ରମରେ ଯୋଗ୍ୟ ଛାତ୍ରଛାତ୍ରୀ ରାଙ୍କ କାର୍ଡ ପାଇ ସାରିଛନ୍ତି । ମାତ୍ର କାଉନସେଲିଂ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଉଚ୍ଚଶିକ୍ଷା ପାଇଁ ବାଟ ଫିଟୁନାହିଁ । କେବେ କାଉନସେଲିଂ ହେବ ସେନେଇ କୌଣସି ଉତ୍ତର ନାହିଁ । ଇଞ୍ଜିନିୟରିଂ ପାଠ୍ୟକ୍ରମ ଲାଗି କାଉନସେଲିଂ ହେଲା ବେଳକୁ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ହୋଇପାରେ । ଏମବିଏ, ଏମ୍ସିଏ, ବି.ଫାର୍ମା ପରି ପାଠ୍ୟକ୍ରମ ଲାଗି ହେବାକୁ ଥିବା କାଉନସେଲିଂ ସମୟକୁ ନେଇ ଏବେ ଅନିଶ୍ଚିତତା ଲାଗି ରହିଛି । କାରଣ ଉକ୍ତ ପାଠ୍ୟକ୍ରମଗୁଡ଼ିକ ପାଇଁ ଆବଶ୍ୟକୀୟ ଯୋଗ୍ୟତା ପାଠ୍ୟକ୍ରମର ପରୀକ୍ଷା ଫଳ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ । ବିଶ୍ବବିଦ୍ୟାଳୟ, କଲେଜ ଗୁଡ଼ିକର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶରେ ବିଳମ୍ବ ହେଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡିଛନ୍ତି ।
ସୂଚନା ଅନୁଯାୟୀ, ଜେଇଇ ଆଡଭାନ୍ସଡ୍ ଲାଗି ପଞ୍ଜୀକରଣ ଆରମ୍ଭ ହୋଇଛି । ଅଗଷ୍ଟ ୨୮ ରେ ଆଡଭାନ୍ସଡ୍ ପରୀକ୍ଷା କରାଯିବ। ସେପ୍ଟେମ୍ବରରେ ଫଳ ପ୍ରକାଶ ପାଇବା ସହ ଏହାପରେ ସର୍ବଭାରତୀୟ ଇଞ୍ଜିନିୟରିଂ କାଉନସେଲିଂ ଆରମ୍ଭ ହେବ । ପରେ ଓଜେଇଇ କାଉନସେଲିଂ କରିବ ବୋଲି ଜଣାପଡ଼ିଛି । ଅର୍ଥାତ୍ ଆସନ୍ତା ଏକ ମାସ ମଧ୍ୟରେ ଇଞ୍ଜିନିୟରିଂ କାଉନସେଲିଂ ହେବାର ନାହିଁ । ଏଭଳି ବିଳମ୍ବକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଶିକ୍ଷାବର୍ଷ ପୁଣିଥରେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି ।