ଓଡିଶା

odisha

ETV Bharat / city

ଶୁକ୍ରବାରଠୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା - ଯୁକ୍ତ-୨ ପରୀକ୍ଷା

ଶୁକ୍ରବାରଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା । ଆସେସମେଣ୍ଟ ଆଧାରରେ ପ୍ରକାଶ ପାଇଥିବା ରେଜଲ୍ଟରେ ଅସନ୍ତୋଷ ହୋଇଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ଅଧିକ ପଢ଼ନ୍ତୁ...

ଆସନ୍ତା କାଲିଠୁ ଯୁକ୍ତ-୨ ଅଫଳାଇନ ପରୀକ୍ଷା
ଶୁକ୍ରବାରଠୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା

By

Published : Sep 30, 2021, 4:59 PM IST

Updated : Sep 30, 2021, 5:07 PM IST

ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର) ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷା । ଆସେସମେଣ୍ଟ ଆଧାରରେ ପ୍ରକାଶ ପାଇଥିବା ରେଜଲ୍ଟରେ ଅସନ୍ତୋଷ ହୋଇଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । 11 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଫ୍‌ଲାଇନ୍‌ ପରୀକ୍ଷା ।

ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଫ୍‌ଲାଇନ ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । 3ଟି ଯାକ ବିଭାଗର ପରୀକ୍ଷା ହେବ। ସାରା ରାଜ୍ୟରୁ ଅଫ୍‌ଲାଇନ୍‌ ପରୀକ୍ଷା ଦେବେ 13 ହଜାର 43 ଜଣ ଛାତ୍ରଛାତ୍ରୀ । କଳାରେ 9 ହଜାର 144 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ବିଜ୍ଞାନରେ 2 ହଜାର 311 ଜଣ, ବାଣିଜ୍ୟରେ 622 ଜଣ, ଧନ୍ଦାମୂଳକ ଶିକ୍ଷାରେ 440 ଜଣ ଏବଂ କରେସପଣ୍ଡାଣ୍ଟ କୋର୍ସରେ 526 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ 185ଟି ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।

ଗଞ୍ଜାମରେ ସର୍ବାଧିକ 14 ଟି ସେଣ୍ଟର ହୋଇଥିବା ବେଳେ କଟକରେ 12ଟି, ବାଲେଶ୍ବରରେ 10ଟି ଏବଂ ରାଜଧାନୀ ଭୁବନେଶ୍ବରରେ 3ଟି ପରୀକ୍ଷା ସେଣ୍ଟର ହୋଇଛି । କଣ୍ଟାବାଞ୍ଝିରେ ଗୋଟିଏ ସ୍କୁଲରେ ସର୍ବାଧିକ 215 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସୁନ୍ଦରଗଡ଼ କୋଇଡାରେ ମାତ୍ର 5 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଉଛି ।


ଷ୍ଟ୍ରଙ୍ଗରୁମରେ 24 ଘଣ୍ଟିଆ ସିସିଟିଭି ନଜରରେ ରହିଛି ପ୍ରଶ୍ନପତ୍ର । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଭୌତିକ ବିଜ୍ଞାନ(physics) ପରୀକ୍ଷା ହେବ। ସେହି ବିଷୟର ନମ୍ବର ଆଧାରରେ ଅନ୍ୟ ବିଷୟ ଗୁଡିକ ମାର୍କିଂ କରାଯାଇ ଫଳ ପ୍ରକାଶ ପାଇବ । ଦିନକୁ ଗୋଟିଏ ସିଫ୍ଟରେ ହିଁ ହେବ ପରୀକ୍ଷା। ଦିନ 10ଟା ରୁ 1ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । 9ଟା 15 ମିନିଟରେ ଯାଞ୍ଚ ପରେ ପରୀକ୍ଷା ହଲ୍‌ ଭିତରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । ପରୀକ୍ଷା ହଲ୍‌ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ହାତ ସାନିଟାଇଜେସନ କରିବେ ପରୀକ୍ଷାର୍ଥୀ । ଏହାସହ ପିଇବା ପାଣି ନିଜ ସାଙ୍ଗରେ ପରୀକ୍ଷା ହଲକୁ ନେଇ ପାରିବେ ପରୀକ୍ଷାର୍ଥୀ ।


ଅନ୍ୟପଟେ ପରୀକ୍ଷାକୁ କପିମୁକ୍ତ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରିଛି CHSE । ସେଣ୍ଟ୍ରାଲ ସ୍କ୍ବାର୍ଡ ସହ ଜିଲ୍ଲା ସ୍ତରରେ ଅଚାନକ ଚେକିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ନଭେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ୍‌ଲାଇନ୍‌ ପରୀକ୍ଷା ଫଳ । ପରୀକ୍ଷାରେ ଯେଉଁ ରେଜଲ୍ଟ ଛାତ୍ରଛାତ୍ରୀ ପାଇବେ ତାକୁ ହିଁ ଚୂଡ଼ାନ୍ତ ରେଜଲ୍ଟ ବୋଲି ଗ୍ରହଣ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 30, 2021, 5:07 PM IST

ABOUT THE AUTHOR

...view details