ଭୁବନେଶ୍ୱର: ବାମ ଦଳ ସହିତ କଂଗ୍ରେସର ଆସନ ବୁଝାମଣା ଚୂଡାନ୍ତ ହୋଇସାରିଛି । ଖୁବଶୀଘ୍ର ଆନୁଷ୍ଠାନିକ ଘୋଷଣା ହେବ ବୋଲି ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ସରିଛି କଂଗ୍ରେସ-ବାମ ଦଳ ଆସନ ବୁଝାମଣା, ଶୀଘ୍ର ହେବ ଘୋଷଣା
ଖୁବଶୀଘ୍ର ହେବାକୁ ଯାଉଛି କଂଗ୍ରେସ ଏବଂ ବାମ ଦଳ ଆସନ ଭାଗବଣ୍ଟାର ଆନୁଷ୍ଠାନିକ ଘୋଷଣା ।
ସୂଚନାଯୋଗ୍ୟ, ସିପିଆଇକୁ ଆସିକା ଲୋକସଭା ସହିତ ଛତ୍ରପୁର, ବୌଦ୍ଧ ଓ ବ୍ରଜରାଜନଗର ବିଧାନସଭା ଆସନ ଦେବାକୁ କଂଗ୍ରେସ ରାଜି ହୋଇଛି । ସେହିଭଳି ସିପିଆଇଏମକୁ ଭୁବନେଶ୍ବର ଲୋକସଭା ଆସନ ସମେତ ବଣାଇ, ରେମୁଣା ଏବଂ ନିଳଗିରି ବିଧାନସଭା ଆସନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଜେଏମଏମକୁ ମୟୁରଭଞ୍ଜ ଲୋକସଭା ଆସନ ସହିତ ମୋରଡା, ରାଇରଙ୍ଗପୁର, ବାଙ୍ଗିରିପୋଷି ଓ ସାରସକଣା ବିଧାନସଭା ଆସନ ଦେବାଲାଗି ବୁଝାମଣା ହୋଇଛି । କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ।
ତେବେ ମେଣ୍ଟ ବୁଝାମଣାରେ ଭୁବନେଶ୍ବର ଲୋକସଭାରୁ ସିପିଏମ ନେତା ଜନାର୍ଦ୍ଦନ ପତି, ଆସିକାରୁ ସିପିଆଇ ନେତା ରାମଚନ୍ଦ୍ର ପଣ୍ଡା ଏବଂ ମୟୂରଭଞ୍ଜରୁ ଜେଏମଏମ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଝିଅ ଅଞ୍ଜଳି ସୋରେନ ପ୍ରାର୍ଥୀ ହେବାନେଇ ସ୍ଥିର ହୋଇସାରିଛି ।
ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ