ଭୁବନେଶ୍ବର: ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣାରେ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଟାସ୍କଫୋର୍ସ ଗଠନ ହେବାର ବିଜ୍ଞପ୍ତି ବାହାରିବାର କିଛି ଘଣ୍ଟା ଭିତରେ ଆକ୍ସନ ମୁଡ଼ରେ ଆସିଛି ଟିମ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ଓଡିଶାର ଅର୍ଦ୍ଧାଧିକ ଜଙ୍ଗଲ ଶୁଷ୍କ ପତ୍ରଝଡା ଜଙ୍ଗଲ ଶ୍ରେଣୀର ଅଟେ । ତେଣୁ ଅଗ୍ନିକାଣ୍ଡ ସ୍ବାଭାବିକ କଥା । ଗ୍ରୀଷ୍ମଋତୁରେ ପ୍ରଚୁର ଝଡ଼ୁଥିବା ଜ୍ବଳନ ଶୀଳ ଶୁଷ୍କ ପତ୍ର ସହିତ ବର୍ଦ୍ଧିତ ତାପମାତ୍ରା ଜଙ୍ଗଲରେ ଅଗ୍ନିକାଣ୍ଡର ପ୍ରମୁଖ କାରଣ । ଏହାକୁ ରୋକିବା ଓ ଏହାର ବିସ୍ତାରକୁ ପ୍ରତିହିତ କରିବା ନିମନ୍ତେ ବନବିଭାଗ ଅନେକ ପଦକ୍ଷେପ ନେଉଛି ।
ଜଙ୍ଗଲ ନିଆଁ ଲିଭାରେ ନିୟୋଜିତ ହେବ ଓଡ୍ରାଫ ଟିମ - ଓଡିଶା ବନବିଭାଗ ଖବର
17:10 March 08
ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣାରେ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର,ନିୟୋଜିତ ହେବ ଓଡ୍ରାଫ ଟିମ
ଗ୍ରୀଷ୍ମ ଋତୁର ଆରମ୍ଭ ପୂର୍ବରୁ ଅଗ୍ନିପ୍ରବଣ ପଦାର୍ଥ ଗୁଡିକୁ ତତ୍ବାବଧାନରେ ଜାଳିବା ସହ ବନାଗ୍ନିର ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ ପ୍ରାୟ ୪୫୦୦ ଲମ୍ବର ଅଗ୍ନିନିରୋଧକ ରେଖା ସୃଷ୍ଟି କରାଯାଇଛି । ୧୩୫୦୦ ଗୋଟି ସକ୍ରିୟ ବନ ସଂରକ୍ଷଣ ସମିତି ଓ ଯୁଗ୍ମ ବନ ପରିଚାଳନା କମିଟି ଏବଂ EDC ମାଧ୍ୟମରେ ସଭା ସମିତି ଜରିଆରେ ସାଧାରଣ ଜନତା ନିମନ୍ତେ ସଚେତନତା ଅଭିଯାନ କରାଯାଉଛି । ରାଜ୍ୟ ଜଙ୍ଗଲ ବିଭାଗର ଭୁବନେଶ୍ବରସ୍ଥିତ ଭୌଗୋଳିକ ଭିତ୍ତିକ ବନ ସୂଚନା ପ୍ରଯୁକ୍ତି ବିଦ୍ୟା ଜିଓମେଟିକ ସେଲ ( FITG ) ସହ ବନାଗ୍ନି ନିରାକରଣ ଓ ପରିଚାଳନାର ଏକ ଭିତ୍ତିଭୂମି ରହିଛି । ଏହି ଜିଓମେଟିକ ସେଲ ( FITG ) ଉପଗ୍ରହରୁ ( FSI ଡେରାଡୁନର SNPP ) ସଂଗୃହୀତ ତଥ୍ୟନୁସାରେ ପ୍ରକୃତ ସମୟରେ ବନାଗ୍ନିର ସ୍ଥିତି ଓ ସଚେତନ ତଥ୍ୟ ପ୍ରଦାନ କରିବାରେ ସକ୍ଷମ ଅଟେ । ବନରକ୍ଷୀପର୍ଯ୍ୟନ୍ତର କ୍ଷେତ୍ର କର୍ମଚାରୀଙ୍କୁ ୭୦୦୦ GPS PDA ଏବଂ Smart Phoneର ଆଧାରିତ ବ୍ୟବହାରିକ ପ୍ରଯୁକ୍ତି ବିଦ୍ୟା ଯୋଗାଇ ଦିଆଯାଇଛି । ଉପଗ୍ରହରୁ Geo - tagged ବନାଗ୍ନି ସମ୍ବନ୍ଧୀୟ ତଥ୍ୟ ସଭ୍ୟ ପ୍ରଦତ୍ତ SMS / Whatsapp / e mail ଜରିଆରେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ସମ୍ପୃକ୍ତ ବନରକ୍ଷୀଙ୍କ ନିକଟକୁ ପ୍ରେରଣ କରାଯାଇଥାଏ । ଫଳତଃ ସମ୍ପୃକ୍ତ ବନରକ୍ଷୀ ନିର୍ଦ୍ଦିଷ୍ଟ ଚିହ୍ନିତ ସ୍ଥାନରେ ବନାଗ୍ନି ନିର୍ବାପିତ କରି ବନାଗ୍ନି ନିର୍ବାପନ ନିମନ୍ତେ ନେଇଥିବା ପଦକ୍ଷେପର Geo - tagged ଉତ୍ତୋଳନ କରି ବ୍ୟବହାରିକ ପ୍ରଯୁକ୍ତି ବିଦ୍ୟା ( ଆପ୍ ) ମାଧ୍ୟମରେ ପ୍ରେରଣ କରିଥାଆନ୍ତି ।
ଅଗ୍ନି ନିରାକରଣ ଓ ପରିଚାଳନା ନିମନ୍ତେ ପ୍ରସ୍ତୁତ କରାଯାଇଥିବା SOP ବିଗତ ୩ ବର୍ଷ ଅବକାଳରେ ବନାଗ୍ନି ସଂଖ୍ୟାର ପ୍ରଭାବଶାଳୀ ଭାବେ ହ୍ରାସ ଘଟାଇବାରେ ସକ୍ଷମ ହୋଇଛି । ୨୦୧୭ , ୨୦୧୮ , ୨୦୧୯ ଏବଂ ୨୦୨୦ ମସିହାରେ ଯଥାକ୍ରମେ ୩୬୮୨୭ , ୩୧୬୮୦ , ୧୯୭୮୭ ଏବଂ ୧୧୦୮୮ ସଂଖ୍ୟକ ବନାଗ୍ନିର ଘଟଣା ସାମ୍ନାକୁ ଆସିଛି । ଏହା ବନ ବିଭାଗର ବନାଗ୍ନି ପରିଚାଳନାର କାର୍ଯ୍ୟ ଦକ୍ଷତାକୁ ସ୍ପଷ୍ଟ ଭାବରେ ସୂଚିତ କରାଉଛି । ସାଧାରଣତଃ ମଧ୍ୟବର୍ତ୍ତୀକାଳୀନ ବୃଷ୍ଟିପାତ ଜଙ୍ଗଲରେ ପଡିଥିବା ଶୁଷ୍କ ଝଡା ପତ୍ରକୁ କବକ ମାଧ୍ୟମରେ ଅବକ୍ଷୟ କରାଇ ଅଗ୍ନି ପ୍ରବଣତାକୁ ହ୍ରାସ କରାଇଥାଏ । ଚଳିତବର୍ଷ ସମୟ ପୂର୍ବରୁ ଗ୍ରୀଷ୍ମ ଋତୁର ଆଗମନ ଓ ଅହେତୁକ ତାପମାତ୍ରା ବୃଦ୍ଧି ଏବଂ ମଧ୍ୟବର୍ତ୍ତୀକାଳୀନ ବୃଷ୍ଟିହୀନତା ହଠାତ୍ ରାଜ୍ୟବ୍ୟାପୀ ବନାଗ୍ନିର ପ୍ରବଳତା ସୃଷ୍ଟି କରିଛି ।ଉଚ୍ଚସ୍ତରୀୟ ତଦାରଖ ମାଧ୍ୟମରେ ୬୦୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ବନାଗ୍ନି ନିର୍ବାପନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ପ୍ରଧାନ ମୁଖ୍ୟ ବନସଂରକ୍ଷକ ( ବନ୍ୟପ୍ରାଣୀ )ଙ୍କ କାର୍ଯ୍ୟାଳୟରେ ଦୁଇଗୋଟି ୨୪ ଘଣିଆ ବନାଗ୍ନି ତଦାରଖ ସେ କାର୍ଯ୍ୟ କରୁଛି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ବନାଗ୍ନି ଘଟଣା ଉପରେ ନଜର ରଖିଛନ୍ତି । ଏତଦଭିନ୍ନ , ୧୩୫୦୦ରୁ ଅଧିକ ବନ ସୁରକ୍ଷା ସମିତି, ଯୁଗ୍ମ ବନ ପରିଚାଳନା କମିଟି EDC କୁ ବନାଗ୍ନି ପ୍ରତିରୋଧ ଏବଂ ନିର୍ବାପନ କାର୍ଯ୍ୟରେ ସଂଶ୍ଳିଷ୍ଟ କରାଯିବା ଉପରେ ଗୁରୁତ୍ବ ଦିଆଯାଉଛି । ଶିମିଳିପାଳ ଜଙ୍ଗଲର ବନାଗ୍ନି ନିୟନ୍ତ୍ରଣାଧୀନ ଅଛି । ବନାଗ୍ନି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବାହାଚଳ ଜଙ୍ଗଲରେ ସୀମିତ ଥିବା ହେତୁ ଏହାର କୋର ଅଂଚଳର ବନ୍ୟଜନ୍ତୁ ଏହା ଦ୍ଵାରା ପ୍ରଭାବିତ ହୋଇନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନାନୁସାରେ ଶିମିଳିପାଳ କେବଳ ରାଜ୍ୟ ତଥା ଦେଶର ନୁହେଁ ବରଂ ସମଗ୍ର ବିଶ୍ଵର ଅମୂଲ୍ୟ ସମ୍ପଦ ।
ଭୁବନେଶ୍ବରରୁ ବିକାଶ ଦାସ ଓ ଭବାନୀ ଶଙ୍କର ଦାସ , ଇଟିଭି ଭାରତ