ଭୁବନେଶ୍ବର: ପୁଣି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା । ଏଥର ନବୀନଙ୍କୁ ପ୍ରଶଂସା କରିଛି ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫି । ସଂକ୍ରମଣ ସଙ୍କଟ ଓ ବାତ୍ୟା ୟସ ପ୍ରଭାବରେ ମଧ୍ୟ ସାରା ଦେଶକୁ ଅକ୍ସିଜେନ ପହଁଚାଇ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି ।
କୋଭିଡ଼ ସଂକ୍ରମଣ ସଙ୍କଟରେ ଦେଶକୁ ସଞ୍ଜିବନୀ ବାଣ୍ଟିଛି ଓଡ଼ିଶା । ସଙ୍କଟମୋଚକ ସାଜି ସାରା ଦେଶକୁ ସହାୟତାର ହାତ ବଢେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋରୋନାର ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ଦେଖା ଦେଇଥିଲା । ଅକ୍ସିଜେନ ପାଇଁ ସାରା ଦେଶରେ ହାହାକାର ପଡି ଯାଇଥିଲା । ଅକ୍ସିଜେନ ଲାଗି ରୋଗୀ ଓ ସମ୍ପର୍କୀୟ ଡହଳ ବିକଳ ହେଉଥିଲେ । ତେବେ ଏହି ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶା ସରକାର ଦେଶକୁ ନିଶ୍ବାସ ବାଣ୍ଟି ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି । ଗତ ଦୁଇ ମାସ ମଧ୍ୟରେ ୧୭ ରାଜ୍ୟକୁ ପ୍ରାୟ ୩୧ ହଜାର ୨୫୫ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇଛି ଓଡିଶା । ଏମିତି କି କାରକେଡ କରି ବିଭିନ୍ନ ରାଜ୍ୟରେ ଅକ୍ସିଜେନ ପହଁଚାଇଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ଅନ୍ତର୍ଜାତୀୟ ଚ୍ୟାନେଲ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି ।