ଭୁବନେଶ୍ୱର: ଓଡିଶା ରାଜ୍ୟର ଶତ ପ୍ରତିଶତ ସୋଲାର ଗାଁ ବାରପିଠ । ୨୦୧୫ରେ ଗାଁରେ ସୋଲାର ପ୍ରକଳ୍ପ ପ୍ରତିଷ୍ଠା ପରେ ଏହି ଗାଁ ସୋଲାର ଗ୍ରାମ ଭାବେ ରାଜ୍ୟ ତଥା ଦେଶରେ ସୁନାମ ଅର୍ଜନ କରିଥିଲା । ଗ୍ରାମରେ ସୋଲାର ସିଷ୍ଟମ ଲାଗିଥିଲା । ଘରେ ଘରେ ସୋଲାର ଛତା ବସିଥିଲା ମଧ୍ୟ । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଆଜି ଏହା ଅଚଳ । ସୌରଶକ୍ତି ଯୋଗେ ଲୋକଙ୍କ ଘରକୁ ଆଲୁଅ ପଞ୍ଚାଇବାର ଉଦ୍ୟମ ଫେଲ୍ ମାରିଛି ଗାଁରେ । ଶତ ପ୍ରତିଶତ ସୋଲାର ଗାଁ ଭାବେ ବାରପିଠ ପରିଚୟ ସିନା ପାଇଛି ହେଲେ ଆଜି ଅନ୍ଧାରରେ ଦିନ କାଟୁଛନ୍ତି ଅନେକ ପରିବାର ।
ଭୁବନେଶ୍ୱର ଉପକଣ୍ଠରେ ଡେରାସ ଡ୍ୟାମଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ପଡିବ ଏହି ବାରପିଠ ଗାଁ । ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଅବସ୍ଥିତ ଏହି ଗାଁରେ ୬୦ ପରିବାରର ବାସ କରନ୍ତି । ସମସ୍ତେ ପ୍ରାୟ ଆଦିବାସୀ ସମ୍ପ୍ରଦାୟର । ୨୦୧୫ ଯାଏଁ ଏହି ଗାଁରେ ବିଦ୍ୟୁତ ସଂଯୋଗ ନଥିଲା । ଏହାପରେ ଗାଁକୁ ଓଡିଶାର ଶତ ପ୍ରତିଶତ ସୋଲାର ଗ୍ରାମ କରିବାକୁ ସୋଲାର ପ୍ଲାଣ୍ଟ ସ୍ଥାପନ କରିଥିଲା ଏକ ବେସରକାରୀ କମ୍ପାନୀ । ହେଲେ ସୌର ପ୍ରକଳ୍ପ ସ୍ଥାପନର କିଛି ବର୍ଷ ଭିତରେ ହିଁ ୨୦୧୯ ମସିହାରେ ଆସିଥିବା ଫନି ବାତ୍ୟା ଯୋଗୁଁ ଭୁଶୁଡି ପଡିଲା ପ୍ରକଳ୍ପ । ଏହାର ବ୍ୟାଟେରୀଗୁଡ଼ିକ ମଧ୍ୟ ଖରାପ ହୋଇଯାଇଥିଲା । ସେବେଠୁ ରକ୍ଷଣାବେକ୍ଷଣ ଅଭାବରୁ ସେମିତି ଅକାମୀ ହୋଇପଡିଛି ଏହି ପ୍ଲାଣ୍ଟ । ନାଁ ମରାମତି ହେଉଛି ନାଁ କାହାର ନଜର ପଡୁଛି ।