ଭୁବନେଶ୍ବର: ବାତ୍ୟା ଅସାନି(Cyclone Asani) ବର୍ତ୍ତମାନ ପଶ୍ଚିମ କେନ୍ଦ୍ର ବଙ୍ଗୋସାଗରରେରେ ରହିଛି । ବିଶାଖପାଟଣା ଓ କାକିନାଡ଼ାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବରେ ରହିଛି । କାକିନାଡ଼ାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଛି । ବାତ୍ୟା ପ୍ରଭାବରେ ବର୍ଷା ହେବ କିନ୍ତୁ ପବନ ହେବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଏସଆରସି(SRC) ପ୍ରଦୀପ କୁମାର ଜେନା ।
ଏସଆରସିଙ୍କ ସୂଚନା ଅନୁସାରେ, ଉତ୍ତର ପଶ୍ଚିମକୁ ଗତି କରି ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ମଡେଲ ଆକଳନ କରୁଛି । ୧୨ ତାରିଖରେ ବିଶାଖାପାଟଣା ନିକଟରେ ପହଁଚିବା ବେଳକୁ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ । ଓଡ଼ିଶା ଉପକୂଳରେ ପହଞ୍ଚିବ ନାହିଁ । ଓଡ଼ିଶା ଉପରେ ପବନର ପ୍ରଭାବ ରହିବ ନାହିଁ । କିନ୍ତୁ ବର୍ଷା ପ୍ରଭାବ ରହିବ । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା ଆଦି ସ୍ଥାନରେ ବର୍ଷା ହେବ । ପରେ ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ ।
ମାଲକାନଗରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାରେ ଅଧିକ ବର୍ଷା ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ କରାଯାଇଛି । ଜିଲ୍ଲାରେ ଓଡ୍ରାଫ ଟିମ ମୁତୟନ କରାଯାଇଛି । ୧୨ ଟି ଟିମ ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂପୁର ଜିଲ୍ଲାରେ ମୁତୟନ କରାଯାଇଛି । ଏହି ସବୁ ଜିଲ୍ଲାରେ ଅଗ୍ନିଶମ ଟିମ ବି ମୁତୟନ କରାଯାଇଛି । ବିଦ୍ୟୁତ୍ ସରବରାହ ସମସ୍ୟା ହେଲେ ସଜାଡିବାକୁ ସତର୍କ କରାଯାଇଛି । ସ୍ଥିତି ଦେଖି ତଳିଆ ଅଞ୍ଚଳରୁ ସ୍ଥାନାନ୍ତରଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି ।