ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ । ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ମୌସୁମୀ ସହ ଜଡିତ ଟ୍ରଫ ଲାଇନର ସ୍ଥିତି ହିମାଳୟର ପାଦ ଦେଶରେ ରହିଥିବାରୁ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ରହିଛି ।
ଗତ ୨୪ ଘଣ୍ଟାରେ ଦକ୍ଷିଣ-ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ ବାକି ସ୍ଥାନରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ରାୟଗଡା ଜିଲ୍ଲାରରେ ସର୍ବାଧିକ ୪୩.୦ ମିମି ବର୍ଷ ରେକର୍ଡ ହୋଇଥିବା ବେଳେ ନୟାଗଡ ଜିଲ୍ଲାର ଓଡଗାଁ ଠାରେ ୪୧.୯ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସର୍ବାଧିକ ୩୭.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହା ଛଡା ଭୁବନେଶ୍ବର ଠାରେ ୩୫.୯ ଡିଗ୍ରୀ ସେଲସିୟସ ଏବଂ କଟକରେ ୩୬.୨ ଡିଗ୍ରୀ ସେଲସିୟସ ବର୍ଷା ରେକର୍ଡ ହୋଇଛି ।
ରବିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେଇଥିବା ଘୂର୍ଣ୍ଣିବଳୟ ଆଜି ସମୁଦ୍ର ପତ୍ତନ ଠାରୁ ୧.୫ କିମି ରୁ ୫.୮ କିମି ମଧ୍ୟରେ ରହିଛି । ବିହାରରୁ ଉତ୍ତର ଓଡିଶା ଉପକୂଳ ଯାଇଁ ସମୁଦ୍ର ପତ୍ତନ ଠାରୁ ୧.୫ କିମି ଉପରେ ଏକ ଟ୍ରଫ ଲାଇନ ରହିଛି ।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରେ କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବାଲେଶ୍ବର, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି-ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୮ ତାରିଖରେ ଓଡିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏତତବ୍ୟତୀତ ଗଞ୍ଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।