ଭୁବନେଶ୍ବର: ଭିଜିଲାନ୍ସ ଇତିହାସରେ ପ୍ରଥମ । ଏକକାଳୀନ ତିନି ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ଘରେ ଛାପା ମାରିଲା ଭିଜିଲାନ୍ସ । ଗୋଟିଏ ଦିନରେ ତିନି ପ୍ରଥମ ଶ୍ରେଣୀ କର୍ମଚାରୀ ଗିରଫ । ରେଡ୍ ମାରିବା ପରେ ସମସ୍ତଙ୍କୁ ଗିରଫ କରିଛି ଭିଜିଲାନ୍ସ । ସେମାନଙ୍କ ପାଖରୁ ପୁଳା ପୁଳା ଟଙ୍କା ମିଳିଛି । ମୋଟ ୨୨ ଲକ୍ଷ ୬୧ହଜାର ୪୩୦ ଟଙ୍କା ଜବତ କରାଯାଇଥିବା ଜଣାପଡିଛି । ଗିରଫ ପରେ ସମସ୍ତ ତିନି ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
ଏହି କର୍ମଚାରୀମାନେ ହେଲେ ରାଜ୍ୟ ପ୍ରଦୂଷଣ ନିୟମନ୍ତ୍ରଣ ବୋର୍ଡର ରାଉରକେଲା ଆଞ୍ଚଳିକ ଅଧିକାରୀ ପିକେ ମହାପାତ୍ର, ବାଲେଶ୍ବର PCB ଅଧିକାରୀ ନରୋତ୍ତମ ବେହେରା ଏବଂ ବୈତରଣୀ ଜଳସମ୍ପଦ ଡିଭିଜନ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ପିକେ ମହାପାତ୍ରଙ୍କ ଠାରୁ ୧ଲକ୍ଷ ୭୫ହଜାର ଟଙ୍କା ମିଳିଥିବାବେଳେ ନରୋତ୍ତମ ବେହେରାଙ୍କ ନିକଟରୁ ୮୯ ହଜାର ଟଙ୍କା ତାଙ୍କୁ ଘରୁ ୯ଲକ୍ଷ ୨୫ହଜାର ଟଙ୍କା ଏବଂ ବିଧାନ ଚନ୍ଦ୍ର ସାହୁଙ୍କ ନିକଟରୁ ୧୦ ଲକ୍ଷ ୭ ହଜାର ସମେତ ଘରୁ ନଗଦ ୬୪ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ।