ଭୁବନେଶ୍ବର: ରାଜ୍ୟରେ ଆହୁରି 24 ଘଣ୍ଟା ଲାଗି ରହିବ ବର୍ଷା । ବିହାର ଏବଂ ଆଖପାଖ ଅଞ୍ଚଳରେ ସମୁଦ୍ର ପତନଠାରୁ ପ୍ରାୟ ଦେଢ଼ କିମି ଉଚ୍ଚତାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାରୁ ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ଯାଏଁ ରାଜ୍ୟରେ ବର୍ଷା ଜାରି ରହିବା ପୂର୍ବାନୁମାନ କରାଯାଇଛି । ଏନେଇ ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।
ଆହୁରି 24 ଘଣ୍ଟା ଭିଜିବ ରାଜ୍ୟ, 4 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏହାଛଡା ସୋନପୁର, ଅନୁଗୋଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରେ ବଜ୍ରପାତ ସହିତ କୁଆ ପଥର ମାଡର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ସେହିପରି ନୟାଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଅନୁଗୋଳ ଆଦି 13ଟି ଜିଲ୍ଲାରେ ବର୍ଷା ସହିତ 30ରୁ 40 କିଲୋମିଟର ବେଗରେ ପବନ ବୋହିବା ନେଇ ଆଲର୍ଟ ଜାରି କରାଯାଇଛି।
ଶନିବାର ରାଜ୍ୟର ଦକ୍ଷିଣ ଉପକୂଳ ଜିଲ୍ଲାଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡା, କନ୍ଧମାଳ, ଗଜପତିରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ 30ରୁ 40 କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ସେପଟେ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀରରେ ମଧ୍ୟ ରାତ୍ରିରୁ ସକାଳ ଯାଏଁ ଘନ କୁହୁଡି ରହିବା ନେଇ ପୂର୍ବାନୁମାନ କରାଯାଇଛି।
ରବିବାର ପରେ ରାତିର ତାପମାତ୍ରା ରାଜ୍ୟର ବିଭିନ୍ନ ଅଞ୍ଚଳରେ 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଗୁରୁବାର ଗଞ୍ଜାମ ଜିଲ୍ଲା ସୋରଡାରେ ସର୍ବାଧିକ 60 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ବର୍ଷା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ଯେଉଁଥିରେ ଆସନ୍ତା 10 ତାରିଖ ଯାଏଁ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ