ଭୁବନେଶ୍ବର: ପ୍ରେମ କରୁଣ ଓ କ୍ଷମାର ପ୍ରତୀକ ବାପୁ । ସେହି ମହାନ ଆତ୍ମାଙ୍କ ଓଡିଶା ଆଗମନକୁ ପୂରିଛି 100 ବର୍ଷ । ଗାନ୍ଧୀ ମୋଟ 8 ଥର ଓଡିଶା ଗସ୍ତରେ ଆସିଛନ୍ତି । ଅସହଯୋଗ ଆନ୍ଦୋଳନ ପାଇଁ 1921 ମାର୍ଚ୍ଚ 23 ର ତାଙ୍କର ପ୍ରଥମ ଯାତ୍ରା ଥିଲାବେଳେ ଦେଶ ସ୍ବାଧୀନ ପର ବର୍ଷ ଅର୍ଥାତ 1946 ରେ ନିଜ ସହଯୋଗୀଙ୍କୁ ଭେଟିବାକୁ ଓଡିଶା ଆସିଥିଲେ ମହାତ୍ମା ଗାନ୍ଧୀ । ମହାତ୍ମାଗାନ୍ଧୀଙ୍କ ପାଦରେ ପାଦ ମିଶାଇ ଓଡିଶାର ବହୁ ସଂଗ୍ରାମୀ ଇଂରେଜଙ୍କ ସହ ଲଢି ଛଡାଇ ଆଣିଛନ୍ତି ହକ । ସେହି ସବୁ ଦିନ ଓ ମୁହୁର୍ତ୍ତ ଆଜି ବି ଇତିହାସ ପୃଷ୍ଠାର ଶୋଭା ବର୍ଦ୍ଧନ କରୁଛି । ପଢନ୍ତୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗାମନ ନେଇ ଆମର ବିଶେଷ ରିପୋର୍ଟ ..
ଗୁଜରାଟରୁ ଗୌହାଟୀ, ପଞ୍ଜାବରୁ ପଣ୍ଡିଚେରୀ । ସବୁଠି ବାପୁଙ୍କ ପଦସ୍ପର୍ଶ ଇତିହାସ ପୃଷ୍ଠାରେ ଉଦୀୟମାନ । ଆଉ ଇତିହାର ସେହି ପୁରୁଣା ପୃଷ୍ଠାରେ ସ୍ବତନ୍ତ୍ର ଗାଥା ବହନ କରେ ବାପୁଙ୍କ ଓଡିଶା ଆଗମନର ସ୍ବଳ୍ପ ଅବଧି । ସ୍ବାଧିନତା ସଂଗ୍ରାମରେ ସାମିଲ ହୋଇ ଓଡିଶାର ବହୁ ସଂଗ୍ରାମୀ ଓ ସେନାନୀ ଗାନ୍ଧୀଙ୍କ ସାରଥୀ ସାଜିଥିଲେ । କଟକ, ସମ୍ବଲପୁର,ଅନୁଗୋଳ, ପୁରୀ, ଗଞ୍ଜାମ, ଯାଜପୁର, ଭଦ୍ରକ, ବାଲେଶ୍ବର , ଝାରସୁଗୁଡା ସବୁଠି ନିଜ ବିଚାରଧାରାରେ ଓଡିଶାବାସୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ବାପୁ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କଳାକୁ ଗୁରୁତ୍ବ ଏବଂ ଜାତିଭେଦ ଦୂର କରି ଇଂରେଜ ଜୁଲମରୁ ବଞ୍ଚିବାକୁ ସତ୍ୟ ଓ ଅହିଂସାର ରାସ୍ତା ଦେଖାଇଥିଲେ ବାପୁ ।
1921- ପ୍ରଥମ ଥର ଗାନ୍ଧୀଙ୍କ ଓଡିଶା ଗସ୍ତରେ ଆସିଥିଲେ
- ମାର୍ଚ୍ଚ-23: ଉତ୍କଳମଣି ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଗାନ୍ଧୀଜୀ 1921 ମାର୍ଚ୍ଚ 23ରେ ପତ୍ନୀ କସ୍ତୁରବା ଓ ପୁ୍ଅ ଦେବଦାସଙ୍କ ସହ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଏଠାରୁ ସେ ସ୍ବରାଜ ଆଶ୍ରମ ଅଭିମୁଖେ ଯାଇଥିଲେ । ସେଦିନ ଅପରାହ୍ନରେ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କାଠଯୋଡିରେ ଏକ ବିରାଟ ସଭାର ଆୟୋଜନ ହୋଇଥିଲା ।
- ମାର୍ଚ୍ଚ-24: ମାରୱାଡି, ଗୁଜୁରାଟୀଙ୍କ ଉଦ୍ଦେଶ୍ୟରେ କଦମ ରସୁଲରେ ଏକ ସାଧାରଣ ସଭାର ସମ୍ବୋଧନ କରିଥିଲେ । ଏହି ସଭା ମୁସଲିମ ମାନେ ଆୟୋଜିତ କରିଥିଲେ । ସମାନ ଦିନରେ ତିନିକୋଣିଆ ବଗିଚାରେ ହଜାର ସଂଖ୍ୟକ ଲୋକଙ୍କ ସମ୍ମୁଖରେ ଅଭିଭାଷଣ ରଖିଥିଲେ ।
- ମାର୍ଚ୍ଚ-25: ସକାଳୁ ସକାଳୁ ଭଦ୍ରକ ଅଭିମୁଖେ ଯାତ୍ରା । ଏଠାରେ ବ୍ୟବସାୟୀ, ଆଇନଜୀବିଙ୍କ ସହ ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ । ସେଦିନ ସଂନ୍ଧ୍ୟାରେ ହିନ୍ଦୁ- ମୁସଲିମ ୟୁନିଟରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ ।
- ମାର୍ଚ୍ଚ-26: ସତ୍ୟବାଦୀରେ ଅବସ୍ଥିତ ପଣ୍ଡିତ ଗୋପବନ୍ଧୁଙ୍କ ସତ୍ୟବାଦୀ ଜାତୀୟ ସ୍କୁଲ ଭ୍ରମଣ
- ମାର୍ଚ୍ଚ-27: ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ମହିଳାଙ୍କ ଏକ ସଭାକୁ ସମ୍ବୋଧନ କରିଥିଲେ
- ମାର୍ଚ୍ଚ-28: ନୀରବ ଦିବସ ପାଳନ (ମଉନ ବ୍ରତ)
- ମାର୍ଚ୍ଚ-29: ପୁରୀରୁ ବାହାରି ଯାଇ ଟ୍ରେନ ଯୋଗେ ବ୍ରହ୍ମପୁର ଗସ୍ତ
- ମାର୍ଚ୍ଚ-30: ମାତୃଭାଷାର ମହତ୍ତ୍ବ ନେଇ ବ୍ରହ୍ମପୁର ଷ୍ଟେସନରେ ସାଧାରଣ ସଭାକୁ ସମ୍ବୋଧନ
ପୁଣି 1925ରେ ଗାନ୍ଧୀଙ୍କ ଓଡିଶା ଯାତ୍ରାରେ ଆସିଥିଲେ ଗାନ୍ଧୀ
- ଅଗଷ୍ଟ-19: ମଧୁସୂଦନ ଦାସଙ୍କ ନିମନ୍ତ୍ରଣ ରକ୍ଷା କରି କଟକ ସତ୍ୟବାଦୀରେ ପହଞ୍ଚିଥିଲେ ।
- ଅଗଷ୍ଟ-20: ନୂଆ ବଜାର ଗସ୍ତରେ ଯାଇ ସାଧାରଣ ସଭାକୁ ସମ୍ବୋଧନ ।
1927ରେ ଗାନ୍ଧୀଙ୍କ ଓଡିଶା ଯାତ୍ରା
- ଡିସେମ୍ବର-3: ପାରଳାଖେମୁଣ୍ଡିର sarpakota(ସରପାକୋଟା) ଗସ୍ତ
- ଡିସେମ୍ବର-4: ଖଦି ଆନ୍ଦୋଳନ ପାଇଁ ବ୍ରହ୍ମପୁରରେ ପହଞ୍ଚିଥିଲେ । ଏଠାରେ ମହିଳାଙ୍କ ଅନୁରୋଧ ରକ୍ଷା କରି ସାମାଜିକ ସଂସ୍କାର ଓ ପ୍ରଥା ସମ୍ବନ୍ଧରେ ଉଦବୋଧନ ଦେଇଥିଲେ ।
- ଡିସେମ୍ବର-5: ଭାଷା ବିବାଦରେ ସାମିଲ ନ ହେବାକୁ ଛତ୍ରପୁରରେ ଆୟୋଜିତ ସଭାରେ ପରାମର୍ଶ
- ଡିସେମ୍ବର-6: ରସୁଲକୋଣ୍ଡା, ଆସିକା ଓ ଗୋବରା ଗସ୍ତ
- ଡିସେମ୍ବର-7: ପୁରୁଷତ୍ତୋମପୁର, ବୌରାଣୀ, ପୋଲସରା, ଖଲ୍ଲିକୋଟ ଏବଂ କୋଦଳା ଯାତ୍ରା
- ଡିସେମ୍ବର-10: ବଲାଙ୍ଗୀର ଯାଇ ସେଠାରେ ଥିବା ପ୍ରସିଦ୍ଧ ଖଦି ଉତ୍ପାଦନ କେନ୍ଦ୍ରରେ 3 ଦିନ ରହଣି
- ଡିସେମ୍ବର-12: ନୀରବ ଦିବସ ପାଳନ । ବଲାଙ୍ଗୀର ଆଶ୍ରମରୁ ଭଉଣୀଙ୍କ ପାଖକୁ ଚିଠି ଲେଖିଥିଲେ । ଏହା ପରେ ସାକ୍ଷୀଗୋପାଳ ଏବଂ ଜଟଣୀ ଯାତ୍ରା କରି ପୁରୀ ଅଭିମୁଖେ ବାହାରି ପଡିଥିଲେ ।
- ଡିସେମ୍ବର-14: ପୁରୀରୁ ବାହାରିଯାଇ ବାଲେଶ୍ବର ଯାଇଥିଲେ । ଏଠାରେ ଥିବା ମୁକୁନ୍ଦ ପ୍ରସାଦ ଭବନରେ ଅତିଥି ଭାବେ ରହିଥିଲେ ।
- ଡିସେମ୍ବର-15: ସୋରର କଣ୍ଟାପାଣିରେ ସାଧାରଣ ସଭାକୁ ସମ୍ବୋଧନ
- ଡିସେମ୍ବର-16: ଭଦ୍ରକରେ ପହଞ୍ଚିଥିଲେ ।
- ଡିସେମ୍ବର-17: ବାଲିଆପାଳର ଚାରବାଟିଆରେ ସାଧାରଣ ସଭାକୁ ସମ୍ବୋଧନ
- ଡିସେମ୍ବର-18: ପୁଣି ଚାରବାଟିଆରୁ ଭଦ୍ରକ ଯାଇଥିଲେ । ପରେ ଗୋପାଳ ଚନ୍ଦ୍ର ପ୍ରହରାଜ (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ) ଙ୍କ ଅତିଥୀ ହୋଇ କଟକ ଅଭିମୁଖେ ବାହାରିଥିଲେ ।
- ଡିସେମ୍ବର-19: ଏହି ଦିନ ଗାନ୍ଧୀଙ୍କ ନୀରବ ଦିବସ ଥିଲା । କିନ୍ତୁ ସେ ଏହାକୁ ପାଳନ ନ କରି ମଧୁସୂଦନ ଦାସଙ୍କ ସହ ଏକ ସଭାରେ ଆଲୋଚନା କରିଥିଲେ ।
- ଡିସେମ୍ବର-20: କଟକରେ ସାଧାରଣ ସଭାରେ ଯୋଗ ଦେଇଥିଲେ, ହେଲେ ସମ୍ବୋଧନ କରିପାରିନଥିଲେ ।ଡିସେମ୍ବର-21: ଜାତୀୟ କଂଗ୍ରେସର ଅଧିବେଶନରେ ଯୋଗ ଦେବାକୁ ଓଡିଶାରୁ ମାଡ୍ରାସ(ଚେନ୍ନାଇ) ବାହାରିପଡିଥିଲେ ।
1928ରେ ଗାନ୍ଧୀଙ୍କ ଓଡିଶା ଯାତ୍ରା
ଡିସେମ୍ବର-22: କଲିକତାରୁ ବମ୍ବେ ଯାଉଥିବା ସମୟରେ ଝାରସୁଗୁଡାରେ ଅଟକିଯାଇଥିଲେ । ଏଠାରୁ ସମ୍ବଲପୁର ଅଭିମୁଖେ ଯାଇଥିଲେ ବାପୁ । ମହାନଦୀ କୂଳରେ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ ।
1934ରେ ଗାନ୍ଧୀଙ୍କ ଓଡିଶା ଯାତ୍ରା
- ମେ-5: ଝାରସୁଗୁଡା ଯାଇ ହରିଜନ ଯାତ୍ରା । ସେଠାରୁ ସମ୍ବଲପୁର ଗଲା ପରେ ଏକ ସାଧାରଣ ସଭାରେ ଛୁଆଁ-ଅଛୁଆଁ ଭେଦଭାଦ ଦୂର ପାଇଁ ଆହ୍ବାନ
- ମେ-6: ଅନୁଗୋଳରୁ କାର ଯୋଗେ ବ୍ରହ୍ମପୁର ଯାଇଥିଲେ । ଏଠାରେ ଅସ୍ପର୍ଶତାର ବିଭିନ୍ନ ଦିଗ ଉପରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ପରେ ହିନ୍ଦୋଳ ଯାଇ ଆନ୍ଦୋଳନ ପାଇଁ ପୁଞ୍ଜି ସଂଗ୍ରହ କରିଥିଲେ ।
- ମେ-7: ନୀରବ ଦିବସ ପାଳନ
- ମେ-8: ପୁରୀରେ ପହଞ୍ଚି ହରିଜନ ଦିବସ ପାଳନ । ଏଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରିଥିଲେ । ପରେ ମହିଳାଙ୍କ ଦ୍ବାରା ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ସମ୍ବୋଧନ କରିଥିଲେ ।
- ମେ-9: ଭୋର 5ଟା 30 ମିନଟରେ ହରିଜନ ପଦଯାତ୍ରା ଆରମ୍ଭ । ଓଡିଶାର ବହୁ ମାନ୍ୟଗଣ୍ୟ ସଂଗ୍ରାମୀ-ସେନାନୀଙ୍କ ନେତୃତ୍ବରେ ଏହି ପଦଯାତ୍ରା ଆରମ୍ଭ । ପରେ ଚନ୍ଦନପୁରରେ ବାପୁ ଏକ ସାଧାରଣ ସଭାରେ ଯୋଗ ଦେଇ ସେଠାରେ ରାତ୍ରିଯାପନ କରିଥିଲେ ।
- ମେ-10: ସାକ୍ଷୀଗୋପାଳ ଓ ବୀର ପୁରୁଷତ୍ତୋମପୁରରେ ସାଧାରଣ ସଭା ସମ୍ବୋଧନ
- ମେ-11: ବୀର ପୁରଷୋତ୍ତମପୁର ଓ ଦାଣ୍ଡ ମୁକୁନ୍ଦପୁର ଗସ୍ତ ପରେ କୃଷ୍ଣ ମନ୍ଦିର ଧର୍ମଶାଳାରେ ବିଶ୍ରାମ ।
- ମେ-12 : ଶିଉଳା ଗାଁର ଗୁଡିଆପୋଖରୀ ନିକଟରେ ଏକ ସାଧାରଣ ସଭାରେ ଉଦବୋଧନ । ପରେ ବାଳକାଟୀରେ ସାଧାରଣ ସଭାରେ ଯୋଗ ଦେବା ସହ ପାଣ୍ଠି ସଂଗ୍ରହ ।
- ମେ-13: ସତ୍ୟଭାମାପୁରରେ ସଭା, ପରେ ବାଲିଅନ୍ତାରେ ମିଟିଂ ସହ ପାଣ୍ଠି ସଂଗ୍ରହ ଓ ସେଠାରେ ରାତ୍ରୀ ରହଣୀ ।
- ମେ-14: ବାଲିଅନ୍ତାରେ ଗୋଟିଏ ଦିନ ପାଇଁ ମୌନବ୍ରତ
- ମେ-15: ବାଲିଅନ୍ତାରେ ହରିଜନ ଦିବସ ପାଳିତ । ହରିଜନଙ୍କ ପାଇଁ କୁଞ୍ଜବିହାରୀ କମ୍ପ୍ଲେକ୍ସ ଖୋଲାଗଲା ।
- ମେ-16: ବାଲିଅନ୍ତାରୁ ଫେରି କାଜିପାଟଣାର ସାଧାରଣ ସଭାରେ ଉଦବୋଧନ । ସୁଭଦ୍ରାପୁର, ଗୋପାଳପୁର ଓ ତେନ୍ତୁଳିନାଳୀ ଗ୍ରାମବାସୀମାନେ କଲେ ପାଣ୍ଠି ଦାନ କଲେ । କାଠଯୋଡୀ ନଦୀପଠାରେ ସାଧାରଣ ସଭାରେ ଅଭିଭାଷଣ । ଯେଉଁଠି ବ୍ରାହ୍ମଣଙ୍କ ଦ୍ବାରା ବିରୋଧର ଶିକାର । ପରେ ସନ୍ଧ୍ୟାରେ ପାଟନା ଅଭିମୁଖେ ଗସ୍ତ ।
ପୁଣି 1934 ମେ 21ରୁ ଜୁନ 7 ଯାଏଁ ଆସିଥିଲେ ବାପୁ
- ମେ-21: ବରୀ ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ସେଠାରୁ ଚମ୍ପାପୁର ହାଟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଏହି ସ୍ଥାନରେ ଗୋବିନ୍ଦ ଚନ୍ଦ୍ର ମିଶ୍ର ଗାନ୍ଧୀ-ଆଶ୍ରମର ପ୍ରତିଷ୍ଠା କରିଥିଲେ । ଏଠାରୁ ହରିଜନ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟର ମୂଳଦୁଆ ପଡିଥିଲା ।
- ମେ-22: ଚମ୍ପାପୁରର ହରିଜନ ଦିବସ ପାଳନ । ସେଦିନ ସଂନ୍ଧ୍ୟାରେ ବେଢ ଯାଇ ରାତ୍ରୀ ଯାପନମେ-23: ଗୋପିନାଥପୁରରେ ରହି ଫଣ୍ଡ ସଂଗ୍ରହ
- ମେ-24: ପଦଯାତ୍ରୀଙ୍କ ସହ ମିଶି ଗୋପିନାଥପୁରରୁ ବହୁକୁଦ ଅଭିମୁଖେ ଯାଇଥିଲେ । ପରେ ନିକଟସ୍ଥ ଲକ୍ଷ୍ମୀ ନାରାୟଣପୁରରୁ ପାଣ୍ଠି ସଂଗ୍ରହ ।
- ମେ-25: ଶିଶୁଆରେ ପହଞ୍ଚିଥିଲେ ।
- ମେ-26: ନିଶ୍ଚିତକୋଇଲିରେ ଏକ ବିଶାଳ ଜନ ମହାସମରୋହରେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।
- ମେ-27: ଭଗବତପୁରରେ ପାଣ୍ଠି ସଂଗ୍ରହମେ-28: କେନ୍ଦ୍ରାପଡାରେ ପହଞ୍ଚି ନୀରବ ଦିବସ ପାଳନ । ଏହି ସମୟରେ ଆହ୍ଲା ଓ ଆକବର, ହୁଳହୁଳି ଓ ହରିବୋଲ ନାଦରେ ପୂରା ଖଣ୍ଡମଣ୍ଡଳ ପ୍ରକମ୍ପିତ ହେଉଥିଲା ।
- ମେ-29: ଓଡିଆ ଶ୍ରୀମଦ ଭାଗବତ ଓ ଗୀତା ଉପରେ ଗୁରୁତ୍ବ ଦେବାକୁ ବାରମୂଳରେ ପହଞ୍ଚିଥିଲେ ।
- ମେ-30: ଧୁମତ, ଇନ୍ଦୁପୁର ଆଦି ଗ୍ରାମାଞ୍ଚଳ ଭ୍ରମଣ କରି ସାମାଜିକ କ୍ରିୟାକଳାପ ଆଦି ସଂସ୍କାରରେ ସାମିଲ ହୋଇଥିଲେ । ଏହା ପରେ ବରୀ ଅଭିମୁଖେ ବାହାରିପଡିଥିଲେ ବାପୁ ।
- ମେ-31: ବରୀରର ସାହାସପୁରରେ ସାଧାରଣ ସଭା ସମ୍ବୋଧନ ।
- ଜୁନ-1: ପ୍ରବଳ ବର୍ଷା ଯୋଗୁଁ ବୁଦ୍ଧଘାଟରେ ରାତ୍ରୀଯାପନଜୁନ-2: ବରୀରୁ ଯାଜପୁର ଯାତ୍ରା । ଏଠାରେ ଜାତିଭେଦ ଦୂରୀକରଣ ନେଇ ଆହ୍ବାନ ।
- ଜୁନ-3: ଭଣ୍ଡାରୀପୋଖରୀରେ ପହଞ୍ଚିଥିଲେ ।
- ଜୁନ-4: ନୀରବ ଦିବସ ପାଳନ ।
- ଜୁନ-5:ଗରଡପୁରରେ ହରିଜନ ଦିବସ ପାଳନ । ବର୍ଷା ଯୋଗୁଁ ପଦଯାତ୍ରା ସ୍ଥଗିତ ହୋଇଥିଲା । ଏଠାରେ ବାପୁ ରାତ୍ରିଯାପନ କରିଥିଲେ ।
- ଜୁନ-6: ଏକ ସଭାର ଆୟୋଜନ କରି ଟଙ୍କା ସଂଗ୍ରହ କରିଥିଲେ ।
- ଜୁନ-7: ଭଦ୍ରକ ଯାଇ ରାତ୍ରୀଯାପନ, ଭଦ୍ରକର ଜୀବରାମ କଲ୍ୟାଣ କୋଠରୀ(ସମାଜସେବା ପାଇଁ ଉଦ୍ଦିଷ୍ଠ)ରେ ବାପରୁ ରହିଥିଲେ ।
1938 ରେ ଗାନ୍ଧୀଙ୍କ ଓଡିଶା ଯାତ୍ରା
- ମାର୍ଚ୍ଚ-25: ବେରବୋଲରେ ପୂରା ପରିବାର ସହ ମାର୍ଚ୍ଚ 31 ପର୍ଯ୍ୟନ୍ତ ରହିଥିଲେ । ଏଠାକୁ ବହୁ ନେତା ଗାନ୍ଧୀଙ୍କୁ ଭେଟିବାକୁ ଆସୁଥିଲେ । ଏଠାରେ ଗାନ୍ଧୀ କହିଥିଲେ ଉତ୍କଳ(ଓଡିଶା) ମୋ ପାଇଁ ଏକ ତୀର୍ଥସ୍ଥଳ ଭଳି । ହେଲ ଓଡିଶା କାହିଁକି ଗରିବ ? ଏ ନେଇ ସେ ଗୁରୁତ୍ବରୋପ କରିଥିଲେ ।
- ମାର୍ଚ୍ଚ-27: କିପରି ଦେଶକୁ ସାମ୍ପ୍ରଦାୟିକବାଦରକୁ ରକ୍ଷା କରାଯାଇପାରିବ ସେ ନେଇ ସମସ୍ତଙ୍କ ସହ ଆଲୋଚନା କରିଥିଲେ ।
- ମାର୍ଚ୍ଚ-28: କସ୍ତୁରବା ଓ ଦୁର୍ଗାବତୀ (ମହାଦେବ ଦେଶାଇଙ୍କ ସ୍ତ୍ରୀ) ମିଶି ପୁରୀ ଜଗନ୍ନାଥ ମନ୍ଦିର ଯାଇଥିଲେ । ସେ ବି ଗାନ୍ଧୀଙ୍କୁ ନ ଜଣାଇ ।
- ମାର୍ଚ୍ଚ-31: ପାରଳାଖେମୁଣ୍ଡି ମହାରାଜାଙ୍କ ସହ ତର୍କବିତର୍କ ।
1946 ରେ ଗାନ୍ଧୀଙ୍କ ଓଡିଶା ଯାତ୍ରା
ଜୁଲାଇ-20: ଗୌହାଟୀରୁ ଟ୍ରେନ ଯୋଗେ ଓଡିଶା ଆସିଥିଲା । ଏହି ସମୟରେ ତାଙ୍କର ଉପଲବ୍ଧି ନେଇ ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର ଆଦି ରେଳ ଷ୍ଟେସନରେ ବହୁଳ ସଂଖ୍ୟାରେ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
‘ଭୁଲ କରିବା ଭୁଲ ନୁହେଁ, ହେଲେ ସେହି ଭୁଲକୁ ବାରମ୍ବାର ଦୋହରାଇବା ମସ୍ତବଡ ଭୁଲ ।’ ଯାହାକୁ ଗାନ୍ଧୀ କେବେ କରିନଥିଲେ । ଆଉ ଏହା ହିଁ ଥିଲା ତାଙ୍କ ନୈତିକ ପ୍ରଗତିର ପୁଞ୍ଜି । ନିଜର ପ୍ରତିଟି ପଦକ୍ଷେପକୁ ଗୋଟି ଗୋଟି କରି ନିରକ୍ଷଣ କରନ୍ତି, ଆଉ ଦୁର୍ବଳତାକୁ ସୁଧାରନ୍ତି ବାପୁ । ଏଇଥି ପାଇଁ ତ ସେ ଭିନ୍ନ ଏବଂ ମହାନ । ଆଉ ଏହି ମହାନ ବ୍ୟକ୍ତିଙ୍କୁ ମହାତ୍ମା କହି ବିଶ୍ବକୁ ନୂଆ ଗାନ୍ଧୀ ଦେଇଥିଲେ ରବୀନ୍ଦ୍ର ନାଥ ଠାକୁର । ଗାନ୍ଧୀଙ୍କ ପାଇଁ ଏହି ମହାତ୍ମା ଉପାଧି ଅନାତ୍ମ ଥିଲା । କେହି ତାଙ୍କୁ ମହାତ୍ମା ବୋଲି ଡାକିଲେ ସେ ପ୍ରଶ୍ନ ଘେରକୁ ଆସିଯାଉଥିଲେ । ଗାନ୍ଧୀଜୀ ଅନ୍ୟ ସାଧାରଣଙ୍କ ମଣିଷଙ୍କ ଭଳି ନିଜକୁ ଭାବୁଥିଲେ । ହେଲେ ତାଙ୍କର ଅନ୍ତର୍ନିହିତ ଚରିତ୍ର ଆଜି ତାଙ୍କୁ ମହାନ ଭାବେ ଚୀର ନମନୀୟ କରିଛି ।
ଥରେ ଆଲବର୍ଟ ଆଇନଷ୍ଟାଇନ କହିଥିଲେ , ଆଗମୀ ପୀଢୀ ବୋଧେ ବିଶ୍ବାସ କରି ନ ପାରେ ଯେ, ହାଡ ମାଂସର ଏପରି ଏକ ମଣିଷ ଯିଏ ସତରେ ଏଇ ଧରିତ୍ରୀରେ ରହିଥିଲା । ଆଉ ତାଙ୍କର ଏହି ଉକ୍ତି ବୋଧେ ଆଜି ଶତ ପ୍ରତିଶନ ନ ହେଲେ ବି ବାସ୍ତବ ଭଳି ମନେ ହେଉଛି । ସେ କେବଳ ଇତିହାସ ପୃଷ୍ଠାରେ ଜୀବନ୍ତ ଓ ସ୍ମୃତି ହୋଇ ରହିଯାଇଛନ୍ତି । କାରଣ ତାଙ୍କର ଆଦର୍ଶ ଓ ବିଚାରଧାରା ଆଜି ହିଂସା- ସ୍ବାର୍ଥପରତାର ପରଳରେ ଲୁଚିଯାଇଛି । ଏସବୁରୁ ଉର୍ଦ୍ଧ୍ବକୁ ଯାଇ ମାନବ ସମାଜ ପାଇଁ ରହିଥିବା ତାଙ୍କର ଅମୂଲ୍ୟ ଯୋଗଦାନକୁ ଓଡିଶା ଅନୁଭବ କରି ମହାଆଡମ୍ବରରେ ପାଳୁଛି , ତାଙ୍କ ଆଗମନର ଶତବାର୍ଷିକ .. ଏହା ନିଶ୍ଚିତ ଭାବେ ଆଜିର ଓ ଆଗାମୀ ପୀଢି ପାଇଁ ପ୍ରେରଣାଦାୟୀ ରହିବ ଓ , ଜଳଜଳ ଦେଖାଇବ ପୁରୁଣା ପୃଷ୍ଠାର ଲିଭିଯାଇଥିବା ଅକ୍ଷରକୁ ..