ଭୁବନେଶ୍ବର: ୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଯାହାଦ୍ବାରା ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । କୋଭିଡ ସତ୍ତ୍ବେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ ବୃଦ୍ଧି ପାଇଛି । ନିକଟରେ ରାଜ୍ୟ ସରକାର ଓଡିଶାରେ ୧ ଲକ୍ଷ ୪୭ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି । ଫଳରେ ୨୦୩୦ ସୁଦ୍ଧା ଓଡିଶା ହେବ ଦେଶର ଇସ୍ପାତ ହବ୍ । ମିଶନ ୨୦୩୦ ବାବଦରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦୩୦ ସୁଦ୍ଧା ଓଡିଶା ହେବ ଦେଶର ଇସ୍ପାତ ହବ: ମୁଖ୍ୟମନ୍ତ୍ରୀ - steel hub odisha
୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ଯାହାଦ୍ବାରା ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । ଅଧିକ ପଢନ୍ତୁ...
୧୧ ହଜାର କୋଟି ଟଙ୍କାର ଢେଙ୍କାନାଳ ରୁଙ୍ଗଟା ମାଇନ୍ସ ଲିମିଟେଡର ସମନ୍ବିତ ଇସ୍ପାତ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରୁ ବର୍ତ୍ତମାନ ୩ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ହେଉଥିବା ବେଳେ, ସମ୍ପ୍ରସାରଣ ପରେ ଏଥିରୁ ୭.୫୫ ମିଲିଅନ ଟନ୍ ଇସ୍ପାତ ଉତ୍ପାଦିତ ହେବ । ଏହି ସଂପ୍ରସାରିତ ପ୍ରକଳ୍ପ ଢେଙ୍କାନାଳ ଜିଲ୍ଲାରେ ଖୁସି ଆଣିଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାର ଲୋକପ୍ରତିନିଧି ମାନଙ୍କୁ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡ଼ିଓ କନଫରେନ୍ସି ଜରିଆରେ ଅନୁଷ୍ଠିତ ହୋଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲା ପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠ ତଥା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ପ୍ରସିଦ୍ଧ । ଢେଙ୍କାନାଳର ଖଣିଜ ସଂପଦର ବିନିଯୋଗ କରି ଏହାକୁ ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବରେ ଗଢିତୋଳିବା ତାଙ୍କର ଲକ୍ଷ୍ୟ । ଏ ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୦୦ ମସିହାରେ ଶାସନ ଦାୟିତ୍ବ ନେବାବେଳେ ରାଜ୍ୟରେ ମାତ୍ର ୨ ମିଲିଅନ ଟନ୍ ଇସ୍ପାତ ଉତ୍ପାଦିତ ହୋଇଥିବା ବେଳେ ବର୍ତ୍ତମାନ ଏହା ୩୦ ମିଲିଅନ ଟନ୍ରେ ପହଞ୍ଚିପାରିଛି ।
ଇସ୍ପାତ କାରଖାନା ଯୋଗୁ ହିଁ ଆମେ ଆଜି ଦେଶର ୧୭ଟି ରାଜ୍ୟକୁ କୋଭିଡର ଦ୍ବିତୀୟ ଲହର ସମୟରେ ଅକ୍ସିଜେନ ଯୋଗାଇ ବହୁ ଜୀବନ ରକ୍ଷା କରିପାରିଛୁ । ତେଣୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଯେପରି ଠିକ୍ ସମୟରେ ଶେଷ ହେବ, ସେଥିପାଇଁ ଲୋକପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଂଚାଳନ କରିଛନ୍ତି । ସେ କହିଛନ୍ତି ଯେ, ୨୦ ବର୍ଷ ତଳେ ଓଡିଶା ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟର ସହଯୋଗ ଉପରେ ନିର୍ଭର କରୁଥିଲା । ଆଜି ଓଡିଶା ଅନ୍ୟ ରାଜ୍ୟକୁ ସହଯୋଗର ହାତ ବଢାଉଛି । ଏହା ସହ ବିକାଶର ଛବିକୁ ଅଧିକ ଉଜ୍ଜଳ କରିପାରିଛି ।
ଢେଙ୍କାନାଳ ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ମାଇଲ ଖୁଣ୍ଟ ହେବ । ଢେଙ୍କାନାଳ ଜିଲ୍ଲାକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମକୁ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସ୍ବାଗତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ, ଡଃ ନୃସିଂହ ସାହୁ, ହିନ୍ଦୋଳ, ଓଡାପଡା ବ୍ଲକ୍ର ଅଧ୍ୟକ୍ଷ, ପ୍ରକଳ୍ପ ଅଞ୍ଚଳର ଲୋକପ୍ରତିନିଧି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଜିଲ୍ଲାର ଆର୍ଥିକ ବିକାଶରେ ଏହି ପ୍ରକଳ୍ପ ବିଶେଷ ସହାୟକ ହେବା ସହ ଯୁବ ସମାଜ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି କରିବ ବୋଲି ଆଶାପ୍ରକାଶ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ