ଭୁବନେଶ୍ବର:ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଆଗରେ ଆଜି(ଶନିବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାସଭବନକୁ ଟମାଟୋ ମାଡ଼ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ । ଯଦି ମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ 7 ଦିନ ପରେ ନବୀନ ନିବାସ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।
ମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଆଗ ପାଲଟିଛି ରଣକ୍ଷେତ୍ର । ମୁହାଁମୁହିଁ ହୋଇଛନ୍ତି ଛାତ୍ର କଂଗ୍ରେସ କର୍ମକର୍ତ୍ତା ଓ ପୋଲିସ । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ଭଳି ପରିସ୍ଥିତି ଉପୁଜିଛି । ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରାଯାଇଛି । ପରେ ମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼ ହୋଇଛି । ଅପରାହ୍ନରେ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଏହି ଆନ୍ଦୋଳନ କରିଛନ୍ତି । ପ୍ରାୟ ଅଧଘଣ୍ଟା ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି ।