ଭୁବନେଶ୍ବର: ଅଭିଶପ୍ତ 2020 । ରାଜନୀତିରୁ ଅର୍ଥନୀତି, ଖେଳରୁ ବିଜ୍ଞାନ, ଶିକ୍ଷାରୁ ସ୍ବାସ୍ଥ୍ୟ ସବୁଥିରେ ଲାଗି ଯାଇଛି ଗ୍ରହଣ । କୋରୋନାର କରାଳ ରୂପ ସବୁ କ୍ଷେତ୍ର ଉପରେ ପକାଇଛି ପ୍ରଭାବ । ହେଲେ ଏହି ସମୟରେ ରାଜ୍ୟ ରାଜନୀତିର ପଶାପାଲିରେ କିଏ ପାଦେ ଆଗକୁ ଯାଇଛି, ତ କିଏ ପଛକୁ । କିଏ ମୈଦାନ ଛାଡିଛି, ତ କିଏ ନୂଆ ଭାବେ ଲୋକଙ୍କ ନିକଟତର ହୋଇଛି । ତେବେ ଏସବୁ ଭିତରେ ନୂଆ ନୂଆ ଷ୍ଟ୍ରାଟେଜୀ ସହିତ ନୂଆ ରଙ୍ଗର ରାଜନୀତି ଦେଖିଛନ୍ତି ଲୋକେ । ଆସନ୍ତୁ ନଜର ପକାଇବା 2020 ରାଜନୀତିର କିଛି ଖଟ୍ଟା ଓ କିଛି ମିଠା କାହାଣୀ ଉପରେ...
ବିରୋଧୀ ଦଳଙ୍କୁ ସିଧାସଳଖ ଟାର୍ଗେଟ କରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ଷ ଶେଷରେ ବର୍ଷିଛନ୍ତି । ଜାତୀୟ ଦଳଙ୍କୁ ଶାଣିତ ଆକ୍ରମଣ କରି ଆଞ୍ଚଳିକ ଦଳ ହିଁ ଲୋକଙ୍କ ସୁଖଦୁଃଖରେ ଠିଆ ହେଉଛି ବୋଲି ଦର୍ଶାଇଛନ୍ତି । ବିଜେଡିର ଯୁବ କାର୍ଯ୍ୟକାରିଣୀ ବୈଠକରେ ଦୁଇ କେନ୍ଦ୍ରୀୟ ଦଳ ବିଜେପି ଓ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରି ଦୁଇ ଦଳର ନେତାମାନେ କ୍ଷମତା ଲୋଭୀ ବୋଲି ଦର୍ଶାଇଛନ୍ତି । କଂଗ୍ରେସ ଯେପରି ଶୀର୍ଷ ନେତୃତ୍ବଙ୍କ ରିମୋର୍ଟ କଣ୍ଟ୍ରୋଲରେ ଚାଲୁଥିଲା ବିଜେପି ମଧ୍ୟ ସେପରି କରୁଥିବା ନବୀନ କହିଛନ୍ତି । ଏହାସହ ଓଡିଶାର ସ୍ବାର୍ଥ ପାଇଁ କେବଳ ବିଜେଡି ହିଁ ସବୁ କିଛି କରୁଛି କହି ପ୍ରଥମଥର ପାଇଁ ସିଧାସଳଖ ଦୁଇ ଜାତୀୟ ଦଳକୁ ଆକ୍ଷେପ କରିଛନ୍ତି ବିଜେଡି ସୁପ୍ରିମୋ ।
ଅଷ୍ଟମ ଥର ପାଇଁ ନବୀନ ବିଜେଡିର ଅପ୍ରତିଦ୍ଵନ୍ଦ୍ବୀ ସଭାପତି
2020ରେ ପୁଣି ଥରେ ବିଜେଡିର ମଙ୍ଗ ସମ୍ଭାଳିଛନ୍ତି ନବୀନ । ଦଳର ସୁପ୍ରିମୋ ଭାବେ ଅଷ୍ଟମ ଥର ପାଇଁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । 2020 ଫେବୃଆରୀ 26 ତାରିଖରେ ରାଜ୍ୟ ପରିଷଦ ବୈଠକରେ ବିଜେଡି ସାଙ୍ଗଠନିକ ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ଏହି ଘୋଷଣା କରିଥିଲେ । 1997 ମସିହାରୁ ଆଞ୍ଚଳିକ ଦଳ ଭାବେ ସ୍ଥାପିତ ହୋଇଥିବା ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରତି ତିନି ବର୍ଷରେ ହୋଇଥାଏ । ତେବେ ପ୍ରତିଥର ପ୍ରତି ଚଳିତ ବର୍ଷ ବିଜେଡି ସାଙ୍ଗଠନିକ ନିର୍ବାଚନରେ ସଭାପତି ପଦ ପାଇଁ ନବୀନ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାହାକୁ ନେଇ ସେ ଅଷ୍ଟମ ଥର ପାଇଁ ବିଜେଡିର ଅପ୍ରତିଦ୍ଵନ୍ଦୀ ସଭାପତି ହୋଇଥିବା ଚର୍ଚ୍ଚା ହେଉଛି ।
ଏକାନ୍ତବାସରେ ନବୀନ
ଚଳିତ ବର୍ଷ ମହାମାରୀ କୋରୋନା ସହିତ ସାରା ବିଶ୍ବ ଲଢେଇ କରୁଥିବାବେଳେ ଭାରତରେ ଲକଡାଉନ ହୋଇଥିଲା । ପ୍ରଥମେ ଜୀବନ ପରେ ଜୀବିକା ନ୍ୟାୟରେ ଦେଶବାସୀ ଏହାକୁ ଗ୍ରହଣ ମଧ୍ୟ କରିଥିଲେ । ସାମାଜିକ ଦୂରତା ରକ୍ଷାକରି ମାସ୍କ ପିନ୍ଧି ସମସ୍ତଙ୍କ ଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମସ୍ତେ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଭେଟୁ ନଥିବା ଜଣାପଡିଥିଲା । ନବୀନ ନିବାସରୁ ହିଁ ଭିସି (video conferencing) ଯୋଗେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ ସେ । ଏହାସହ ଭିସି ଯୋଗେ ଅନେକ ବୈଠକରେ ଯୋଗଦେଇ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦେଉଥିଲେ । ଆଉ ଏକାନ୍ତବାସରେ ରହି ଶାସନକାର୍ଯ୍ୟ ପରିଚାଳନା କରୁଥିଲେ ନବୀନ ।
ବିଜେଡିରେ ବଢିଲା ବବି ଦାସଙ୍କ କ୍ଷମତା
2020 ରାଜନୀତିରେ ବିଜେଡିରେ ବଢିଛି ବବି ଦାସ ଓରଫ୍ ପ୍ରଣବ ପ୍ରକାଶ ଦାସଙ୍କ କ୍ଷମତା। ଦଳର ସୁପ୍ରିମୋ ତାଙ୍କୁ ବିଜେଡି ସାଙ୍ଗଠନିକ ସମ୍ପାଦକ ଭାବେ ନିଯୁକ୍ତି ଦେବା ପରେ ଦଳରେ ତାଙ୍କ ପତିଆରା ବୃଦ୍ଧି ପାଇଛି । ପୂର୍ବରୁ ବିଜେଡିର ସଙ୍କଟମୋଚକ ଭାବେ ପରିଚିତ ଥିବା ବବିଙ୍କୁ ଏହି ଗୁରୁଦାୟିତ୍ବ ଦେଇ ନବୀନ ତାଙ୍କୁ ପୁରସ୍କୃତ କରିଥିବା ଚର୍ଚ୍ଚା ହେଉଛି । 2014 ଓ 2019 ସାଧାରଣ ନିର୍ବାଚନ ଏବଂ ବିଜେପୁର ଓ ପାଟକୁରା ଉପନିର୍ବାଚନରେ ବବିଙ୍କ ସାଙ୍ଗଠନିକ ଦକ୍ଷତାକୁ ପ୍ରଶଂସା କରିବା ସହ ଏହି ଦାୟିତ୍ବ ତାଙ୍କୁ ସୁପ୍ରିମୋ ଦେଇଛନ୍ତି । ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହେବା ପରେ ନବୀନ ଏହି ଘୋଷଣା କରିଥିଲେ । ଏହାସହ ବବିଙ୍କୁ ଏହି ଦାୟିତ୍ବ ଦେଇ ବିଜେଡି ଯେ ଯୁବ ଚେହେରାକୁ ଗୁରୁତ୍ବ ଦିଏ ତାହାର ପ୍ରମାଣ ମଧ୍ୟ ଛାଡିଥିଲେ ।
ପ୍ରଦୀପଙ୍କ ପତିଆରା ଶେଷ , ଜନବିରୋଧି ଦର୍ଶାଇ ବିଜେଡିରୁ ବହିଷ୍କାର
ଏକଦା ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପତିଆରାକୁ ଗୋଟିଏ ଝଟକାରେ ଶେଷ କରିଦେଇଛନ୍ତି ନବୀନ । ଏପରିକି ଗଞ୍ଜାମ ଜିଲ୍ଲାରେ ଅଖଣ୍ଡ କ୍ଷମତାର ଅଧିକାରୀ ଥିବା ପୂର୍ବତନ ମନ୍ତ୍ରୀଙ୍କୁ 'ଜନବିରୋଧି' ଦର୍ଶାଇ ବିଜେଡିରୁ ବହିଷ୍କାର କରିଛନ୍ତି । ପୂର୍ବରୁ ଅନେକ ନେତାଙ୍କୁ ଦଳ ପକ୍ଷରୁ ଦୁର୍ନୀତିରେ ସମ୍ପୃକ୍ତ ଥିବା ଦର୍ଶାଇ ବହିଷ୍କାର କରାଯାଇଥିବା ତଥା ଦଳବିରୋଧି ପାଇଁ ବହିଷ୍କାର କରାଯାଉଥିବାବେଳେ ପ୍ରଥମ ଥର ପାଇଁ ଜନବିରୋଧି ଆଖ୍ୟାରେ ଜଣେ ଜନପ୍ରତିନିଧିଙ୍କୁ ଏପରି ବହିଷ୍କାର କରିଥିବାର ଚିତ୍ର ସାମ୍ନାକୁ ଆସିଛି । ତେବେ ଦଳର ହାତ ପ୍ରଦୀପଙ୍କ ଉପରୁ ଉଠିଯିବା ପରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ ଅଫିସର ଅଭୟ ପାଠକ ଓ ତାଙ୍କ ପୁଅ ଲିଙ୍କରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।
କୋଭିଡ୍ ସମୟରେ ନେତାଙ୍କ ଅଜ୍ଞାତବାସ
2020 ମସିହା ସାରା ବିଶ୍ବପାଇଁ ସଙ୍କଟ ଆଣିଥିବାବେଳେ ଓଡିଶା ମଧ୍ୟ ସେଥିରୁ ବାଦ ପଡିନି । କୋଭିଡ୍ ମହାମାରୀରେ ରାଜ୍ୟ ମଧ୍ୟ ଆଉଟୁପାଉଟୁ ହେଉଛି । ଆଉ ଏହି ସମୟରେ ଏହାକୁ ମୁକାବିଲା କରିବାକୁ ଓଡିଶା ଅଗ୍ରଣୀ ହୋଇ ନେତୃତ୍ବ ନେଇଥିଲା । ହେଲେ ବଡ କଥା ହେଉଛି ଏଭଳି କାମକୁ କରି ଦେଖାଇଥିଲେ ପ୍ରଶାସନିକ ଅଧିକାରୀ । ନେତାମାନେ ଏହି ସମୟରେ ଅଜ୍ଞାତବାସରେ ଥିବାବେଳେ ପ୍ରଶାସନିକ ଅଧିକାରୀ ହିଁ ଏହାକୁ କରି ଦେଖାଇଥିବା ଚିତ୍ର ସାମ୍ନାକୁ ଆସିଥିଲା ।
ଉପନିର୍ବାଚନ ସଫଳତା ଦୋହରାଇଲା ବିଜେଡି
2020 ମସିହାରେ ରାଜ୍ୟରେ ଦୁଇଟି ଉପନିର୍ବାଚନ ହୋଇଥିଲା । ବାଲେଶ୍ବର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଦୁଇଟି ଆସନରେ ତତ୍କାଳୀନ ବିଧାୟକଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହୋଇଥିବାବେଳେ ଦୁଇଟି ଯାକରେ ବିଜେଡି ବାଜିମାତ କରିଛି । ଏହାସହ ଦଳରେ ଉପନିର୍ବାଚନରେ ଥିବା ଟ୍ରାକ ରେକର୍ଡକୁ ବଜାୟ ରଖିଛି । ବାଲେଶ୍ବର ସଦର ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ବିଜୟ ହୋଇଛନ୍ତି । ସେହିପରି ତିର୍ତ୍ତୋଲରେ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଜୟଯୁକ୍ତ ହୋଇଛନ୍ତି । ତେବେ ସବୁଠୁ ବଡ କଥା ହେଲା 2019 ସାଧାରଣ ନିର୍ବାଚନରେ ବାଲେଶ୍ବର ଆସନ ବିଜେପି ଖାତାକୁ ଯାଇଥିବାବେଳେ ଉପନିର୍ବାଚନରେ ପୁଣିଥରେ ଏହାକୁ ନିଜ ଖାତାକୁ ଆଣିବାରେ ସକ୍ଷମ ହୋଇଛି ବିଜେଡି ।
ବାଲେଶ୍ବରରେ ବେଣୁ ମଉସା କ୍ରେଜ୍
ବାଲେଶ୍ବର ଉପନିର୍ବାଚନରେ 80 ବର୍ଷୀୟ ବୃଦ୍ଧ ବେଣୁଧର ବାରିକ ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଆସି ବେଶ ଚହଳ ପକାଇଥିଲେ । ଯାତ୍ରା କଳାକାରମାନେ ତାଙ୍କ ପାଇଁ ପ୍ରଚାର କରୁଥିବାବେଳେ ନିର୍ବାଚନ ପୂର୍ବରୁ ମିଡିଆରେ ସେ ଛାଇ ରହିଥିଲେ । ହେଲେ ନିର୍ବାଚନରେ ତାଙ୍କୁ ସେତେଟା ସଫଳତା ମିଳିନଥିଲା । ସେ ମାତ୍ର 1255 ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ ।
ଚାଲିଗଲେ ବିଷ୍ଣୁ, ମହାରଥୀ, ମଦନ
2020 ରାଜ୍ୟର ଅନେକ ଦିବଙ୍ଗତ ନେତାଙ୍କୁ ହରାଇଛି । ତେବେ ଏସବୁ ଭିତରେ ତିନି ଜଣ ବିଧାୟକଙ୍କୁ ହରାଇଛି ରାଜ୍ୟ । ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଓ ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କୁ ହରାଇଛି ଓଡିଶା । ଯାହାକି ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି ।
ଅନୁଭବଙ୍କ ବିବାଦ ବଢିଲା
ବଢିଲା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ତଥା ଛାଡପତ୍ର ମାମଲାରେ ବିବାଦରେ ରହିଲେ ସାଂସଦ । ସ୍ଥିତି ଏପରି ହେଲା ଯେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା । ଏହାସହ ସୋସିଆଲ ମିଡିଆରେ ଅଭିନେତା ସଲମାନ ଖାନଙ୍କୁ ଏକ ଲାଇକ୍ ମାଗି ଟ୍ରୋଲର ଶିକାର ହୋଇଥିଲେ ସେ ।
ବିଜେପିର ନୂଆ ସଭାପତି