ଭୁବନେଶ୍ବର:ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ନେଇ ଉଠୁଛି ପଡୁଛି ରାଜ୍ୟ । ଚାରିଆଡେ ହୋହାଲ୍ଲା । ସବୁଠୁ ବଡ କଥା ହେଉଛି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ ତୁମ୍ବି ତୋଫାନ କରୁଛନ୍ତି ବିରୋଧୀ । ବିରୋଧୀ ଦଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ ବିଭିନ୍ନ ସଙ୍ଗଠନ ମଧ୍ୟ ମମିତାଙ୍କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପରୋକ୍ଷ ଭାବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସାଂସଦ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ଓଡିଶାରେ ବର୍ତ୍ତମାନ ମହିଳା ଅସୁରକ୍ଷିତ । NCRB ରିପୋର୍ଟ ଅନୁଯାୟୀ, ଓଡିଶା ମହିଳା ଶୋଷଣରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ପରିଚୟ ପାଇଛି । ରାଜ୍ୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଛି ଏବଂ ଏଥିରେ ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି । ଯାହା ଅତ୍ୟନ୍ତ ଭୟଙ୍କର । ଏହି ମୃତ୍ୟୁ ଘଟଣା ପ୍ରତି ଜାତୀୟ ଗଣମାଧ୍ୟମ ଧ୍ୟାନ ଦେବ କି ବୋଲି ଟ୍ବିଟ୍ ଯୋଗେ ପ୍ରଶ୍ନ କରିଛନ୍ତି ଅପରାଜିତା ଷଡଙ୍ଗୀ ।