ଭୁବନେଶ୍ବର: ଏକ ଛୋଟିଆ ରାଜ୍ୟ ଓଡିଶା । ତା'ର ଆଞ୍ଚଳିକ ଦଳ BJD କୁ ନେଇ ବେଶ୍ ହସ-ଖୁସି ଏବଂ ସୁଶାନରେ ଚାଲିଛି ବୋଲି ଦୁନିଆକୁ ଦୃଶ୍ୟମାନ । ଏପରିକି ଏ ରାଜ୍ୟର ମୁଖିଆ ମଧ୍ୟ ସୁଶାସକ ଭାବେ କଉ କମ୍ ସୁନାମ ମଧ୍ୟ କମାଇନାହାନ୍ତି । କମାଇବେନି ବା କିପରି ? କୋରୋନା ସହ ଲଢିବା ହେଉ କି ବିରୋଧୀଙ୍କ ସହ ଯୁଦ୍ଧ, ସବୁଥିରେ ଜିତାପଟ ରାଇଜର ମୁଖିଆଙ୍କର । ଆଉ ତା ସାଙ୍ଗକୁ ବିପଦର ପ୍ରହାର ସମୟରେ ଜୀବନ ସଞ୍ଜିବନୀ ଅମ୍ଳଜାନ ଦାନ କରି ନୂଆ ଇତିହାସ ରଚିବା... ସବୁ ଦେଖିଲେ ଯେପରି ମନେ ହୁଏ, ଏ ଛୋଟିଆ ରାଜ୍ୟରେ ସବୁକିଛି ଠିକଠାକ୍ । ହେଲେ ଯେଉଁଠି ଜୁଆର, ସେଇଠି ଭଟ୍ଟା... ଯେଉଁଠି ଅନୁକୂଳ, ସେଇଠି ପ୍ରତିକୂଳ... ଭଲ-ମନ୍ଦ, ସୁଖ-ଦୁଃଖ ଇତ୍ୟାଦି ଇତ୍ୟାଦି ଏ ପ୍ରକୃତିର ନିୟମରୁ ବ୍ୟକ୍ତି, ସମାଜ, ରାଷ୍ଟ୍ର ବାଦ୍ ପଡିବବା କିପରି । ତେଣୁ ବର୍ଷ 2021 ମଧ୍ୟ ବିବାଦର ଏକ ଲମ୍ବା ତାଲିକା ଦେଇଯାଇଛି ଓଡିଶା ଇତିହାସକୁ, ଯେଉଁ ପୃଷ୍ଠାକୁ ଲେଉଟାଇଲେ କମ୍ ପଡିଯିବ ଦିନ-ରାତି ।
ମାହାଙ୍ଗା ମର୍ଡର କେସ୍ ଠୁ ମହାଲିଙ୍ଗ, ଅନଲାଇନ-ଅଫଲାଇନ ପରୀକ୍ଷା ବିବାଦ, ପୂର୍ବ ନିର୍ଦ୍ଧାରିତ ମାର୍କରେ ଅସନ୍ତୋଷ, କୋଟିଆରେ ଭୂମି କନ୍ଦଳ, ଗୃହରେ ଇସ୍ତଫା ହଟ୍ଟଗୋଳ, କୋଭିଡ ମୃତ୍ୟୁ ଲୁଚାଇବା, ମୁକୁଳା ଡ୍ରେନରେ ଛାତ୍ର ଭାସିଯିବା, ଘୋଡା ସ୍ଥାନାନ୍ତର, ଠାକୁର ଜମି ବିବାଦ, ବ୍ୟାସକବିଙ୍କ ଆତ୍ମଜୀବନୀକୁ ଅଙ୍କୁଶ ଏବଂ ସର୍ବୋପରି ନିର୍ବାଚନରେ ଓବିସି ସଂରକ୍ଷଣ ଏସବୁ ବିବାଦ 2021 ଇତିହାସ ଫର୍ଦ୍ଦରେ ଲିପିବଦ୍ଧ ।
ମାହଙ୍ଗା ଠୁ ମହାଲିଙ୍ଗ ଛାଇଗଲା ବିବାଦ
ବର୍ଷ ଆରମ୍ଭ ହୋଇଥାଏ । ଠିକ୍ ସେତିକି ବେଳେ ମାହାଙ୍ଗା ଡବଲ୍ ମର୍ଡର ଘଟଣା ରାଜ୍ୟରେ ଖେଳାଇ ଦେଇଥିଲା ଆଲୋଡନ । ପୂର୍ବତନ ପଞ୍ଚାୟତ ସମିତି ଅଧ୍ଯକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ହତ୍ୟା ନେଇ ଚାଞ୍ଚଲ୍ଯ ଖେଳିଯାଇଥିଲା ସାରା ରାଜ୍ୟରେ । ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ହେଉ ଅବା ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳର ସନ୍ଦେହଜନକ ମୃତ୍ୟ ସବୁକିଛି ବିବାଦ ସୃଷ୍ଟି କରିଥିଲା । ଏପରି ଚାର୍ଜସିଟରୁ ମନ୍ତ୍ରୀଙ୍କ ନାମ କାଟିବା ମହଙ୍ଗା ପଡିଥିଲା ପୋଲିସ ପାଇଁ । ମାମଲାର ରହସ୍ୟ ଉନ୍ମୋଚନ ପାଇଁ କୋର୍ଟ ସିଡିଆଇ ଦାଖଲ ସହ ମାହାଙ୍ଗା ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଇଆଇସି କୋର୍ଟଙ୍କୁ ଫାଙ୍କିବା ପରେ ରାଜ୍ୟବ୍ୟାପୀ ବିବାଦ ଛାଇ ଯାଇଥିଲା । ଏପରି ଆଇନ ମନ୍ତ୍ରୀ କ୍ରାଇମ ମନ୍ତ୍ରୀ ନାରା ବିଜିଲା ସାରା ରାଜ୍ଯରେ ଏବଂ ମନ୍ତ୍ରୀଙ୍କ ଇସ୍ତଫା ବିବାଦ ଆଗରେ ରହିଲା ।
ସେହିପରି କଳାହାଣ୍ଡି ମାହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ଭାରି ପଡିଥିଲା ସରକାରଙ୍କୁ । ଶିକ୍ଷୟିତ୍ରୀଙ୍କ ନିଖୋଜ ଅଭିଯୋଗକୁ ପୋଲିସ ନ ରଖିବା, ମାହାଲିଙ୍ଗ କଲେଜକୁ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବାରମ୍ବାର ଗସ୍ତ, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପ୍ରଂଶସା ଏବଂ ପୋଲିସ ବାରାକରୁ ଗୋବିନ୍ଦ ସାହୁ ଖସିଯିବା ଇତ୍ୟାଦି ବିବାଦର ତାଲିକା ବନାଇଦେଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସ ଗୋବିନ୍ଦ ସାହୁ ଏବଂ ତା ସହଯୋଗୀ ରାଧେକୁ ଗିରଫ କରିଥିଲା ସତ, ହେଲେ ମନ୍ତ୍ରୀ ମିଶ୍ରଙ୍କ ଇସ୍ତଫା ଦାବି ଆନ୍ଦୋଳନକୁ ଅନ୍ୟ ଏକ ଦିଗକୁ ନେଇ ଯାଇଥିଲା ।
ମନ୍ତ୍ରୀଙ୍କ ଇସ୍ତଫା ପାଇଁ ପ୍ରତିଦିନ କୋର୍ଟ, କଚେରୀ, ରାସ୍ତା-ଘାଟ ଏପରିକି ନବୀନ ନିବାସ ମଧ୍ୟ ଘେରିଥିଲେ ବିରୋଧୀ । ଅଣ୍ଡା ମାଡ ଠୁ ଆରମ୍ଭ କରି ରାଜ୍ୟ ବ୍ୟାପୀ ପ୍ରତିବାଦର ନିଆଁ ଜଳିଥିଲା । କିନ୍ତୁ ବିବାଦ ନା ଥମିଥିଲା, ନା ମେଣ୍ଟିଥିଲା । ବର୍ଷ ଟା କେବଳ ରହସ୍ୟ ଘେରରେ ହିଁ ରହିଯାଇଥିଲା ।
ଗୃହରେ ଇସ୍ତଫା ହଟ୍ଟଗୋଳ:-
ବିଧାନସଭାରେ ବିଶେଷ କରି ବିଲ୍ ଆଗତକୁ ନେଇ ହଟ୍ଟଗୋଳ ଶୁଣିଥିବେ । ହେଲେ ବିଧାୟକଙ୍କ ପ୍ରବେଶକୁ ନେଇ ହଟ୍ଟଗୋଳ ବୋଧ ହୁଏ 2021 ବର୍ଷରେ ପ୍ରଥମ କରି ଶୁଣିବାକୁ ମିଳିଥିଲା । ମମିତାକୁ ନ୍ୟାୟ ଦାବି ଏବଂ ମନ୍ତ୍ରୀ ମିଶ୍ରଙ୍କ ଇସ୍ତଫା ଜିଦ୍ ରାଜଧାନୀର ରାଜପଥରୁ ଯାଇ ଗୃହରେ ପଡିଥିଲା । ଗୃହ ଆରମ୍ଭରୁ ବିଧାନସଭା ମୁଖ୍ୟ ଫାଟରେ ବସିଥିଲେ ବିରୋଧୀ । ପ୍ରତିଦିନ କେବଳ ମୁଲତବୀ ଖବର ଶୁଣିବାକୁ ମିଳିଥିଲା । ଏପରି ହଟ୍ଟଗୋଳ ହୋଇଥିଲା ଯେ, ମାତ୍ର 9 ଦିନରେ ଗୃହ ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ଷ ସରି ଯାଇଥିଲେ ମଧ୍ୟ ନା ମମିତା ହତ୍ୟାର ସମାଧାନ ହେଲା ନା ମନ୍ତ୍ରୀ ଇସ୍ତଫା ଦେଲେ । ସେପଟେ ୯ ଦିନ ଗୃହ ଚାଲିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ଗୋଟିଏ ବି ଦିନ ଗୃହକୁ ଆସିଲେନି, ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଗୃହ ଅଚଳ ହେବା ପରେ ମଧ୍ୟ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ଏପରି ରୂପ ନେଇଥିଲା ଯେ, ପୋଲିସ ଶେଷରେ ଲାଠିଚାର୍ଜ ମଧ୍ୟ କରିଥିଲା ।
କୋଭିଡ ମୃତ୍ୟୁ ଲୁଚାଇ ବିବାଦରେ ସରକାର:-
ଦେଶରେ ଅନ୍ୟ ରାଜ୍ୟମାନଙ୍କ ପରି ଆମ ସରକାର ମଧ୍ୟ କୋଭିଡ ମୃତ୍ୟୁସଂଖ୍ୟା ଲୁଚାଇ ବିବାଦରେ ପଡିଥିଲେ । ହସ୍ପିଟାଲରେ ପ୍ରାଣ ହରାଉଥିବା ରୋଗୀଙ୍କ ରିପୋର୍ଟ ଯାହା କହୁଥିଲା, ଶ୍ମଶାନରେ ଭିନ୍ନ ଚିତ୍ର ରହୁଥିଲା । ପ୍ରତିଦିନ ସରକାର ଦେଉଥିବା କୋଭିଡ ମୃତ୍ୟୁସଂଖ୍ୟା କିନ୍ତୁ ଦାହ ହେଉଥିବା ମୃତ୍ୟୁସଂଖ୍ୟା ଠାରୁ କମ୍ ଥିଲା । ଏହାପରେ ସଂକ୍ରମଣ ହାର କମିବା ସମୟରେ ମୃତ୍ୟୁସଂଖ୍ୟା ବଢୁଥିଲା । ଯାହାକୁ ନେଇ ରାଜ୍ୟ ସରକାର ବିବାଦରେ ପଡିଥିଲେ ।
କୋଟିଆ ବିବାଦ:-
ଗୃହରେ ବିବାଦ ମଧ୍ୟରେ ପଡୋଶୀ ସହ ବିବାଦ ମଧ୍ୟ କିଛି କମ୍ ନଥିଲା ଚଳିତ ବର୍ଷ । ଜମିକୁ ନେଇ ଆନ୍ଧ୍ର ସହ କୋରାପୁଟ ସୀମା କୋଟିଆ ଗାଁରେ ବିବାଦ ଲାଗି ରହିଥିଲା । ମଝିରେ ମଝିରେ ଆନ୍ଧ୍ର କୋଟିଆରେ ଡାଲି, ଚାଉଳ ବାଣ୍ଟିବା ହେଉ କି ସଡକ ବନାଇବା ସବୁକିଛି ବିବାଦରେ ରହିଥିଲା । ବର୍ଷ ଶେଷ ଆଡକୁ ଆମ ମୁଖିଆ ମଧ୍ୟ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀଙ୍କୁ ଭେଟିଥିଲେ । ଏହାପରେ ବିବାଦ ଥମିଯିବ ବୋଲି ଯେଉଁ ଆଶା ଥିଲା ତାହା କେବଳ ଆଶାରେ ହିଁ ରହି ଯାଇଥିଲା । କାରଣ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଫେରିଯିବା ପରେ ପରେ ପୁଣି କୋଟିଆରେ ବିବାଦ ଦେଖା ଦେଇଥିଲା ।