ଭୁବନେଶ୍ବର: ଆସନ୍ତା 22 ତାରିଖ ଅର୍ଥାତ ଗୁରୁବାର ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ରାଜ୍ୟ କ୍ୟାବିନେଟ ବୈଠକ । ଗୁରୁବାର ଅପରାହ୍ନ ସାଢ଼େ 5ଟାରେ ଏହି ବୈଠକ ବସିବ ।
ମୁଖ୍ୟମନ୍ତ୍ରୀ ଭିସି ଜରିଆରେ କ୍ୟାବିନେଟ ବୈଠକର ଅଧ୍ୟକ୍ଷତା କରିବେ । କ୍ୟାବିନେଟ ମନ୍ତ୍ରୀମାନେ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ । କ୍ୟାବିନେଟ ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ 10ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବ । ଆଗକୁ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା କ୍ୟାବିନେଟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିବେ ସରକାର । ଆସନ୍ତା ବୈଠକରେ ପଞ୍ଚାୟତିରାଜ, ପାନୀୟଜଳ, ମହିଳା ଏବଂ ଶିଶୁ ବିକାଶ, ସ୍ୱାସ୍ଥ୍ୟ, ପୂର୍ତ୍ତ, ନଗର ଉନ୍ନୟନ, ଆଇନ, ଯୋଗାଣ ଓ ସମବାୟ ଆଦି ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ଗତ କ୍ୟାବିନେଟ ବୈଠକ ଅଗଷ୍ଟ 12 ତାରିଖରେ ବସିଥିଲା । ରାଜ୍ୟ କ୍ୟାବିନେଟରେ 17 ପ୍ରସ୍ତାବକୁ ମଞ୍ଜୁରୀ ହୋଇଥିଲା । ମିଶନ ଶକ୍ତି, ପାନୀୟ ଜଳ, ଜଳସେଚନ, ଶିଳ୍ପ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା ରାଜ୍ୟ କ୍ୟାବିନେଟ । ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଆହୁରି 6 ବର୍ଷ ଲାଗି ସମ୍ପ୍ରସାରିତ କରାଯାଇଛି । ଏଥିପାଇଁ 2808 କୋଟି ଟଙ୍କା ଖର୍ଚ୍ଚ କରାଯିବ । 19 ଟି ଜିଲ୍ଲାର 142 ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ ।