ଓଡିଶା

odisha

ETV Bharat / city

Cyclone Update: ଆଶ୍ବସ୍ତି ମିଳିଥିଲେ ବି ସରକାର ପ୍ରସ୍ତୁତ ଥିବା କହିଲେ SRC

ସମ୍ଭାବ୍ଯ ବାତ୍ୟା ନେଇ IMD ର ଆଶ୍ବସ୍ତିକର ସୂଚନା ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର । ଆଶ୍ବସ୍ତି ମିଳିଥିଲେ ମଧ୍ୟ ପୂର୍ବ ପ୍ରସ୍ତୁତି ଜାରି ରହିଥିବା ସୂଚନା । ଅଧିକ ପଢନ୍ତୁ

By

Published : May 7, 2022, 8:58 PM IST

ଆଶ୍ବସ୍ତି ମିଳିଥିଲେ ବି ସରକାର ପ୍ରସ୍ତୁତ ଥିବା କହିଲେ SRC
ଆଶ୍ବସ୍ତି ମିଳିଥିଲେ ବି ସରକାର ପ୍ରସ୍ତୁତ ଥିବା କହିଲେ SRC

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ । ହେଲେ ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ପବନ ହେବ । ଆସନ୍ତାକାଲି 8 ତାରିଖରେ ଚିତ୍ର ସ୍ପଷ୍ଟ ହେବ । ଏହାପରେ ବାତ୍ୟା ଓଡ଼ିଶା ଉପକୂଳରୁ କେତେ ଦୂରରେ ଗତି କରିବ ଜଣାପଡିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

Cyclone Update: ଆଶ୍ବସ୍ତି ମିଳିଥିଲେ ବି ସରକାର ପ୍ରସ୍ତୁତ ଥିବା କହିଲେ SRC

ବାତ୍ୟା ନେଇ IMD ଆଶ୍ୱସ୍ତି ଦେଇଥିଲେ ମଧ୍ୟ ରାଜ୍ୟ ସରକାର ପୂର୍ବ ଯୋଜନା ଅନୁସାରେ ପ୍ରସ୍ତୁତି ଜାରି ରଖିଥିବା କହିଛନ୍ତି SRC । ଏନେଇ ସାମ୍ବାଦିକ ସମ୍ମିଳନୀ କରି SRC କହିଛନ୍ତି ଯେ, 'ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବର୍ତ୍ତମାନ ଏହା ଅବପାତର ରୂପ ନେଇସାରିଛି । ଆଇଏମଡି ସୂଚନା ଅନୁସାରେ ଏହା କାର୍ ନିକୋବର ଦ୍ବୀପ ପୁଞ୍ଜରୁ ୧୫୦ କିମି ଦୂରରେ ପଶ୍ଚିମରେ ଅବସ୍ଥିତ ଅଛି । ପୁରୀଠାରୁ ୧୨୫୦ କିମି ଦୂରରେ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଅଛି । ଏହା ଉତ୍ତର-ପୂର୍ବ ଦିଗକୁ ଗତି କରୁଛି । ଏହା ୧୦ ତାରିଖ ପର୍ଯ୍ୟନ୍ତ ଏହି ଉତ୍ତର-ପୂର୍ବ ଦିଗକୁ ଗତି କରିବ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ମୁହାଁ ହେବ । ୧୦ ମଧ୍ୟାହ୍ନ ସମୟରେ ଉତ୍ତର ଉତ୍ତର ପୂର୍ବ(ଡାହାଣ)କୁ ମୋଡ଼ିବ । ମୋଡିବାବେଳକୁ ପାଖାପାଖି ଉପକୂଳରୁ ଏହା ଯଥେଷ୍ଟ ଦୂରରେ ଥିବ । ପ୍ରାୟ ୧୫୦-୨୦୦ କିମି ଦୂରରେ ଥିବାବେଳେ ଗତିପଥ ବଦଳାଇବ । ଏହାପରେ ଓଡ଼ିଶା ଉପକୂଳର ସମାନ୍ତରାଳ ଭାବରେ ଗତି କରିବ । ଗତି କରି ଉତ୍ତର ବଙ୍ଗୋପସାଗରର ମୁହାଁ ହେବ ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ କିଛି ଅଞ୍ଚଳରେ ପବନ ମଧ୍ୟ ବହିବ । ତେବେ ଆସନ୍ତାକାଲି ଏହାର ସ୍ପଷ୍ଟ ଚିତ୍ର ମିଳିଯିବ । ତାହା ଓଡ଼ିଶା ଉପକୂଳରୁ କେତେ ଦୂରରେ ଗତି କରିବ । ଯଦି ବେଶୀ ଦୂରରେ ଗତି କରେ, ତେବେ ପ୍ରଭାବ କମ ରହିବ । ଯଦି ଟିକେ ପାଖକୁ ଆସେ ତେବେ ପ୍ରଭାବ ସାମାନ୍ୟ ଅଧିକ ରହିବ । ବର୍ତ୍ତମାନର ଆକଳନ ଅନୁସାରେ ପବନର ବେଗ ଉପକୂଳ ଅଞ୍ଚଳରେ ୫୦-୬୦ କିମି ରହିପାରେ । ଏହା ପ୍ରଭାବରେ 10 ତାରିଖ ଦିନ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ୭୦ ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ଆକଳନ କରାଯାଉଛି । 11 ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କଟକ ଜିଲ୍ଲାରେ ବର୍ଷା ହେବ । କେତେକ ସ୍ଥାନରେ ମଧ୍ୟମ କିମ୍ବା ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।'

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ସମୁଦ୍ର ଅଶାନ୍ତ ରହିବ । ଓଡ଼ିଶା ଉପକୂଳରେ ୮ ତାରିଖ ସକାଳୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତାକାଲି ମଧ୍ୟାହ୍ନ ପୂର୍ବରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରାଇ ଅଣାଯିବ । ଏହି କାର୍ଯ୍ୟରେ ସହଯୋଗ ପାଇଁ ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ବର୍ଷା ହେବାକୁ ଥିବାରୁ ଚାଷ କିଛି ମାତ୍ରାରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ମାର୍ଗଦର୍ଶିକା ଜାରି କରିଥିବା SRC କହିଛନ୍ତି ।

ପ୍ରଭାବିତ ସମ୍ଭାବନା ଥିବା ୧୮ ଜିଲ୍ଲାରେ ୮୬୨ ସ୍ଥାୟୀ ସାଇକ୍ଲୋନ ସେଣ୍ଟରେ ୧.୫ ଲକ୍ଷରୁ ଅଧିକ ଲୋକ ରଖିହେବ । ସେହିପରି ୬୬୬୮ ଟି ଆସ୍ଥାୟୀ ବିଲ୍ଡିଂକୁ ଚିହ୍ନଟ କରାଯାଇଛି । ସେଠାରେ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇପାରିବ । ଆବଶ୍ୟକ ପଡ଼ିଲେ ପାଖାପାଖି ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଆମକୁ ଆଶ୍ୱସ୍ତି କରିଛି । କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରାଯାଉଛି । ଆବଶ୍ୟକ ଅନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଯୋଗୁଁ ସାମୟିକ ଭାବେ କିଛି ତଳିଆ ସ୍ଥାନରେ ଜଳ ନିଷ୍କାସନର ସମସ୍ୟା ହୋଇପାରେ । ଏନେଇ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବିଭାଗକୁ ଦାୟିତ୍ବ ଦିଆଯାଇଥିବା ପ୍ରଦୀପ ଜେନା କହିଛନ୍ତି ।


ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details