ଭୁବନେଶ୍ବର: ରାଜ୍ୟରେ ହୁହୁ ହୋଇ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । କୌଣସି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବାପୂର୍ବରୁ ସମସ୍ତ ପ୍ରକାର ପ୍ରତିରକ୍ଷାମୂଳକ ପଦକ୍ଷେପ ନେଉଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।
ଏହି କ୍ରମରେ ଜାନୁଆରୀ ୧୦ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି ।
ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ରହିବ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ରହିବ । କଲେଜ, ୟୁନିଭର୍ସିଟି ବନ୍ଦ ନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
ଖାଲି ଶିକ୍ଷାନୁଷ୍ଠାନ ନୁହେଁ ଶିକ୍ଷାନୁଷ୍ଠାନ ଗୁ଼ଡ଼ିକରେ ଥିବା ହଷ୍ଟେଲ ଗୁ଼ଡ଼ିକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଯେଉଁମାନେ ଅନୁସନ୍ଧାନମୂଳକ ଶିକ୍ଷାର୍ଥୀ (research scholar) ରହିଛନ୍ତି ସେମାନେ ସ୍ବଇଚ୍ଛାରେ ହଷ୍ଟେଲରେ ରହି ପାରିବେ । ତେବେ ଏଥିପାଇଁ କଲେଜ ବା ଶିକ୍ଷାନୁଷ୍ଠାନର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି ।
ଶିକ୍ଷାନୁଷ୍ଠାନ ବନ୍ଦ ନେଇ କର୍ତ୍ତୃପକ୍ଷ ଏକ SOP ବା ବିଜ୍ଞପ୍ତି ଜାରି କରି ଛାତ୍ରଛାତ୍ରୀଙ୍କୁ ସୂଚନା ଦେବେ । ତେବେ ବର୍ତ୍ତମାନ ଜାରି ରହିଥିବା ସମସ୍ତ ଅଫ୍ଲାଇନ ପରୀକ୍ଷା ଗାଇଡଲାଇନ ମୁତାବକ ଜାରି ରହିବ ।