ଭୁବନେଶ୍ବର:ଆଉ କିଛି ସମୟର ଅପେକ୍ଷା । ଆକାଶରେ ଜଲୱା ଦେଖାଇବ ହକ ବିମାନ । ଭାରତୀୟ ବାୟୁସେନା ସୂର୍ଯ୍ୟକିରଣ ଏରୋବେଟିକ ଦଳର ଆଜି ଏୟାର ସୋ’ । ରାଜଧାନୀ କୁଆଖାଇ ନଦୀପଠା ବାଲିଯାତ୍ରା ପଡିଆରେ ସମର କଳା କୌଶଳ ପ୍ରଦର୍ଶନ କରିବେ ବାୟୁବୀର । ପୂର୍ବାହ୍ନ 10ଟାରେ ଆରମ୍ଭ ହେବ ଏୟାର ସୋ । ଗୋଟିଏ ପରେ ଗୋଟିଏ ହକ ବିମାନ ଆଜି ଉଡାଣ ଭରିବେ । ଗତକାଲି (ଗୁରୁବାର) ନୀଳ ଆକାଶରେ ଚିତ୍ତାକର୍ଷକ ଏୟାର ସୋ’ର ରିହଲସଲ ଶେଷ ହୋଇଛି । ରିହଲସଲ ଦେଖିବାକୁ ଲୋକଙ୍କ ଭିଡ ଲାଗିଥିଲା । ଆଜି ଅନୁଷ୍ଠିତ ହେବାକୁ ଥିବା ଏହି ଏୟାର ସୋରେ ରାଜ୍ୟପାଳଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।
ଚିତ୍ତାକର୍ଷକ ଏୟାର ସୋ’ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ଗତକାଲି (ଗୁରୁବାର) ସୋ’ ରିହଲସଲ ଦେଖିବାକୁ ହୋଇଥିବା ସମାଗମରୁ ତାହା ବାରି ହୋଇ ପଡୁଥିଲା । ଏୟାର ସୋ’ ରିହଲସଲକୁ ମନଭରି ଉପଭୋଗ କରିଥିଲେ ଲୋକେ । ଆଜି ଚୂଡାନ୍ତ ଏୟାର ସୋ’ ହେବ । ୨ ଘଣ୍ଟା ୫୦ ମିନିଟ କାଳ ଏହି ଏୟାର ସୋ' ଚାଲିବ । ବାୟୁସେନାର ଇଣ୍ଡସ୍କନ୍ ଟିମ୍ ନେଇ ଆସିଥିବା AN୩୨ ବିମାନ ଓ C-୧୭ ଗ୍ଲୋବ୍ ମାଷ୍ଟର ଆଜି ନୀଳ ଆକାଶରେ ଛାଇଯିବେ । ମୁଖ୍ୟ ଆକର୍ଷଣ ରହିବ ଚାର୍ଲି, ଆରୋହେଡ ଓ ଡାଇମଣ୍ଡ । ତ୍ରିରଙ୍ଗା ରଙ୍ଗରେ ସଜେଇ ହେବ ଆକାଶ । ଦେଶପ୍ରେମ ଗାଥାକୁ ଆକାଶରେ ଦେଖାଇବେ ବାୟୁବୀର ।