ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ୧୫ଟି ଅନ୍ଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରୀ ମାଛ ଚାଷ (Cage Culture) ପାଇଁ ବିଭିନ୍ନ ଉଦ୍ୟୋଗୀ ମାନଙ୍କ ସହିତ ଚୁକ୍ତିପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଅନ୍ଲାଇନ ସେବା ଦ୍ବାରା ମାଛ ଚାଷୀ ଓ ଉଦ୍ୟୋଗୀ ମାନେ ଘରେ ରହି ଅନ୍ଲାଇନ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ସୁବିଧା ପାଇପାରିବେ। ଡଙ୍ଗାର ପଞ୍ଜୀକରଣ ଓ ଲାଇସେନ୍ସ ପ୍ରାପ୍ତି, ଲବଣାତ୍କ ଜଳର ମାଛ ଚାଷର ପଞ୍ଜୀକରଣ, ବିଭିନ୍ନ ଯୋଜନାରେ ରିହାତି ଲାଭ ଆଦି ଅନେକ କାର୍ଯ୍ୟ ସୁବିଧାରେ ହୋଇପାରିବ । ବୃହତ ଓ ମଧ୍ୟମ ଧରଣର ହ୍ରଦରେ କେଜ୍ କଲ୍ଚର ଜରିଆରେ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ନୂତନ ନୀତି ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ରାଜ୍ୟର ବାର୍ଷିକ ମତ୍ସ୍ୟ ଉତ୍ପାଦନ ୧.୨୪ ଟନ୍ ବଢିପାରିବ ଏବଂ ରାଜ୍ୟରେ ମାଛର ସଂପୂର୍ଣ୍ଣ ଚାହିଦା ପୂରଣ ହୋଇପାରିବ । କେଜ୍ କଲ୍ଚର ଦ୍ବାରା ମତ୍ସ୍ୟ କ୍ଷେତ୍ରରେ ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ମିଳିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ହେବ। ଜଳଭଣ୍ଡାର ଲିଜ୍ ରୟାଲଟିରୁ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଗୁଡିକ ଲାଭବାନ ହୋଇପାରିବେ ।
ରାଜ୍ୟର କୃଷି ଉଦ୍ୟୋଗୀ ମାନଙ୍କୁ ରାଜ୍ୟ ସରକାର ବାର୍ଷିକ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଓ ଯୁବକ ମାନଙ୍କୁ ବ୍ୟାପକ ଭାବରେ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର କୃଷିର ଆନୁଷଙ୍ଗିକ କ୍ଷେତ୍ର ଗୁଡିକୁ ରାଜ୍ୟର ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀଙ୍କ ପାଇଁ ଅଭିବୃଦ୍ଧିର ଇଞ୍ଜିନ ଭାବେ ଗ୍ରହଣ କରିଛନ୍ତି ଏବଂ ଏଥିପାଇଁ ଚଳିତ ବର୍ଷ ଏହି କ୍ଷେତ୍ରକୁ ବଜେଟ ପରିମାଣ ଦୁଇ ଗୁଣ ବୃଦ୍ଧି କରାଯାଇଛି । ୨୦୧୯-୨୦ରେ ରାଜ୍ୟର ମତ୍ସ୍ୟ ଓ ପଶୁସଂପଦ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୯ ପ୍ରତିଶତ ରହିଥିଲା । ଯାହାକି ଅନ୍ୟ ପ୍ରାଥମିକ କ୍ଷେତ୍ର ଗୁଡିକ ଠାରୁ ଯଥେଷ୍ଟ ଅଧିକ। ଏହା ସହିତ କୋଭିଡ ସମୟରେ ଅନୁଷଙ୍ଗିକ କ୍ଷେତ୍ର ଗୁଡିକ ପାଇଁ ରାଜ୍ୟ ସରକାର ୧୭୩ କୋଟି ଟଙ୍କାର କୋଭିଡ ପ୍ୟାକେଜ କାର୍ଯ୍ୟକାରୀ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ବାରା ୪୪ ହଜାରରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି।