ଭୁବନେଶ୍ବର:ତ୍ବରାନ୍ନିତ ହେବ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ । ରାଜ୍ୟରେ ଚାଲୁ ରହିଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କ୍ଷେତ୍ରରେ ଜମି ଅଧିଗ୍ରହଣ ଦିଗରେ ରହିଥିବା ଅସୁବିଧା ଦୂର ହେବ । ନିର୍ଦ୍ଧାରିତ ସମୟରେ ଏହି ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ । ଏ ନେଇ ଆଜି ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ ।
ବୈଠକରେ ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, କ୍ଷମତାସଂପନ୍ନ ଜମି ଅଧିଗ୍ରହଣ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବର୍ଷାଦିନ ଆରମ୍ଭ ହେବା ପୂର୍ବରୁ ସମସ୍ତ ରାସ୍ତା କାର୍ଯ୍ୟ ସାରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଗମନାଗମନ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି ତଥା ବିକାଶ ଦ୍ବାରା ପ୍ରଗତି ସମ୍ଭବ ।
ଏହା ଦ୍ବାରା ଦେଶର ତଥା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ସହାୟକ ହୋଇଥାଏ । ତେବେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଜମି ଅଧିଗ୍ରହଣରେ ସମସ୍ୟା ରହିଛି । କ୍ଷତିପୂରଣ ପ୍ରଦାନ ତଥା ଉପୁଜୁଥିବା ସମସ୍ୟାର ସମାଧାନ କରିବା ଦିଗରେ ନିର୍ଦ୍ଦେଶ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରି ରାସ୍ତା କାର୍ଯ୍ୟ ଅଗ୍ରଗତି ଦିଗରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।