ଭୁବନେଶ୍ବର:ଓରେରା ନିୟମାବଳୀ-2017ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ଆପାର୍ଟମେଣ୍ଟ କିଣାବିକା ହୋଇପାରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ରିଅଲ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ନିୟମ-2017ରେ ସଂଶୋଧନ ହୋଇଛି । ଓଡ଼ିଶା ରିଅଲ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ସଂଶୋଧିତ ନିୟମ-2022 ଆଣିଛନ୍ତି । ଏଥିରେ ଗ୍ରାହକଙ୍କ ପାଇଁ ବ୍ୟାପକ ସୁବିଧା କରାଯାଇଛି । ରିଅଲ ଇଷ୍ଟେଟ(Real Estate) ସଂସ୍ଥା କ୍ରେତାଙ୍କୁ ଅତିରିକ୍ତ ଦେୟ ଚାର୍ଜ କରି ଠକି ପାରିବେନି ସେନେଇ ନିୟମରେ ସଂଶୋଧନ ଅଣାଯାଇଛି ।
ସଂଶୋଧିତ ନିୟମ ଅନୁଯାୟୀ, ଏଣିକି ରିଅଲ ଇଷ୍ଟେଟ୍ ସଂସ୍ଥା ଘର/ଜମି କ୍ରେତାଙ୍କ ଠାରୁ ଜିଏସଟି, ସେସ ଓ ଅନ୍ୟାନ୍ୟ ଟିକସ ନେଇପାରିବେନାହିଁ । ସେମାନେ ଘର ମୂଲ୍ୟ ବାଦ କିଛି ଟିକସ ନେଇପାରିବେ ନାହିଁ । ଯଦି ଭବିଷ୍ୟତରେ କିଛି ଟିକସ ବ୍ୟବସ୍ଥା ବଦଳେ ତେବେ ଅତିରିକ୍ତ ଟିକସ କ୍ରେତା ଦେବେ । ରିଅଲ ଇଷ୍ଟେଟ୍ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ, ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ ।
ସେହିପରି ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ପ୍ରକଳ୍ପ ଶେଷ ହେଲେ ଗ୍ରାହକଙ୍କୁ ଘର ପାଇଁ ଅଧିକ ଅର୍ଥ ଦେବାକୁ ପଡିବ ନାହିଁ । ରିଅଲ ଇଷ୍ଟେଟ ସଂସ୍ଥା ମଧ୍ୟ ଏନେଇ ବାଧ୍ୟ କରିପାରିବନାହିଁ । ଆପାର୍ଟମେଣ୍ଟରେ ସର୍ବସାଧାରଣ ବ୍ୟବହାର ପାଇଁ ଥିବା ଅଞ୍ଚଳଗୁଡ଼ିକୁ ପୃଥକ ପୃଥକ କରି ବିକ୍ରି କରାଯାଇପାରିବନାହିଁ । ଏହାଦ୍ବାରା ବିଲ୍ଡରମାନେ ପାର୍କିଂ ଅଞ୍ଚଳ ବାବଦକୁ ଯେଉଁ ଅର୍ଥ ନେଉଥିଲେ ତାହା ନେଇପାରିବେନାହିଁ । ଏପରିକି ସମସ୍ତେ ସବୁ ଅଞ୍ଚଳକୁ ବ୍ୟବହାର କରିପାରିବେ । ପାର୍କିଂ ଅଞ୍ଚଳରେ କୌଣସି କଟକଣା ରହିବନାହିଁ । ସର୍ବସାଧାରଣ ସ୍ଥାନରେ ଅଗ୍ନି ନିର୍ବାପକ ସରଞ୍ଜାମ ଲାଗିଥିଲେ ଏହା ବାବଦକୁ ବିକ୍ରେତା ଅତିରିକ୍ତ ଅର୍ଥ ନେଇପାରିବେନାହିଁ । ତାହା ଘର ମୂଲ୍ୟରେ ଅନ୍ତର୍ଭୁକ୍ତ ହେବ ।