ଭୁବନେଶ୍ବର: ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ଅତି ସଙ୍ଗୀନ । ବୁଧବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାସ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ । ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ସହ ପାଠ ପଢାରେ ବାନ୍ଧି ରଖିବା ପାଇଁ ପୁଷ୍ଟିକର ମଧ୍ଯାହ୍ନ ଭୋଜନ ସହ ମାଗଣା ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଉଛି । ଏହା ସତ୍ତ୍ବେ ଛାତ୍ରଛାତ୍ରୀ ଅଧାରୁ ପାଠ ପଢା ଛାଡୁଛନ୍ତି । ରାଜ୍ୟରେ ରାୟଗଡା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା ମନ୍ତ୍ରୀ ବିଧାନସଭାରେ ସ୍ବୀକାର କରିଛନ୍ତି ।
ମନ୍ତ୍ରୀ ତାଳିକା ଦେଇ କହିଛନ୍ତି, ପ୍ରାଥମିକ ଶିକ୍ଷାସ୍ତରରେ ରାୟଗଡାରେ ସର୍ବାଧିକ 11.67 ପ୍ରତିଶତ ଛାତ୍ରଛାତ୍ରୀ ପ୍ରାଥମିକ ସ୍ତରରେ ପାଠପଢା ଛାଡୁଥିବା ବେଳେ 17.10 ପ୍ରତିଶତ ଉଚ୍ଚ ପ୍ରାଥମିକ ସ୍ତରରେ ଜିଲ୍ଲାରେ ପାଠ ପଢା ଛାଡୁଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରେ ପ୍ରାଥମିକ ସ୍ତରରେ ଏହା 8.46 ପ୍ରତିଶତ ରହିଥିବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ପାଠପଢା ଛାଡିବା ରହିଛି 11.36 ପ୍ରତିଶତ ।