ଭୁବନେଶ୍ବର:ବାତ୍ୟା ଜୱାଦ (Cyclone Jawad) ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ (PCC President Niranjan Patnaik) । ନିରଞ୍ଜନ ନିଜ ଚିଠିରେ ଉଲ୍ଲେଖ କରି କହିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ‘ବାତ୍ୟା ଜୱାଦ’ ଓଡିଶାର ସ୍ଥଳ ଭାଗ ଛୁଇଁ ନାହିଁ ସତ, କିନ୍ତୁ ଏହି ବାତ୍ୟା ଓ ଲଗାଣ ବର୍ଷା ଜନିତ କ୍ଷୟକ୍ଷତିର ପରିଣାମକୁ ଦେଖି ଯେଉଁ କେତୋଟି ପ୍ରସଙ୍ଗ ମୋତେ ଆନ୍ଦୋଳିତ କରୁଛି, ତାହାର ସମାଧାନ ପାଇଁ ମୁଁ ଆପଣଙ୍କୁ ଏ ପତ୍ର ଲେଖୁଛି । ଦୈବି ଦୁର୍ବିପାକ କାହା ହାତର କଥା ନୁହେଁ । ତେଣୁ ଏଥିପାଇଁ କାହାକୁ ଦାୟୀ କରିହେବ ନାହିଁ । କିନ୍ତୁ ଦୁର୍ବିପାକ ପରବର୍ତ୍ତୀ ପ୍ରସଙ୍ଗର ସୁପରିଚାଳନା ଦାୟିତ୍ବ ସରକାରଙ୍କର ।
ଏଥିରେ ସାମାନ୍ୟ ଅଦୂରଦର୍ଶିତା ବା ଦାୟିତ୍ବହୀନତା ରହିଲେ ତାହା ଦୁର୍ବିପାକର ଦୁଃଖଠାରୁ ଅଧିକ ହୋଇଯାଏ । ଆମ ଉପକୂଳ ଅଞ୍ଚଳରେ ଚାଷୀମାନେ ସାଧାରଣତଃ ଲମ୍ବା ଧାନ ଚାଷ କରନ୍ତି । ଏହି ଧାନ କଟା ଡିସେମ୍ବର ମାସରୁ ଆରମ୍ଭ ହୁଏ । କିନ୍ତୁ ଚଳିତବର୍ଷ ଅନାବୃଷ୍ଟି ଯୋଗୁଁ ଧାନ ଚାଷ ପ୍ରାୟ ବିଳମ୍ବ ହୋଇଥିଲା । ମରୁଡିରେ ପ୍ରାୟ ୭୦ ଭାଗ ଧାନ ଫସଲ ନଷ୍ଟ ହୋଇଯିବାପରେ ୩୦ ଭାଗ ଫସଲ ଏଇ ଡିସେମ୍ବର ଶେଷ ସପ୍ତାହରେ ଅମଳ ହୋଇଥାନ୍ତା । କିନ୍ତୁ ଜୱାଦ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଧାନ କ୍ଷେତରେ ବଳିପଡିଥିବା ଧାନ ଏବେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଯେଉଁ କେତୋଟି ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଛି, ତାହା ଆପଣଙ୍କ ସାମ୍ନାରେ ମୁଁ ଉପସ୍ଥାପନ କରି ତାହାର ଉତ୍ତର ଆଶା କରୁଛି ବୋଲି ନିରଞ୍ଜନ କହିଛନ୍ତି । ଆପଣଙ୍କ ନେତୃତ୍ବାଧିନ ସରକାରର ଆନ୍ତରିକତା ଅଭାବରୁ ଓ ଭୁଲ କୃଷିନୀତି ଯୋଗୁଁ ଏ ପର୍ଯ୍ୟନ୍ତ ଓଡିଶାର ଭାଗଚାଷୀମାନଙ୍କୁ ଚିହ୍ନଟ କରାଯାଇ ପାରିଲା ନାହିଁ । ଯାହାଫଳରେ ଚାଷ ଜମିରେ ମାଲିକ ପରିବର୍ତ୍ତେ ପ୍ରକୃତ ଭାଗଚାଷୀ ଚାଷ କରୁଥିଲେ ମଧ୍ୟ ସେ ସମସ୍ତ ଯୋଜନାରେ ସୁଫଳ ପାଇବାରୁ ବଞ୍ଚିତ ହେଉଛି । ପ୍ରଥମତଃ ଫସଲବୀମା କଥା ବିଚାର କରାଯାଉ । ଶତକଡା ମାତ୍ର ୨ ଭାଗ ପ୍ରିମିୟମ ଦେବାକୁ ପଡୁଥିଲେ ମଧ୍ୟ ଫସଲବୀମା କରିବାକୁ ଚାଷୀ ଆଗ୍ରହ ପ୍ରକାଶ କରୁନାହିଁ କାହିଁକି? କାରଣ, ଭାଗଚାଷୀଙ୍କ ପାଇଁ ଏଥିରେ କୌଣସି ସୁବିଧା ନାହିଁ ଓ ପ୍ରକୃତ ଚାଷୀ ତା’ର କ୍ଷୟକ୍ଷତିକୁ ଦର୍ଶାଇବାରେ କରିବାରେ ଯେଉଁ ପ୍ରକାର ଜଟିଳ ନିୟମ ଅଛି, ସେଥିପାଇଁ ଚାଷୀ ଫସଲବୀମା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ସମସ୍ତ ଚାଷୀ କିପରି ଫସଲବୀମାର ସୁଯୋଗ ସହଜରେ ପାଇପାରିବ, ସେ ଦିଗରେ ଆପଣଙ୍କ ସରକାରର କିଛି ଯୋଜନା ଅଛି କି? ଦ୍ବିତୀୟତଃ ବାରମ୍ବାର ବନ୍ୟା ବାତ୍ୟାରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ସେସବୁ ରିଲିଫ କୋଡରେ ଆବଶ୍ୟକ ବ୍ୟବସ୍ଥା କରାଯାଉନି ।