ଭୁବନେଶ୍ବର: କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରାନ (Corona New Variant Omicron) ବର୍ତ୍ତମାନ ଦେଶ ତଥା ବିଶ୍ୱସ୍ତରରେ ଆତଙ୍କ ସୃଷ୍ଟି କରିଚାଲିଛି । ଲକଡାଉନ, ସଟଡାଉନ ଭଳି ପରିସ୍ଥିତି ସୃଷ୍ଟି ହେଲଣି । ସେପଟେ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ଫେବୃଆରୀ ମାସରେ ଓମିକ୍ରନ ପିକରେ ରହିବ ବୋଲି କହିଛନ୍ତି । ଏପରିକ୍ଷେତ୍ରରେ ତରବରିଆ ଭାବେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିବା ସହ କାହା ପରାମର୍ଶରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ମହାସଙ୍ଘ ।
କେନ୍ଦ୍ର ସରକାର 15-18 ବର୍ଷ ପିଲାଙ୍କ ପାଇଁ ଟୀକା ଆସନ୍ତା ଜାନୁଆରୀ 3 ତାରିଖରୁ ଦେବାପାଇଁ ଘୋଷଣା କରିଛନ୍ତି ସେହି ସମୟରେ ତର ତର ହୋଇ କୌଣସି ଆଲୋଚନା ନ କରି ସ୍କୁଲ ଖୋଲିବା ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଅଭିଭାବକ ସଙ୍ଘ କହିଛନ୍ତି । ବେସରକାରୀ ସ୍କୁଲ 1300 କୋଟି ଟଙ୍କlର ବହି ବିକିବା ଓ ପୁରୁଣା ଫି ଆଦାୟ ପାଇଁ ଯେଉଁ ଉଦ୍ଦେଶ୍ୟ କରିଥିଲେ ତାହାକୁ ମନ୍ତ୍ରୀ ଗ୍ରହଣ କରି ନୂଆବର୍ଷ ପାଇଁ ମୁନାଫଖୋରମାନଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ବୋଲି ମହସଙ୍ଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋୟୀ ଅଭିଯୋଗ କରିଛନ୍ତି ।
ଏପଟେ ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ ସ୍କୁଲ ଖୋଲିବାକୁ ସ୍ୱାଗତ କରିଛନ୍ତି । ବହୁ ବିଳମ୍ବ ହେଲେ ମଧ୍ୟ ଶେଷରେ ସ୍କୁଲ ଖୋଲିଛି । ଅନଲାଇନ ପଠାପଢ଼ା ଠିକ ଭାବରେ ହୋଇପାରିନାହିଁ । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଦୁଇ ବର୍ଷ ପରେ ପିଲାମାନେ ସ୍କୁଲକୁ ଯିବେ । ସେମାନଙ୍କ ପାଇଁ ପାଠ ଏକ ବଡ ଚାଲେଞ୍ଜ । ଏହା ଭିତରରେ ବି ସଂକ୍ରମଣକୁ ରୋକି କ୍ଳାସ କରିବା ବଡ ଚାଲେଞ୍ଜ ରହିଛି । ଏପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।