ଭୁବନେଶ୍ବର: ଦୀର୍ଘ ଦୁଇ ମାସର ଉଦ୍ୟମ ପରେ ଦୁବାଇରେ ଫସିଥିବା ଯାଜପୁର ଅଞ୍ଚଳର 4ଶ୍ରମିକ ଉଦ୍ଧାର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କଲା ରାଜ୍ୟ ସରକାରଙ୍କ ମୋ ପରିବାର ଯୋଜନା । ପ୍ରଥମେ କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।
ଯାଜପୁର ଜିଲ୍ଲାର ନାଥପୁର ଗ୍ରାମର ଦୁଇ ଭାଇ ଅଶୋକ କୁମାର ଜେନା ଓ ସୁବାଷ କୁମାର ଜେନା ବିଭିନ୍ନ ସମୟରେ ଯୁବକମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ନିୟମିତ ଭାବେ ଦୁବାଇକୁ ନେଉଥିଲେ । ଏମାନଙ୍କ ପ୍ରଲୋଭନରେ ଯାଜପୁର ଜିଲ୍ଲା କୋଲନାଗିରି ଗ୍ରାମର ଦୀପକ କୁମାର ସେଠୀ, ସଞ୍ଜୟ କୁମାର ଜେନା, ବିଜୟ କୁମାର ସାହୁ ଓ ଅରେଇକଣା ଗ୍ରାମର ଚିରଞ୍ଜିବୀ ଜେନା ଦୁବାଇ ଯାଇଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ଅଫିସରେ ଆବାହକ ଅରୂପ ପଟ୍ଟନାୟକ, ସହ ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଭ୍ୟ ତଥା ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ବରିଷ୍ଠ ପ୍ରଶାସକ ରବୀନ୍ଦ୍ର ସେଠୀ, ଓଡ଼ିଶା ମୋ-ପରିବାର ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ସେମାନଙ୍କୁ ସ୍ବାଗତ କରିଛନ୍ତି ।