ଭୁବନେଶ୍ବର: ଦୈନିକ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଓଡିଆ । ସୋମବାର ଫେରିଛନ୍ତି ୧୭ ହଜାର ୭୦୬ ଜଣ । ସେହିପରି ଆଜି ପର୍ଯ୍ୟନ୍ତ ଫେରିଲେଣି ୨ ଲକ୍ଷ ୫୫ ହଜାର ୪୦୪ ଜଣ । ସରକାରୀ ହିସାବ ଅନୁସାରେ ଆହୁରି ଫେରିବେ 3 ଲକ୍ଷ ।
ଶ୍ରମିକ ସ୍ପେସାଲ ଟ୍ରେନକୁ ଅପେକ୍ଷା କରି ପ୍ରବାସୀଙ୍କ ଆଖିରୁ ମଲାଣି ପାଣି ତେବେ ଗତ ୨୩ ଦିନ ମଧ୍ୟରେ ଭାରତୀୟ ରେଳବାଇ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଛି । ଏପର୍ଯ୍ୟନ୍ତ ପ୍ରାୟ ୩୬ ଲକ୍ଷ ପ୍ରବାସୀ ସେମାନଙ୍କ ନିଜ ରାଜ୍ୟକୁ ଫେରିଯାଇଛନ୍ତି । ପ୍ରବାସୀମାନଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ରେଳ ମନ୍ତ୍ରଣାଳୟ ଆଗାମୀ ୧୦ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁସାରେ ଆଉ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହାଫଳରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ ୩୬ ଲକ୍ଷ ପ୍ରବାସୀ ଉପକୃତ ହେବେ ।
ଏବେ ମାତ୍ର 2 ଲକ୍ଷ ପ୍ରବାସୀ ଓଡିଶା ଆସିଛନ୍ତି, ସରକାରୀ ହିସାବରେ ଆହୁରି 3 ଲକ୍ଷ ଶ୍ରମିକ ଫେରିବେ । ହେଲେ ସେମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ନିର୍ଯ୍ୟାତନା ସାଙ୍ଗକୁ ଭୋକ ଉପାସରେ ଦିନ କାଟୁଛନ୍ତି । ସରକାରଙ୍କୁ ଅପିଲ କରୁଛନ୍ତି, ଗୁହାରି ହେଉଛନ୍ତି ଓଡିଶା ଫେରାଇ ନେବାକୁ । ଏଠାରେ ସୂଚନାଯୋଗ୍ୟ ଯେ, ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ନିଷ୍ପତ୍ତି ନେଇ ରେଳ ମନ୍ତ୍ରଣାଳୟ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁ କରିଥିଲା ।
ଦୁଇ ରାଜ୍ୟ ସରକାରଙ୍କ ସହମତି ଭିତ୍ତିରେ ରାଜ୍ୟର ଏକ ସ୍ଥାନରୁ ଅନ୍ୟ ରାଜ୍ୟର ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରବାସୀମାନକୁ ନେଇ ଏହି ଟ୍ରେନ ଯାତ୍ରା କରିଆସୁଛି । ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକର ଚଳାଚଳ ସୁବିଧା ପାଇଁ ରେଳବାଇ ଓ ରାଜ୍ୟ ସରକାରମାନେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ଶ୍ରମିକ ସ୍ପେଶାଲ ବ୍ୟତୀତ ରେଳ ମନ୍ତ୍ରଣାଳୟ ଗତ ୧୨ ତାରିଖରୁ ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ ଆରମ୍ଭ କରିଛି । ସେହିପରି ଆସନ୍ତା ଜୁନ ମାସ ପହିଲାରୁ ଆହୁରୀ ଅଧିକ ୨୦୦ ଟ୍ରେନ ସେବା ଚାଲୁ କରାଯିବ ବୋଲି ଘୋଷଣା କରାଯାଇଛି । ଅନ୍ୟପଟେ ଟ୍ରେନ ଆସୁଥିବା ଶ୍ରମିକମାନଙ୍କ ରେଳ ଭଡା ବାବଦରେ ସରକାର 5 କୋଟି ଟଙ୍କା ପୂର୍ବତଟ ରେଳବାଇକୁ ପୈଠ କରିବେ । ମୁଖ୍ୟମନ୍ତ୍ରୀଙ୍କ ରିଲଫ ଫଣ୍ଡରୁ ଏହି ଟଙ୍କା ପ୍ରଦାନ କରାଯିବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ନିଷ୍ପତି ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଦେଖିବାକୁ ବାକି ରହିଲେ ଏହି ସ୍ବତନ୍ତ୍ର ଟ୍ରେନ ସେବା ଦ୍ବାରା କେବେ ନିଜ ରାଜ୍ୟକୁ ଫେରିବେ ବାକି ପ୍ରବାସୀ ଓଡିଆ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ରିପୋର୍ଟ ଇଟିଭି ଭାରତ