ଭୁବନେଶ୍ବର:ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ୧୦୦ ଜଣ ଶିଳ୍ପୀଙ୍କ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ କଳାକୃତିଗୁଡ଼ିକୁ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଭର୍ଚୁଆଲ ପ୍ରଦର୍ଶନୀ କରାଯାଇଛି । ପ୍ରଦର୍ଶନୀର ଶୀର୍ଷକ ‘ଶ୍ରୀଗୁଣ୍ଡିଚା’ ରହିଥିବାବେଳେ ଏଥିରେ ଜଗନ୍ନାଥଙ୍କ କାହାଣୀ ଓ ରଥଯାତ୍ରା ସମ୍ବଳିତ ୧୦୦ଟି ଚିତ୍ର, ଭାସ୍କର୍ଯ୍ୟ ଓ ମୁଦ୍ରଣ କଳା ପ୍ରଦର୍ଶିତ ହୋଇଛି ।
ଓଡ଼ିଶା ଲଳିତ କଳା ଏକାଡେମୀର ‘ଶ୍ରୀଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଓଡ଼ିଶା ଲଳିତ କଳା ଏକାଡେମୀର ଫେସ୍ବୁକ୍ ଓ ୟୁଟ୍ୟୁବରେ ଏହା ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି ।ପ୍ରଦର୍ଶନୀକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ଓଡ଼ିଶାର ଶିଳ୍ପୀମାନଙ୍କୁ ଚଳଚଞ୍ଚଳ କରିବା ସହ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ଲଳିତ କଳା ଏକାଡେମୀର ପ୍ରୟାସକୁ ପ୍ରଶଂସା କରିଛନ୍ତି ।
ଓଡ଼ିଶା ଲଳିତ କଳା ଏକାଡେମୀର ‘ଶ୍ରୀଗୁଣ୍ଡିଚା’ ଚିତ୍ରକଳା ପ୍ରଦର୍ଶନୀ ଉତ୍କଳର କଳା-ସଂସ୍କୃତିର ନିଦର୍ଶନ ତଥା ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ଶିଳ୍ପୀମାନଙ୍କ କଳାକୃତି ଭାରତ ତଥା ବିଦେଶରେ ବହୁଳ ପ୍ରଚାର ପ୍ରସାର ହୋଇପାରିବ ବୋଲି ସେ ଆଶା ରଖିଛନ୍ତି ।
ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଳ୍ପୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅପାର ମାନବ ଜାତିକୁ ମହାମାରୀରୁ ରକ୍ଷା କରିବା ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । କୋଭିଡ୍ ସମୟରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ପ୍ରଦର୍ଶିତ ଚିତ୍ରକଳାଗୁଡ଼ିକ ବେଶ୍ ପ୍ରଶଂସୀୟ ହୋଇଥିବା ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ କହିଛନ୍ତି । ଏହା ମାଧ୍ୟମରେ ଜନସାଧାରଣ ଓ କଳାନୁରାଗୀମାନେ ଦେଖିବାର ସୁଯୋଗ ପାଇପାରିବେ ବୋଲିି ସେ ମତ ଦେଇଛନ୍ତି ।
ଏକାଡେମୀର ସଭାପତି ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକ ଏହି ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି । ଜୁନ ୩୦ ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ୧୦୦ ଜଣ ଶିଳ୍ପୀ ଘରେ ରହି ଭର୍ଚୁଆଲ୍ ମାଧ୍ୟମରେ ଏକ ଶିବିରରେ ଅଂଶଗ୍ରହଣ କରି ଅଙ୍କନ ତଥା ନିର୍ମାଣ କରିଥିବା କଳାକୃତିଗୁଡ଼ିକ ଏହି ଭର୍ଚୁଆଲ ପ୍ରଦର୍ଶନୀରେ ସ୍ଥାନିତ କରାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ