ଭୁବନେଶ୍ବର:କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ମିଶନ ଶକ୍ତି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର । ଲୋପାମୁଦ୍ରା କହିଛନ୍ତି ଯେ, "ମହିଳାଙ୍କ ସାମାଜିକ, ରାଜନୈତିକ, ଅର୍ଥନୈତିକ ସଶକ୍ତିକରଣ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରାୟ 2 ଦଶନ୍ଧି ତଳେ ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନସ କନ୍ୟା ମିଶନଶକ୍ତି ଜରିଆରେ ନୀରବ ବିପ୍ଲବ ଆରମ୍ଭ କରିଥିଲେ । ତାହା ଓଡ଼ିଶାର ପୁର ପଲ୍ଲୀରେ ଲକ୍ଷଲକ୍ଷ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିପାରିଛି । ରାଜ୍ୟରେ ମହିଳାମାନେ ସଂଗଠିତ ହେଇ ପ୍ରାୟ 6 ଲକ୍ଷରୁ ଊର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିପାରିଛନ୍ତି । ଏଥିରେ ସାମିଲ ହୋଇଛନ୍ତି 70 ଲକ୍ଷରୁ ଅଧିକ ମହିଳା । ମିଶନ ଶକ୍ତି କେବଳ ଯେ ମହିଳାଙ୍କୁ ସ୍ବାବଲମ୍ବୀ କରିଛି, ତାହା ନୁହେଁ ଆତ୍ମ ନିର୍ଭରଶୀଳ ହେବାର ଏକ ନୂଆ ରାହା ଦେଖାଇଛି ।"
ରାଜ୍ୟରେ ମିଶନ ଶକ୍ତି ମହିଳା ଜାଗରଣର ଏକ ଅଧ୍ୟାୟ କୁହାଯାଇପାରିବ ବୋଲି ଲୋପା ମୁଦ୍ରା ମତ ରଖିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ନୂଆ ମହିଳା ସଶକ୍ତିକରଣ ଯୋଜନା ରାଜ୍ୟରେ ମିଶନ ଶକ୍ତିକୁ ଆହୁରି ଅଧିକ କ୍ରିୟାଶୀଳ କରିବ । କେନ୍ଦ୍ର ସରକାରଙ୍କ ପ୍ରକଳ୍ପରେ ବର୍ତ୍ତମାନ ଚାଲୁଥିବା ଯୋଜନାକୁ ଯୋଡ଼ାଯିବା ସହ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଛି । ଏହାକୁ ଲୋପା ମୁଦ୍ରା ସ୍ବାଗତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟରେ ମହିଳାଙ୍କ ବିକାଶ ପାଇଁ ଅଧିକ ଭିତ୍ତିଭୂମି ଓ ମାନବ ସମ୍ବଳ ସୃଷ୍ଟି କରିବାର ଆବଶ୍ୟକତା ରହିଛି ।