ଭୁବନେଶ୍ବର/ଭଦ୍ରକ:ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଚାଲିଥିଲା ଖେଳ । ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ହେଉଥିଲା ଆଡମିଶନ (fake disability certificate issue in Bhadrak autonomous college) । କେମିତି ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କଲେଜରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ? କଣ ପାଉଛନ୍ତି ସୁବିଧା ସୁଯୋଗ ? ଏନେଇ ଏକ ଅନୁସନ୍ଧାନ ମୂଳକ ଖବର ଗତ 12 ତାରିଖରେ ଇଟିଭି ଭାରତରେ ପ୍ରକାଶ ପାଇଥିଲା । ଇଟିଭି ଭାରତରେ ଖବର ପ୍ରକାଶ ପାଇବାରେ ଆକ୍ସନକୁ ଆସିଛି ଉଚ୍ଚଶିକ୍ଷା ବିଭାଗ ।
ଆଜି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଆସୁଥିବା ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ଭଦ୍ରକ ସ୍ବଂୟ ଶାସିତ କଲେଜରେ ନାମ ଲେଖାକୁ ନେଇ ହୋଇଥିବା ଜାଲିଆତିକୁ ଉଲ୍ଲେଖ କରି ସବୁ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ ଯେଉଁମାନେ ନାମ ଲେଖାଇଛନ୍ତି, ସେହିସବୁ ସାର୍ଟିଫିକେଟ ଗୁଡିକର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସଂପୃକ୍ତ ସାର୍ଟିଫିକେଟ ଗୁଡିକ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ (CDMO)ଙ୍କ ଜରିଆରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନଙ୍କ ସାର୍ଟିଫିକେଟ ନକଲି ବା ଜାଲ ଜଣାପଡିବ ତାହାଙ୍କର ନାମଲେଖା ବାତିଲ କରିବା ସହ ସ୍ଥାନୀୟ ଥାନାରେ ଏତଲା ଦେବାକୁ କଲେଜ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।